ନୂଆଦିଲ୍ଲୀ: ଜେଲ ଭିତରେ କନ୍ୟା ସନ୍ତାନ ଜନ୍ମ ଦେଲେ ଜଣେ କଏଦୀ । ନୀଳ ଡ୍ରମ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁସକାନ ରସ୍ତୋଗୀ ମେରଠ ଜେଲରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ଜେଲ ପ୍ରଶାସନ କହିଛନ୍ତି ଯେ, ଡାକ୍ତରମାନେ ମୁସକାନଙ୍କର ନର୍ମାଲ ଡେଲିଭରି କରାଇଛନ୍ତି। ମା’ ଓ ଝିଅ ଉଭୟ ସୁସ୍ଥ ଅଛନ୍ତି। ତଥାପି ଜଣାପଡ଼ୁଛି ଯେ, ଝିଅ ଜନ୍ମ ହେବାର ଖବର ପାଇ ମୁସକାନଙ୍କ ପରିବାରର କେହିବି ହସ୍ପିଟାଲ ପହଞ୍ଚିନଥିଲେ। ତେବେ ଏହି ଘଟଣା ପରେ ପୁଣି ଥରେ ଏକ ପ୍ରଶ୍ନ ଉଠାଇଛି ଯେ ଜେଲ ଭିତରେ ଜନ୍ମ ହୋଇଥିବା ଶିଶୁମାନଙ୍କର ଲାଳନ-ପାଳନ କିପରି ହୁଏ? ଆସନ୍ତୁ ଆଜି ଜାଣିବା ଭାରତର ଜେଲଗୁଡ଼ିକରେ ଏହି ଶିଶୁମାନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି।
ଜେଲରେ ଜନ୍ମ ହୋଇଥିବା ଶିଶୁଙ୍କ ଲାଳନ-ପାଳନ କିପରି ହୁଏ?
ଭାରତର ଅଧିକାଂଶ ଜେଲରେ ଏବେ ସିଧାସଳଖ ଜେଲ ଭିତରେ ଡେଲିଭରି କରାଯାଏ ନାହିଁ। ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ମହିଳା କଏଦୀଙ୍କୁ ହସ୍ପିଟାଲକୁ ନିଆଯାଏ। ଡେଲିଭରି ପରେ କିଛି ସପ୍ତାହ ଭିତରେ ମା’ ଓ ଶିଶୁଙ୍କୁ ପୁଣି ଜେଲକୁ ଫେରାଇ ଅଣାଯାଏ ଏବଂ ମହିଳା ୱାର୍ଡରେ ସେମାନଙ୍କ ବ୍ୟବସ୍ଥା କରାଯାଏ। ଯଦି ମହିଳା କଏଦୀଙ୍କର ପୂର୍ବରୁ ଛୋଟ ପିଲା ଥାଏ, ତେବେ ସେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାକୁ ଜେଲ ଭିତରେ ନିଜ ସହ ରଖିପାରିବେ। ଏହାଙ୍କୁ ‘ମଦର ସେଲ୍’ କିମ୍ବା ମହିଳା ୱାର୍ଡର ଏକ ଅଲଗା ଭାଗରେ ରଖାଯାଏ। ବର୍ତ୍ତମାନ ଦିଲ୍ଲୀର ତିହାଡ଼ ଓ ମଣ୍ଡୋଲି ଜେଲରେ ମଧ୍ୟ ଏପରି ଅନେକ ପାଞ୍ଚ ବର୍ଷରୁ କମ୍ ବୟସର ପିଲା ରହୁଛନ୍ତି। ସେମାନଙ୍କର ନିତିଦିନିଆ ଯତ୍ନ, ଡାକ୍ତରୀ ସୁବିଧା ଓ ଶିକ୍ଷା ଯୋଗାଇ ଦିଆଯାଏ।
ଅଧିକାଂଶ ବଡ଼ ଜେଲଗୁଡ଼ିକରେ ପିଲାଙ୍କ ପାଇଁ କ୍ରେଚ ଚାଲେ। ସେଠାରେ ସେମାନଙ୍କୁ ପ୍ରି-ପ୍ରାଇମାରୀ ଶିକ୍ଷା ଦିଆଯାଏ। ଖେଳ, ଚିତ୍ରକଳା, ସଙ୍ଗୀତ ଆଦି କାର୍ଯ୍ୟକ୍ରମରେ ସେମାନେ ଭାଗ ନିଅନ୍ତି, ଯାହା ଦ୍ୱାରା ସେମାନଙ୍କର ସାଧାରଣ ବିକାଶ ଘଟିପାରେ। ଅନେକ ଏନଜିଓ କ୍ରେଚ ପାଇଁ ଶିକ୍ଷୟିତ୍ରୀ ଯୋଗାଇ ଦିଅନ୍ତି। କେତେକ ସମୟରେ ଅଖିକ ପାଠ ପଢ଼ିଥିବା ମହିଳା କଏଦୀମାନଙ୍କୁ ତାଲିମ ଦେଇ ଏହି ଦାୟିତ୍ୱ ଦିଆଯାଏ। ଜେଲ ଭିତରେ ଥିବା ଭ୍ୟାକ୍ସିନେସନ କେନ୍ଦ୍ରରେ ପିଲାମାନଙ୍କୁ ବିସିଜି, ପୋଲିଓ, ହେପାଟାଇଟିସ୍, ଡିପିଟି ଓ ଟିଟାନସ୍ ଭଳି ଜରୁରୀ ଟିକା ଦିଆଯାଏ। ମା’ ଓ ଶିଶୁ ଉଭୟଙ୍କର ନିୟମିତ ଡାକ୍ତରୀ ଯାଞ୍ଚ ହୁଏ।
ଜେଲରେ ଜନ୍ମ ହୋଇଥିବା କିମ୍ବା ମା’ ସହ ରହୁଥିବା ଛୋଟ ପିଲାମାନଙ୍କୁ ପ୍ରତିଦିନ ଦୁଗ୍ଧ ଓ ଫଳ ଯୋଗାଇ ଦିଆଯାଏ। ସେମାନଙ୍କର ଜନ୍ମଦିନ ଜେଲ ଭିତରେ ପାଳନ କରାଯାଏ। ଖେଳଣା, ଲୁଗା ଓ ହାଇଜିନ୍ କିଟ୍ ମଧ୍ୟ ଦିଆଯାଏ। ଆଇନ ଅନୁଯାୟୀ, ପିଲା ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ହିଁ ମା’ ସହ ଜେଲରେ ରହିପାରିବ। ତା’ପରେ ଜେଲ ପ୍ରଶାସନ ତା’ର ନିକଟତମ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରନ୍ତି। ଯଦି କେହି ତାକୁ ନେବାକୁ ରାଜି ନ ହୁଅନ୍ତି, ତେବେ ପିଲାଟିକୁ ଚାଇଲ୍ଡ କେୟାର ହୋମ୍ କିମ୍ବା ଅନାଥ ଆଶ୍ରମକୁ ପଠାଇ ଦିଆଯାଏ, ଯେଉଁଠାରେ ତା’ର ଭବିଷ୍ୟତ ପାଇଁ ଆଉ ବ୍ୟବସ୍ଥା କରାଯାଏ। ଏହିପରି ଅନେକ ଶିଶୁ ଆଜି ମଧ୍ୟ ଭାରତର ବିଭିନ୍ନ ଜେଲରେ ମା’ଙ୍କ ସହ ରହି ନିଜର ବାଲ୍ୟ ଅତିବାହିତ କରୁଛନ୍ତି।
Comments are closed.