ମୁଁ ଦଶ ବର୍ଷରୁ ଅଧିକ ସମୟ ଧରି ଆମେରିକାର ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଅନ୍ଵେଷା ଦାସଙ୍କୁ ଭେଟିଛି । କିନ୍ତୁ ସେ କେବେ ବି ଜାଣିପାରି ନ ଥିଲି ଯେ ସେ ସେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଆଇଏଏସ୍ ଅଫିସର ଶକ୍ତିକାନ୍ତ ଦାସଙ୍କ ଝିଅ ବୋଲି ।
ଆମ ଜୀବନରେ ଆମେ କ୍ୱଚିତ୍ ଏପରି ଏକ କଳାକାରଙ୍କୁ ଭେଟିଥାଉ ଯେ କି ଅନ୍ୟ କାହା ନାଁ ନେଇ ନୁହେଁ ବରଂ ନିଜେ ନିଜର ପରିଚୟ ସୃଷ୍ଟି କରିବାକୁ ଭଲ ପାଆନ୍ତି ।
ଓଡିଶାରେ ଜନ୍ମ, ତାମିଲନାଡୁରେ ବଢିଛନ୍ତି ଓ ଏବେ ଆମେରିକାରେ ଅବସ୍ଥାପିତ ଅନ୍ଵେଷା ଓଡିଶାର ଗର୍ବ। ସେ ଏକମାତ୍ର ଓଡ଼ିଆ ଯିଏ ଅନ୍ତର୍ଜାତୀୟ ସ୍ତରରେ ବୃତ୍ତିଗତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଭାବରେ ଖୁବ ଜଣାଶୁଣା ।
ଅନ୍ଵେଷା ଆଇସିସିଆର ଜଣେ ପ୍ୟାନେଲଭୁକ୍ତ କଳାକାର ତଥା ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ନୃତ୍ୟଶିଳ୍ପୀ ହେଉଛନ୍ତି ଅନ୍ୱେଷା । ୨୦୦୦ ମସିହାରୁ ନୃତ୍ୟ ଆରମ୍ଭ କରି ସେ ଆମେରିକା, ବ୍ରିଟେନ ତଥା ଭାରତର ବିଭିନ୍ନ ସ୍ଥାନରେ ୧୦୦ ରୁ ଅଧିକ ଏକକ ନୃତ୍ୟ ପ୍ରଦର୍ଶନ କରି ସାରିଲେଣି ।
ଚେନ୍ନାଇ ସ୍ଥିତ ଭାରତନାଟ୍ୟମ୍ ଗୁରୁ ଉର୍ମିଲା ସତ୍ୟନାରାୟଣନଙ୍କ ବରିଷ୍ଠ ଶିଷ୍ୟା ଅନ୍ଵେଷା ନିଜ ନୃତ୍ୟ ପାଇଁ ବହୁ ଅନୁଷ୍ଠାନରୁ ପାଇଛନ୍ତି ଅନେକ
ସମ୍ମାନଜନକ ପୁରସ୍କାର । କାର୍ତ୍ତିକ ଚିତ୍ରକଳା ଅନୁଷ୍ଠାନରୁ ସେ ପାଇଛନ୍ତି ସମ୍ମାନଜନକ ‘ନାଡମାମଣୀ ‘ ପୁରସ୍କାର, ଭାରତ କଳାଚାରରୁ ‘ଯୁବା କଳା ଭାରତୀ’ ଓ ଆମେରିକାର କ୍ଲିଭଲ୍ୟାଣ୍ଡ ଆରାଧନା ପକ୍ଷରୁ ‘ଶ୍ରେଷ୍ଠ ନୃତ୍ୟଶିଳ୍ପୀ ‘ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଅନ୍ୱେଷାଙ୍କୁ ଭେଟିଛନ୍ତି ବରହିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର ।
ପ୍ର- ଆମେ ଓଡିଆରେ କଥାବାର୍ତ୍ତା କରିପାରିବା କି?
ଉ- ମୁଁ ଚେନ୍ନାଇରେ ବଡ ହୋଇଛି ତେଣୁ ମୁଁ ତାମିଲ ଭାଷା ଭଲଭାବେ କହିପରେ । କିନ୍ତୁ ମୁଁ ଓଡିଆ ସହିତ ଅଧିକ ଜଡିତ । ଭାରତ ବାହାରକୁ ଯିବା ପରେ ମଧ୍ୟ ମୁଁ ଓଡିଆରେ କଥାବାର୍ତ୍ତା ଜାରି ରଖିଛି । ମୋର ବାପାମାଆ ସବୁବେଳେ ଚାହଁନ୍ତି ଯେ ତାଙ୍କ ପିଲାମାନେ ମାତୃଭାଷା ଶିଖନ୍ତୁ । ଆମେ ଘରେ ଓଡିଆରେ କଥାବାର୍ତା କରୁ । ମୋର ମାତୃଭାଷା ଓଡ଼ିଆ ତେଣୁ ଓଡ଼ିଆରେ କଥା ହେବାରେ ମୋର ଆଦୌ ଅସୁବିଧା ନାହିଁ ।
ପ୍ର- ଆପଣ ଓଡ଼ିଶୀ ଶିଖିବାକୁ କେବେ ଇଚ୍ଛା କରିନାହାଁନ୍ତି କି?
ଉ- ମୁଁ ଓଡ଼ିଶୀକୁ ସତରେ ଭୟ କରେ । ନୃତ୍ୟର ତାଳ ଲୟ ଏବଂ ବାଦ୍ୟଯନ୍ତ୍ରର ମିଶ୍ରଣ ଅତୁଳନୀୟ । ଓଡ଼ିଶାର ସୁନ୍ଦର ସଂସ୍କୃତି ଏବଂ ଐତିହକୁ ଓଡିଶୀ ରୂପରେ ପରିଣତ କରାଯାଇଛି। ଓଡ଼ିଶାର କବିତା, ଚିତ୍ର, ମୂର୍ତ୍ତି ଏବଂ ଇତିହାସରୁ ଏହାର ପ୍ରେରଣା ରହିଛି।
ମୁଁ ସବୁବେଳେ ଇଚ୍ଛା କରିଥିଲି ଯେ ମୁଁ ଓଡ଼ିଶୀ ଶିଖିବି । କିନ୍ତୁ ମୁଁ ଅଭ୍ୟାସ କରୁଥିବା ଭାରତନାଟ୍ୟମ୍ ଶୈଳୀଠାରୁ ଓଡ଼ିଶୀର ବ୍ୟାକରଣ ବହୁତ ଭିନ୍ନ । ଆଉ ମଧ୍ୟ ଭାରତନାଟ୍ୟମ୍ ରାଜ୍ୟରେ ବଡ ହୋଇ ହୋହେଲି ଯେଉଁଠାରେ ଓଡ଼ିଶୀ ଶିଖିବାର କୌଣସି ସୁଯୋଗ ନଥିଲା, ଭାରତନାଟ୍ୟମ୍ ଶିଖିବା ମୋ ପାଇଁ ସ୍ୱାଭାବିକ ଥିଲା।
ପ୍ର- ଆପଣ ନୃତ୍ୟ ଶିଖିବେ ବୋଲି କିଏ ମନସ୍ଥ କରିଥିଲେ ?
ଉ- ମୋର ବାପାମାଆ ଦେଖିଲେ ଯେ ମୋର ନୃତ୍ୟ ପ୍ରତି ଆଗ୍ରହ ଥିଲା ଏବଂ ସେମାନେ ମୋତେ ଗୁରୁ ଉର୍ମିଳା ସତ୍ୟନାରାୟଣଙ୍କ ଦ୍ୱାରା ପ୍ରତିଷ୍ଠିତ ନାଟ୍ୟ ସଂକଳ୍ପରେ ଛାଡିଲେ। ମୁଁ ସେଠାରେ କାଣ୍ଣାଟକୀ ସଙ୍ଗୀତ ଏବଂ ଯୋଗ ମଧ୍ୟ ଶିଖିଲି ଯାହା ଅନୁଷ୍ଠାନରେ ଆମର ପାଠ୍ୟକ୍ରମର ଏକ ଅଂଶ ଥିଲା । କିନ୍ତୁ ଭାରତନାଟ୍ୟମ ପ୍ରତି ମୋର ଆଗ୍ରହ ଆସିଥିଲା ଆଉ ଏବେ ବି ଅଛି ।
ପ୍ର- ଆପଣଙ୍କର ଶିକ୍ଷା ଏବଂ ବୃତ୍ତି ସମ୍ପର୍କରେ କିଛି କୁହନ୍ତୁ ।
ଉ- ଚେନ୍ନାଇରେ ମୁଁ ମୋର ସ୍କୁଲ୍ ଏବଂ କଲେଜ ଶିକ୍ଷା ଗ୍ରହଣ କଲି । ପରେ ଏମବିଏ ପଢିବା ପାଇଁ ପାଇଁ ଆମେରିକା ଯିବା ପୂର୍ବରୁ ଏକ ବର୍ଷ ପାଇଁ ରିସର୍ଚ୍ଚ ଆନାଲିଷ୍ଟ ଭାବରେ କାମ କଲି । ସେଠାରେ କୋର୍ସ ସମାପ୍ତ ପରେ କିଛି ବର୍ଷ କାମ କଲି । ଏହା ପରେ ମୁଁ ସିଆଟେଲରେ ରହଣି ପରେ ପୁରା ସମୟ ନୃତ୍ୟ ପାଇଁ ଦେବାକୁ ସ୍ଥିର କଲି ତେଣୁ ମୁଁ ଚାକିରୀ ଛାଡି ଏକକ ଶିଳ୍ପୀ ଭାବରେ ଭାରତନାଟ୍ୟମ ଶିକ୍ଷା ଦେବା ଆରମ୍ଭ କଲି ।
ପ୍ର- ଅଧ୍ୟୟନ, ନୃତ୍ୟ, ଚାକିରି ଏବଂ ପରିବାର ଏସବୁ ସହ ଆପଣ କିପରି ଏକ ବୃତ୍ତିଗତ ନୃତ୍ୟଶିଳ୍ପୀ ଭାବରେ ଆଗକୁ ବଢିବା ପାଇଁ କିପରି ସନ୍ତୁଳନ ରଖନ୍ତି ? ଏସବୁ ପାଇଁ ଅଧିକ ସମୟ ଅଭ୍ୟାସ, ସାଧନା ଓପ୍ରଦର୍ଶନ ଆବଶ୍ୟକ ହୋଇଥାଏ ।
ଉ- ଆପଣ କେଉଁ କାମକୁ କିପରି ଭାବରେ ପ୍ରାଥମିକତା ଦେବେ ଓ ଦାୟିତ୍ୱବାନ ହେବେ ତାହା ଆପଣଙ୍କ ଉପରେ ନିର୍ଭର କରେ । ଗୋଟିଏ ଛୋଟ ପୁଅର ମା ହିସାବରେ ତା ପ୍ରତି ଧ୍ୟାନ ରଖେ ଏବଂ ଜଣେ ନୃତ୍ୟଶିଳ୍ପୀ ଭାବରେ ମୁଁ ମୋର ନୃତ୍ୟର ସବୁ ଦିଗକୁ ମଧ୍ୟ ଶତ ପ୍ରତିଶତ ସମୟ ଦିଏ। ମୋ ପୁଅ ଓ ମୋ ନୃତ୍ୟକୁ ସମୟ ଦେବା ପାଇଁ ହିଁ ମୁଁ ମୋର ଚାକିରୀ ଛାଡ଼ିଥିଲି ।
ପ୍ର- ଓଡିଶା ଆପଣଙ୍କ ନିଜ ସହର, ତେବେ ଓଡ଼ିଶାରେ ପ୍ରଦର୍ଶନ କରିବାର ଅନୁଭୂତି କିପରି ଥିଲା ?
ଉ- ମୋର ପ୍ରଥମ ପ୍ରଦର୍ଶନ କଟକରେ ହୋଇଥିଲା, ଯେଉଁଠାରେ କି ମୁଁ ଜନ୍ମ ହୋଇଥିଲି । ମୋର ଅଜା ଆର .କେ . ଦାସ ଜଣେ ବେଶ୍ ନାଁ କରା ଡାକ୍ତର ଯିଏ କି ତୁଳସୀପୁରରେ ରହନ୍ତି । ମୋର ପରବର୍ତ୍ତୀ ପ୍ରଦର୍ଶନ ଭୁବନେଶ୍ୱରରେ ଥିଲା । ଏହା ଆଇସିସିଆର ଦ୍ୱାରା ଆୟୋଜିତ ସମ୍ମାନଜନକ ହୋରିଜନ୍ ସିରିଜ୍ ପକ୍ଷରୁ ଆୟୋଜିତ ହୋଇଥିଲା । ମୋ ବାପା ଭୁବନେଶ୍ୱରରେ ଜନ୍ମ ହେଇଥିଲେ ଓ ଏହିଠାରେ ହିଁ ବଢିଥିଲେ । ଏବଂ ଜେଜେମା ଓ ଜେଜେବାପା ବୁଦ୍ଧେଶ୍ୱରୀ କଲୋନୀରେ ରହୁଥିଲେ।
ଉଭୟ ପ୍ରଦର୍ଶନ ମୋର ଜନ୍ମସ୍ଥାନରେ ହୋଇଥିବାରୁ ମୋତେ ବିଶେଷ ଅନୁଭବ ହୋଇଥିଲା ।ଦର୍ଶକମାନେ ମୋ ନୃତ୍ୟକୁ ବହୁତ ପ୍ରଶଂସା କରିଥିଲେ । ମୁଁ ସେଦିନର କିଛି ଦର୍ଶକଙ୍କୁ ଏବେ ବି ମନେ ପକାଏ ଯେଉଁମାନେ ମତେ ଜଣେ ଓଡ଼ିଆ ହୋଇ ଭାରତନାଟ୍ୟମ ଶିଖିବାର ଯାତ୍ରା ବିଷୟରେ ପଚାରିଥିଲେ ।
ମୁଁ ଆମେରିକାର ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ୪୩ ତମ ବାର୍ଷିକ ସମ୍ମିଳନୀରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିଥିଲି। ଏହା ମଧ୍ୟ ଅନ୍ୟ ଏକ ବିଶେଷ ଅନୁଭୂତି ଥିଲା ଯେଉଁଠାରେ ମୋତେ ଏକ ଓଡିଆ ଭାରତନାଟ୍ୟମ୍ କଳାକାର ଭାବରେ ପ୍ରଶଂସା କରାଯାଇଥିଲା ।
ପ୍ର- ଜଣେ ଝିଅ ହିସାବରେ ଆପଣଙ୍କ ବାପାଙ୍କର କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ? ସେ ଆପଣଙ୍କ ନୃତ୍ୟକୁ ଭଲ ପାଆନ୍ତି ?
ଉ- ବାପାଙ୍କ କାର୍ୟ୍ୟ ପ୍ରତି ଉତ୍ସର୍ଗ ଓ ପରିବାର ପ୍ରତି ଦାୟିତ୍ୱ ବୋଧକୁ ମୁଁ ସର୍ବଦା ପ୍ରଶଂସା କରି ଆସିଛି। ସେ ସବୁବେଳେ ଆଗ୍ରହର ସହ ମୋ ନୃତ୍ୟକୁ ଉତ୍ସାହିତ କରିଛନ୍ତି । ଡେବ୍ୟୁରୁ ବର୍ତ୍ତମାନ ପର୍ୟ୍ୟନ୍ତ ମୋର ନୃତ୍ୟର ଯାତ୍ରା ସେ ଦେଖିଛନ୍ତି ଏବଂ ମୋ ନୃତ୍ୟର ସେ ସବୁଠୁ ବଡ ପ୍ରଶଂସକ ।
ପ୍ର- ଆପଣ ନିଜ ମା ଙ୍କ ବିଷୟରେ କଣ କହିବେ ?
ଉ- ଆଜି ମୁଁ ଯେଉଁ ସ୍ଥାନରେ ପହଁଚିଛି ତାହା କେବଳ ମୋ ମା ଲୋପାମୁଦ୍ରା ଦାସଙ୍କ ପାଇଁ । ମୋ ଜୀବନର ପ୍ରତିଟି ସୋପାନରେ ମୁଁ ତାଙ୍କର ସ୍ନେହ ଓ ସମର୍ଥନ ପାଇଛି । ଏବେ ବି ସେ ମୋ ପାଇଁ ଶକ୍ତିର ଉତ୍ସ । ଏବେ ସେ ମୋ ପୁଅ ପାଇଁ ଯତ୍ନଶୀଳା ଆଈ ପାଲଟିଛନ୍ତି ।
ପ୍ର- ଆପଣ ନିୟମିତ ଭାବେ ଓଡିଶା ଆସନ୍ତି । ଓଡିଶାକୁ ନେଇ ଆପଣଙ୍କର କେଉଁ ସବୁ ମଧୁର ଅନୁଭୂତି ରହିଛି ?
ଉ- ଆମେ ସାଧାରଣତଃ ସବୁ ଖରାଛୁଟ ଭୁବନେଶ୍ୱରରେ ମୋର ଜେଜେବାପା ଜେଜେମା ଏବଂ କଟକରେ ଅଜା ଆଈ ପାଖେ କାଟୁ । ଏହି ସବୁ ଦିନଗୁଡିକରେ ମୋର ବହୁତ ସୁନ୍ଦର ସ୍ମୃତିମାନ ଅଛି । ଆମେ ଯେତେବେଳେ ବି ସମ୍ଭବ ହୁଏ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରୁ । ପୁରୀ ଗଲା ବେଳେ ପିପିଲି ପାଖେ ତ ନକ୍ସେ ଅଟକୁ । ଆଉ ପୁରୀରେ ସମୁଦ୍ର କୂଳରେ ବେଶୀ ସମୟ କାଟୁ ।
ମୁଁ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଯେମିତିକି ସନ୍ତୁଳା , ପୋଟଳ ଭଜା , ମାଂସ ତରକାରୀ , ଇଲିସି ତରକାରୀ ଖାଇବାକୁ ବହୁତ ଭଲ ପାଏ । ଏହାସହ ମୋ ଭାଇ ଭଉଣୀମାନଙ୍କ ସହ ଗୁପଚୁପ ଓ ଚାଟ୍ ମଧ୍ୟ ଖାଇବାକୁ ପସନ୍ଦ କରେ ।
ଓଡ଼ିଶାର ହସ୍ତତନ୍ତ ଶାଢ଼ୀ ମୋର ଭାରି ପସନ୍ଦ । ଏହାସହ ପଟ୍ଟଚିତ୍ର ଓ ସଉରା ପେଣ୍ଟିଂକୁ ମୁଁ ବହୁତ ଭଲ ପାଏ । ଏସବୁ ମୁଁ ସଂଗ୍ରହ କରି ଘରେ ରଖିଛି ।
Comments are closed.