ନୂଆଦିଲ୍ଲୀ: ହେଲିକପ୍ଟର ଭଡ଼ା ନେବା ଶୁଣିଲେ ଯେମିତି କୌଣସି ଫିଲ୍ମର ଲଗ୍ଜରି ଦୃଶ୍ୟ ମନେପଡ଼େ, କିନ୍ତୁ ଭାରତରେ ଏହା କରିବା ଏବେ ବେଶ୍ ସହଜ ହୋଇଗଲାଣି। ତଥାପି ହେଲିକପ୍ଟର ଭଡ଼ାରେ ନେବାକୁ ହେଲେ ଆପଣଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ବିବାହ, ଭିଆଇପି ଯାତ୍ରା, ଆଡଭେଞ୍ଚର ଟୁର୍ ଠାରୁ ଆରମ୍ଭ କରି ଏମର୍ଜେନ୍ସି ମେଡିକାଲ୍ ସର୍ଭିସ୍ ପର୍ଯ୍ୟନ୍ତ ହେଲିକପ୍ଟର ଭଡ଼ା ନେବାର ଚାହିଦା ଦିନକୁ ଦିନ ବଢ଼ୁଛି। ଆସନ୍ତୁ ଜାଣିବା, ଭାରତରେ ୧ ଘଣ୍ଟା ହେଲିକପ୍ଟର ଭଡ଼ା ନେଲେ କେତେ ଟଙ୍କା ଖର୍ଚ୍ଚ ହେଉଛି।
୩-୪ ଜଣ ବସିପାରୁଥିବା ଛୋଟ ହେଲିକପ୍ଟର ସବୁଠାରୁ ସସ୍ତା। ଏହାର ଭଡ଼ା ସାଧାରଣତଃ ୯୪,୪୦୦ ଟଙ୍କାରୁ ଆରମ୍ଭ ହୋଇ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଛି ପ୍ରତି ଘଣ୍ଟା। କିନ୍ତୁ ୬ରୁ ୮ ଜଣ ବସିପାରୁଥିବା ଡବଲ୍ ଇଞ୍ଜିନ୍ ବଡ଼ ହେଲିକପ୍ଟରର ଭଡ଼ା ଅଧିକ ମହଙ୍ଗା – ପ୍ରତି ଘଣ୍ଟା ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଗିପାରେ। ଦୁଇଟି ଇଞ୍ଜିନ୍ ଥିବା ହେଲିକପ୍ଟରକୁ ଅଧିକ ସୁରକ୍ଷିତ ମାନାଯାଏ, ବିଶେଷକରି ଲମ୍ବା ଦୂରତାର ଯାତ୍ରା ପାଇଁ। ଏହି ଅଧିକ ସୁରକ୍ଷା ପାଇଁ ହିଁ ଡବଲ୍ ଇଞ୍ଜିନ୍ ମଡେଲ୍ ସବୁବେଳେ ସିଙ୍ଗଲ୍ ଇଞ୍ଜିନ୍ ଠାରୁ ଅଧିକ ମହଙ୍ଗା ପଡ଼ୁଛି। ହେଲିକପ୍ଟର କମ୍ପାନୀମାନେ ଦୂରତା ହିସାବରେ ନୁହନ୍ତି, ଘଣ୍ଟା ହିସାବରେ ଟଙ୍କା ନେଉଛନ୍ତି। ଆପଣଙ୍କ ଯାତ୍ରା ୨୦ ମିନିଟ୍ ହେଲେ ମଧ୍ୟ ଅଧିକାଂଶ କମ୍ପାନୀ ପୂରା ୧ ଘଣ୍ଟାର ହିସାବରେ ବିଲ୍ କରିଦେଉଛନ୍ତି, କାରଣ ସାଧାରଣତଃ ନ୍ୟୂନତମ ୧ ଘଣ୍ଟା ଉଡ଼ାଣ ବାଧ୍ୟତାମୂଳକ। ଯଦି ଆପଣ ଏୟାରପୋର୍ଟ କିମ୍ବା ବ୍ୟସ୍ତବହୁଳ ଜାଗାରେ ଓହ୍ଲାଇବାକୁ ଚାହୁଁଛନ୍ତି, ତେବେ ଲ୍ୟାଣ୍ଡିଂ ଓ ପାର୍କିଂ ଶୁଳ୍କ ଅଲଗା ଲଗା ଲାଗିପାରେ।
ଦୂରବର୍ତ୍ତୀ କିମ୍ବା ଉଚ୍ଚତାବିଶିଷ୍ଟ ଜାଗାକୁ ଯିବାକୁ ହେଲେ ବିଶେଷ ପାଇଲଟ୍ ଓ ଏୟାରକ୍ରାଫ୍ଟ ସର୍ଟିଫିକେସନ୍ ଦରକାର ପଡ଼େ, ଯାହା ଖର୍ଚ୍ଚକୁ ଆହୁରି ବଢ଼ାଇଦିଏ। ବିବାହ ଭଳି ଇଭେଣ୍ଟରେ ଡେକୋରେସନ୍, ପରମିଶନ ଓ ଇଭେଣ୍ଟ୍ ହ୍ୟାଣ୍ଡଲିଂ ପାଇଁ ଅଧିକ ଟଙ୍କା ଲାଗେ। ଏୟାରିଆଲ୍ ଫଟୋଗ୍ରାଫି କିମ୍ବା ଫିଲ୍ମ ସୁଟିଂ ପାଇଁ ଦୁଆର ଖୋଲା ରଖି ଉଡ଼ାଣ କିମ୍ବା ବିଶେଷ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼େ, ଯାହା ଦରକୁ ଆହୁରି ବଢ଼ାଇଦିଏ। ପିକ୍ ସିଜନ୍ରେ ଅଧିକ ଚାହିଦା ଥିବାରୁ ରେଟ୍ ଆହୁରି ବଢ଼ିଯାଏ।ତେଣୁ ହେଲିକପ୍ଟର ଭଡ଼ା ନେବା ପୂର୍ବରୁ ଭଲଭାବି ହିସାବ କରି ନିଅନ୍ତୁ, ନହେଲେ ପଇସାର ବୋଝ ବେଶୀ ହୋଇଯିବ!