ନୂଆଦିଲ୍ଲୀ: ଆଜିକାଳି ହ୍ୱାଟ୍ସଆପ୍ ଆମର ଦୈନିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି। ଚାଟିଂ ହେଉ କି ଫଟୋ-ଭିଡିଓ ସେୟାର କରିବା କିମ୍ବା କଲିଂ, ସବୁକିଛି ଏହି ଆପ୍ ମାଧ୍ୟମରେ ହିଁ ହେଉଛି। କିନ୍ତୁ ଅନେକ ଥର ଲୋକେ ବିନା ଭାବିଚିନ୍ତି ଏମିତି କିଛି କରିଦିଅନ୍ତି ଯାହା ଆଇନ ଆଖିରେ ଅପରାଧ ଭାବେ ଗଣାଯାଏ। ଯଦି ଆପଣ ମଧ୍ୟ ଭୁଲରେ ଏମିତି କିଛି କରିଦେଇଛନ୍ତି ତେବେ ସିଧାସଳଖ ଜେଲ୍ ଯିବାକୁ ପଡ଼ିପାରେ। ତେଣୁ ଜରୁରୀ ଯେ ଆପଣ ବୁଝନ୍ତୁ ହ୍ୱାଟସଆପ୍ ରେ କଣ କରିବା ଉଚିତ୍ ନୁହେଁ।
ଫେକ୍ ନ୍ୟୁଜ୍ ଓ ଗୁଜବ ପଠାଇବା ହୋଇପାରେ ବଡ଼ ଅପରାଧ
ହ୍ୱାଟସଆପ୍ ରେ ଫରୱାର୍ଡ ମେସେଜ୍ କରିବା ସାଧାରଣ କଥା, କିନ୍ତୁ ଯଦି ଏହି ମେସେଜ୍ କୌଣସି ପ୍ରକାରର ଗୁଜବ, ଘୃଣା କିମ୍ବା ଭୁଲ୍ ତଥ୍ୟରେ ହୋଇଥାଏ ତେବେ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ଭାରତରେ IT ଆକ୍ଟ ଓ IPCର ବିଭିନ୍ନ ଧାରା ଅନୁଯାୟୀ ଫେକ୍ ନ୍ୟୁଜ୍ ଭାଇରାଲ କରିବା ଦଣ୍ଡନୀୟ ଅପରାଧ। ଯଦି ଆପଣଙ୍କ ଫରୱାର୍ଡ କରିଥିବା ମେସେଜ୍ ଯୋଗୁ କାହାର ଭାବନା ଆହତ ହୁଏ, ଦାଙ୍ଗା ହୁଏ କିମ୍ବା କାହାର ପ୍ରତିଛବି ଖରାପ ହୁଏ ତେବେ ପୁଲିସ୍ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ। ଅନେକ ମାମଲାରେ କେବଳ ଗୋଟିଏ ଫରୱାର୍ଡ ମେସେଜ୍ ଯୋଗୁ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି।
ଆପତ୍ତିଜନକ ଫଟୋ-ଭିଡିଓ ପଠାଇବା ମଧ୍ୟ ଆଇନଗତ ଭାବେ ଭୁଲ୍
କିଛି ଲୋକେ ହ୍ୱାଟସଆପ୍ ରେ ମଜା ନାଁରେ ଅଶ୍ଲୀଳ, ଆପତ୍ତିଜନକ କିମ୍ବା ସମ୍ବେଦନଶୀଳ ଫଟୋ-ଭିଡିଓ ପଠାଇଦିଅନ୍ତି। କିନ୍ତୁ ଏହା ସାଇବର କ୍ରାଇମ୍ ଶ୍ରେଣୀରେ ପଡ଼େ। କାହାକୁ ବିନା ଅନୁମତିରେ ବ୍ୟକ୍ତିଗତ କଣ୍ଟେଣ୍ଟ ପଠାଇବା, କାହାର ପ୍ରତିଛବି ଖରାପ କରିବା ଉଦ୍ଦେଶ୍ୟରେ ଫଟୋ-ଭିଡିଓ ସେୟାର କରିବା କିମ୍ବା ଅଶ୍ଲୀଳ ଲେଖା ପଠାଇବା – ଏସବୁ ଗମ୍ଭୀର ଅପରାଧ। IT ଆକ୍ଟର ଧାରା ୬୭ ଅନୁଯାୟୀ ଏଥିପାଇଁ ଜେଲ୍ ଓ ଜରିମାନା ହୋଇପାରେ।
ଯଦି କୌଣସି ବ୍ୟକ୍ତି କାହାକୁ ଡରେଇବା, ଧମକାଇବା କିମ୍ବା ବ୍ଲାକମେଲ୍ କରିବା ପାଇଁ ହ୍ୱାଟସଆପ୍ ବ୍ୟବହାର କରେ ତେବେ ଏହା IPCର ଅନେକ ଧାରା ଅନୁଯାୟୀ ଦଣ୍ଡନୀୟ। ଅନେକ ଥର ରାଗ କିମ୍ବା ଆବେଗରେ ଲୋକେ ଏମିତି ମେସେଜ୍ ପଠାଇଦିଅନ୍ତି, କିନ୍ତୁ ଏହାର ପରିଣାମ ଅତ୍ୟନ୍ତ ଗମ୍ଭୀର ହୋଇପାରେ।