Latest Odisha News

BREAKING NEWS

ଏବେ ନେପାଳରେ ଚାଲିବ ୨୦୦ ଓ ୫୦୦ ଭାରତୀୟ ନୋଟ୍, ସେଠାରେ କେତେ ହୋଇଯିବ ଏହାର ଭେଲ୍ୟୁ

ନୂଆଦିଲ୍ଲୀ: ପ୍ରତିବର୍ଷ ହଜାର ହଜାର ଭାରତୀୟ ନେପାଳ ବୁଲିବାକୁ ଯାଆନ୍ତି ଏବଂ ବଡ଼ ସଂଖ୍ୟାରେ ଲୋକେ ସେଠାରେ କାମ ଓ ବ୍ୟବସାୟ ମଧ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ନେପାଳ ସରକାର ପ୍ରାୟ ୧୦ ବର୍ଷ ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନେପାଳ ଏବେ ୧୦୦ରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ଉପରେ ଲଗାଇଥିବା ନିଷେଧାଦେଶ ହଟାଇ ଦେଇଛି। ବର୍ତ୍ତମାନ ଭାରତୀୟ ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ନିର୍ଦ୍ଦିଷ୍ଟ ସୀମା ଭିତରେ ନେପାଳରେ ରଖାଯାଇପାରିବ। ଯାହା ଭାରତ ଓ ନେପାଳ ମଧ୍ୟରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର। ଏହି ମଧ୍ୟରେ ଆସନ୍ତୁ ଜାଣିବା ଯେ ନେପାଳରେ ୨୦୦ ଓ ୫୦୦ ଟଙ୍କିଆ ଭାରତୀୟ ନୋଟ୍ ଚଳିବ, କିନ୍ତୁ ସେଠାରେ ସେଗୁଡ଼ିକର ମୂଲ୍ୟ କେତେ ହୋଇଥାଏ।

ଭାରତୀୟମାନେ ନେପାଳକୁ କେତେ ଟଙ୍କା ନେଇଯାଇପାରିବେ?

ନେପାଳ ସରକାରଙ୍କ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ଏବେ କୌଣସି ବ୍ୟକ୍ତି ୨୦୦ରୁ ୫୦୦ ଟଙ୍କିଆ ଭାରତୀୟ ନୋଟ୍ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ନିଜ ପାଖରେ ରଖିପାରିବେ। ଏହି ନିୟମ ଭାରତୀୟ ଏବଂ ନେପାଳୀ ଉଭୟ ନାଗରିକଙ୍କ ଉପରେ ଲାଗୁ ହେବ। ଅର୍ଥାତ୍ ଏବେ ଭାରତରୁ ନେପାଳ ଯାଉଥିବା ସମୟରେ କିମ୍ବା ନେପାଳରୁ ଭାରତ ଫେରୁଥିବା ବେଳେ ବଡ଼ ନୋଟ୍ ରଖିବା ଅବୈଧ ହେବ ନାହିଁ। କେବଳ ନିର୍ଦ୍ଦିଷ୍ଟ ସୀମାର ଧ୍ୟାନ ରଖିବା ଜରୁରି। ଅନ୍ୟପଟେ ନେପାଳର ଏହି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ପରିଚାଳନା ନିୟମରେ ପରିବର୍ତ୍ତନ ପରେ ଆସିଛି। ନୂଆ ନିୟମ ଅନୁଯାୟୀ ଭାରତୀୟ, ନେପାଳୀ ଏବଂ ଭୂଟାନୀ ନାଗରିକମାନେ ଏବେ ଭାରତ ଆସା-ଯାଆ କରିବା ସମୟରେ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ନିଜ ସାଙ୍ଗରେ ରଖିପାରିବେ। ଏହାର ଅନୁରୂପରେ ନେପାଳ ସରକାର ମଧ୍ୟ ପୁରୁଣା ନିଷେଧାଦେଶଗୁଡ଼ିକ ହଟାଇ ଦେଇଛନ୍ତି।

 

ନୋଟବନ୍ଦୀ ପରେ ନେପାଳରେ ୧୦୦ରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ଉପରେ କଡ଼ା ନିଷେଧାଦେଶ ଲଗାଯାଇଥିଲା। ଏହାର ସବୁଠାରୁ ଅଧିକ ପ୍ରଭାବ ସେହି ନେପାଳୀ ଶ୍ରମିକମାନଙ୍କ ଉପରେ ପଡ଼ିଥିଲା, ଯେଉଁମାନେ ଭାରତରେ କାମ କରନ୍ତି। ସେମାନଙ୍କୁ କମ୍ ମୂଲ୍ୟର ନୋଟ୍ ଟଙ୍କା ନେବାକୁ ପଡ଼ୁଥିଲା। ଯାହାଫଳରେ ଚୋରି ବିପଦ ଅଧିକ ରହୁଥିଲା। ଅନେକ କ୍ଷେତ୍ରରେ ଲୋକେ ଅଜାଣତରେ ନିୟମ ଭାଙ୍ଗିବାରୁ ଜରିମାନା କିମ୍ବା ଜେଲ୍ ପର୍ଯ୍ୟନ୍ତ ପହଞ୍ଚି ଯାଉଥିଲେ। ଅନ୍ୟପଟେ ଭାରତୀୟ ପର୍ଯ୍ୟଟକମାନେ ମଧ୍ୟ ଖୋଲାଖୋଲି ଖର୍ଚ୍ଚ କରିପାରୁ ନଥିଲେ, ଯାହାଫଳରେ ପର୍ଯ୍ୟଟନ କ୍ଷେତ୍ରକୁ କ୍ଷତି ହେଉଥିଲା। କିନ୍ତୁ ଏବେ ଏହି ନିଷ୍ପତ୍ତିରୁ ନେପାଳର ହୋଟେଲ, କ୍ୟାସିନୋ, ସୀମାନ୍ତ ଅଞ୍ଚଳ ଏବଂ ସ୍ଥାନୀୟ ବଜାରଗୁଡ଼ିକୁ ଲାଭ ମିଳିବ ବୋଲି ଆଶା କରାଯାଉଛି।

 

ପର୍ଯ୍ୟଟନ ସହ ଜଡ଼ିତ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ନିୟମଗୁଡ଼ିକ ଜଣା ନଥିବାରୁ ଅନେକ ଭାରତୀୟ ଅସୁବିଧାରେ ପଡ଼ୁଥିଲେ। ଏବେ ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ଚଳିବାରୁ ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀମାନେ ଅଧିକ ସହଜରେ ଲେଣଦେନ କରିପାରିବେ।

 

ଅନେକ ଲୋକେ ଭାବନ୍ତି ଯେ ଭାରତ ଓ ନେପାଳରେ ଟଙ୍କାର ମୂଲ୍ୟ ଏକାପରି ହେବ, କିନ୍ତୁ ଏହା ଠିକ୍ ନୁହେଁ। ନେପାଳ ରାଷ୍ଟ୍ର ବ୍ୟାଙ୍କ ଅନୁଯାୟୀ, ଗୋଟିଏ ଭାରତୀୟ ଟଙ୍କା ପ୍ରାୟ ୧.୬୦ ନେପାଳୀ ଟଙ୍କାର ସମାନ। ଅର୍ଥାତ୍ ୧୦୦ ଭାରତୀୟ ଟଙ୍କାର ମୂଲ୍ୟ ନେପାଳରେ ପ୍ରାୟ ୧୬୦ ନେପାଳୀ ଟଙ୍କା ହୋଇଥାଏ। ଯଦି ଆପଣ ବ୍ୟାଙ୍କ କିମ୍ବା ମିନି ଏକ୍ସଚେଞ୍ଜ କାଉଣ୍ଟରରୁ ଟଙ୍କା ବଦଳାନ୍ତି ତେବେ କିଛି ଚାର୍ଜ କଟାଯାଏ। ଏହି କାରଣରୁ ଭାରତୀୟ ଟଙ୍କା ବଦଳରେ ସାଧାରଣତଃ ୧୫୬ରୁ ୧୬୯ ନେପାଳୀ ଟଙ୍କା ହିଁ ମିଳିଥାଏ। ଅନ୍ୟପଟେ ଯଦି ଆପଣଙ୍କ ପାଖରେ ୨୦୦ ଭାରତୀୟ ଟଙ୍କା ଅଛି ତେବେ ନେପାଳରେ ତାହାର ମୂଲ୍ୟ ପ୍ରାୟ ୩୨୦ ନେପାଳୀ ଟଙ୍କା ହୋଇଥାଏ। ବ୍ୟାଙ୍କ କିମ୍ବା ଏକ୍ସଚେଞ୍ଜରୁ ବଦଳାଇଲେ ଏହି ରାଶି ପ୍ରାୟ ୩୧୨ରୁ ୩୧୮ ନେପାଳୀ ଟଙ୍କା ପର୍ଯ୍ୟନ୍ତ ମିଳିପାରେ। ସେହିଭଳି ୫୦୦ ଭାରତୀୟ ଟଙ୍କାର ମୂଲ୍ୟ ନେପାଳରେ ପ୍ରାୟ ୮୦୦ ନେପାଳୀ ଟଙ୍କା ହୋଇଥାଏ ଏବଂ ଏକ୍ସଚେଞ୍ଜ ଚାର୍ଜ ପରେ ଏହି ରାଶି ପ୍ରାୟ ୭୮୦ରୁ ୭୯୫ ନେପାଳୀ ଟଙ୍କା ମଧ୍ୟରେ

ମିଳିଥାଏ।

Leave A Reply

Your email address will not be published.