Latest Odisha News

ଦିଲ୍ଲୀ ରାଜନୀତିରେ ଚାଲିଛି କ’ଣ ? ଜୋରଦାର ହେଉଛି ଲଢ଼େଇ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ବେଶି ଡେରି ନାହିଁ । ହେଲେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆପ୍‌ ଏବଂ ବିଜେପି ନେତାଙ୍କ ମଧ୍ୟରେ ଦେଖାଦେଇଛି ଘମାସନ। ଉଭୟ ଦଳର ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ସାଙ୍ଗକୁ ବୟାନବାଜି ଆରମ୍ଭ ହୋଇଯାଇଛି । ଆପ୍‌ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଛି ବିଜେପି । ୧୦ ବର୍ଷ ଧରି ଇମାମମାନଙ୍କୁ ଦରମା ବାଣ୍ଟୁଥିଲେ, ଯିଏ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣକୁ ନେଇ ଖୁସି ନ ଥିଲେ, ଯିଏ ମନ୍ଦିର ଓ ଗୁରୁଦ୍ବାରା ଆଗରେ ମଦ ଦୋକାନ ଖୋଲିଥିଲେ, ଯାହାଙ୍କର ପୁରା ରାଜନୈତିକ ଜୀବନ ହିନ୍ଦୁ ବିରୋଧୀ ରହିଛି । ନିର୍ବାଚନ ଆସୁଥିବାରୁ ଏବେ ସେହି ନେତାଙ୍କର ପୂଜାରୀ ଓ ଗ୍ରନ୍ଥ କଥା ମନେ ପଡ଼ିଲା ବୋଲି କହି କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି ବିଜେପି । ଏଥିସହ ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ, ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଦୁର୍ନୀତିର ତିସ୍‌ମାର୍‌ ଖାନ୍‌ ବୋଲି ଦର୍ଶାଇଛି ବିଜେପି । ଆପ୍‌ ନେତା କେଜ୍ରିୱାଲଙ୍କୁ ମିଛ ପ୍ରତିଶ୍ରୁତିର ମହାନାୟକ ବୋଲି ପୋଷ୍ଟରରେ ଅଭିହିତ କରିଛି ବିଜେପି । ଏଥିସହ ଦିଲ୍ଲୀର ଚୋଟ ଛୋଟ ପିଲାଙ୍କୁ ନେଇ ରାଜନୀତି ବନ୍ଦ କରୁ ବୋଲି କହିଛି ବିଜେପି ।

ନିର୍ବାଚନରେ ଜିତିଲେ ସମସ୍ତ ମନ୍ଦିର ଓ ଗୁରୁଦ୍ବାରାର ପୂଜାକଙ୍କୁ ମାସକୁ ୧୮ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ଗତକାଲି କେଜ୍ରିୱାଲଙ୍କ ଘୋଷଣା ପରେ ଉଷ୍ମ ହୋଇଛି ଦିଲ୍ଲୀ ରାଜନୀତି । ମୌଲାନା, ଇମାମ ଓ ମୌଲବୀମାନଙ୍କୁ ଟଙ୍କା ଦେବା ବେଳେ କାହିଁକି ପୂଜାରୀ ଓ ଗ୍ରନ୍ଥୀମାନଙ୍କୁ ଦିଆଯାଇ ନଥିଲା ବୋଲି ପ୍ରଶ୍ନ କରି ଆପ୍‌କୁ ଘେରିଛି ବିଜେପି । ଆଉ ଏପଟେ ଆପ୍‌ ନେତା ମନିଷ ସିସୋଦିଆ ଦିଲ୍ଲୀର ଜଙ୍ଗପୁରା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ସିସୋଦିଆ କହିଛନ୍ତି, କେଜ୍ରିୱାଲଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ପାଇଁ, ଦିଲ୍ଲୀ ଆସନରେ ପୁଣି ଆପ୍‌ ସରକାର କରିବା ପାଇଁ ସମସ୍ତ ମନ୍ଦିର ଓ ଗୁରୁଦ୍ବାରାର ପୂଜକମାନେ ପ୍ରାର୍ଥନା କରିଛନ୍ତି । ଆଉ ସେପଟେ ଆପ୍‌ ନିଜର ସୋସିଆଲ ହ୍ୟାଣ୍ଡଲ ‘ଏକ୍ସ’ରେ କହିଛି, ଯାହା କେଜ୍ରିୱାଲ କରିଛନ୍ତି, ଦମ୍‌ ଅଛିତ ବିଜେପି ଶାସିତ ୨୦ ରାଜ୍ୟରେ ତାହା କରି ଦେଖାଉ ।

ଦିଲ୍ଲୀରେ ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଆପ୍‌ ଓ ବିଜେପି ମଧ୍ୟରେ ବୟାନବାଜି ତୀବ୍ର ହୋଇଛି । କେଜ୍ରିୱାଲ ଓ ଆପ୍‌ ନେତାଙ୍କୁ ମିଛୁଆ ନେତା, ଭ୍ରଷ୍ଟାଚାରୀ ଆଦି ଦର୍ଶାଇଥିବା ବେଳେ, ଆପ୍‌ ନୂଆ ନୂଆ ଯୋଜନା ଘୋଷଣା କରି ପୁଣି ସରକାର ଗଢ଼ିବାକୁ ଚେଷ୍ଟା ଚଳାଇଛି ।

Comments are closed.