Latest Odisha News

BREAKING NEWS

ନବରଙ୍ଗପୁରରୁ ଭାୟା ବୈଶିଙ୍ଗା ଦେଇ ରାଜସ୍ଥାନରୁ ଚଳାଉଥିଲେ ରାକେଟ୍, ଟାର୍ଗେଟରେ ଥିଲା ୪ ରାଜ୍ୟ

ଭୁବନେଶ୍ୱର: ୨ ଜଣ ସାଇବର ଅଭିଯୁକ୍ତ, ୪ ରାଜ୍ୟରେ କରୁଥିଲେ ଅନଲାଇନ୍ ଲୁଟ୍ । ଏମାନଙ୍କ ଟାର୍ଗେଟରେ ଥିଲା ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ । ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ରାଜସ୍ଥାନ ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଅଲୱରର ରାମଗଡ଼ରୁ ଗିରଫ କରିଛି ।

ଗିରଫ ୨ ଅଭିଯୁକ୍ତ ଲୋକଙ୍କୁ ଓଏଲଏକ୍ସ, ମିଛ ଚାକିରି, ବିଲିଂ ଏବଂ ଆପତ୍ତିଜନକ ଦୃଶ୍ୟ କଏଦ କରି ଟଙ୍କା ଆଦାୟ କରୁଥିଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି ମହମୁଦ ଖାନ ଓ ମୁନଫେଦ ଖାନ । ଇଓଡବ୍ଲୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି । ଏହି ସାଇବର ଲୁଟେରା ଗ୍ରୁପ୍ ଲୁଟ୍ ପାଇଁ ୨୦୦୦ରୁ ଅଧିକ ଆକାଉଣ୍ଟ ଖୋଲିଥିଲେ ।

ଆଉ ଏହି ବେନାମୀ ଆକାଉଣ୍ଟ ସାହାଯ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଆସାମର ଲୋକଙ୍କୁ ଟାର୍ଗେଟ୍ କରୁଥିଲେ । ଏହି ମାମଲାର ତଦନ୍ତ କରି ଇଓଡବ୍ଲୁ ମୟୂରଭଞ୍ଜ ବୈଶିଙ୍ଗାର ଅନିଲ ଖିଲରଙ୍କୁ ଗିରଫ କରିଛି । ଅନିଲ, ଦୁଇ ଅଭିଯୁକ୍ତଙ୍କ ସ୍କାମ ଲାଗି ସିମ୍ କାର୍ଡ ଯୋଗାଇ ଦେଉଥିଲା । ପ୍ରାୟ ୧୨୦୦ ସିମ୍ କାର୍ଡ ଅନିଲ ଦୁହିଁଙ୍କୁ ଦେଇଥିବା ଜଣାପଡ଼ିଛି ।

ନବରଙ୍ଗପୁର ଲିଙ୍କ୍

ବିଭିନ୍ନ ଲୋକଙ୍କୁ ଟଙ୍କା ଲୋଭ ଦେଖାଇ ସାଇବର ଲୁଟେରା ଜାଲରେ ଫସାଉଥିଲେ । ନବରଙ୍ଗପୁରରୁ ଏକ ଅଭିଯୋଗ ହୋଇଥିଲା । ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ଆକାଉଣ୍ଟ ଖୋଲି ବ୍ୟକ୍ତିଙ୍କ ଅଜାଣତରେ ସାଇବର ଲୁଟେରା କାରବାର କରୁଥିଲେ ।

ଆଉ ଏଭଳି କାରବାରରେ ନବରଙ୍ଗପୁରର କିଛି ସ୍ଥାନୀୟ ଯୁବକଙ୍କ ସହ ଗ୍ରାମୀଣ ଡାକ ସେବକ ଓ ଅଭିଯୁକ୍ତ ସମ୍ପୃକ୍ତ । ଅନେକ ବ୍ୟକ୍ତିଙ୍କ ଆଧାର, ପାନ କାର୍ଡ ଓ ଫଟୋଗ୍ରାଫ ଦେଇ ଏମାନେ ଏକାଧିକ ନକଲି ଆକାଉଣ୍ଟ କରି ସେମାନଙ୍କ ଅଜାଣତରେ ଲୁଟ୍ କରୁଥିଲେ । ଆଉ ଏସବୁ ନକଲି ଆକାଉଣ୍ଟରେ ଯାହା ବି ଦେଣନେଣ ହେଉଥିଲା ସବୁ ଅଭିଯୁକ୍ତଙ୍କ ପାଖକୁ ଯାଉଥିଲା ।

ତଦନ୍ତ ବେଳେ ସମ୍ପୃକ୍ତି ଜଣା ପଡ଼ିବା ପରେ ଇଓଡବ୍ଲୁ ନବରଙ୍ଗପୁରର ସ୍ଥାନୀୟ ୫ ଜଣଙ୍କୁ ଗିରଫ କରିଛି । ରାଜସ୍ଥାନରୁ ଗିରଫ ଅଭିଯୁକ୍ତ ଗୋଟିଏ ନକଲି ଆକାଉଣ୍ଟ ଲାଗି ୨ ହଜାର ଟଙ୍କା ଦେଉଥିବା ଜଣାପଡ଼ିଛି । ୫ ଜଣଙ୍କୁ ଗିରଫ ପରେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏବଂ ନମ୍ବରକୁ ଟ୍ରେସ୍ କରି ଇଓଡବ୍ଲୁ ରାଜସ୍ଥାନରୁ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏଭଳି ଭାବେ ଅଭିଯୁକ୍ତ ନବରଙ୍ଗପୁର ପୋଷ୍ଟ ଅଫିସରେ ଖୋଲା ଯାଇଥିବା ବିଭିନ୍ନ ଆକାଉଣ୍ଟରେ ୬୨ ଲକ୍ଷ ଟଙ୍କା ଆୟ କରିଛନ୍ତି ।

ନବରଙ୍ଗପୁର ପୋଷ୍ଟ ଅଫିସ୍ ଜମା ଖାତାକୁ ବାଦ୍ ଦେଲେ ଏହି ଗ୍ୟାଙ୍ଗ ଓଡ଼ିଶା ଓ ପଶ୍ଚିମବଙ୍ଗରୁ ୩ ଶହ ଟଙ୍କା ଦେଇ ସିମ୍ କାର୍ଡ କିଣୁଥିଲେ । ଅଲୱାରରେ ଏହି ନକଲି ସିମରେ କାରବାର ପରେ ଏହାକୁ ହଜାରେ ଟଙ୍କାରେ ଫ୍ରଡ୍ ପାଇଁ ବିକ୍ରି କରୁଥିଲେ ଗିରଫ ଅଭିଯୁକ୍ତ ।

ଫେସବୁକ, ହ୍ୱାଟ୍ସଆପରେ ସ୍କାମ୍

ସାଇବର ଅଭିଯୁକ୍ତ ସେମାନଙ୍କ ହ୍ୱାଟ୍ସଆପ୍ ନମ୍ବରକୁ ପେଜ୍ ସହ ସଂଯୋଗ କରି ଫେସବୁକରେ କଏନ ବିକ୍ରି ପାଇଁ ବିଜ୍ଞାପନ ଦେଉଥିଲେ । ଆଉ ଫେସବୁକ୍ ପୋଷ୍ଟ କମେଣ୍ଟ ବକ୍ସରେ ଲୋକେ ଲେଖୁଥିବା ମୋବାଇଲ୍ ନମ୍ବରରେ ଯୋଗାଯୋଗ କରି ସ୍କାମର ଲୁଟ୍ କରୁଥିଲେ ।

ଟଙ୍କା ଦେଇ ଖୋଲୁଥିଲେ ଆକାଉଣ୍ଟ

ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ସହ ଅନ୍ୟ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ନିରୀହ ଲୋକଙ୍କୁ କଥାରେ ଭୁଲାଇ ସେମାନଙ୍କ ନାଁରେ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲୁଥିଲେ ଅଭିଯୁକ୍ତ । ଆଉ ଏଥିପାଇଁ ୨୦୦୦ ଟଙ୍କା ଦେବା ସହ ଉକ୍ତ ଆକାଉଣ୍ଟରେ ଲୁଟ୍ ବ୍ୟବସାୟ କରୁଥିଲେ । ଯେଉଁଥିରେ ପୂର୍ବରୁ କିଣିଥିବା ସିମ୍ କାର୍ଡ ନମ୍ବର ସଂଯୋଗ କରୁ ଓଟିପି ପାଉଥିଲେ ।

ଆକାଉଣ୍ଟରେ ଟଙ୍କା ଲୁଟ୍ ପରେ ସମାନ କାମ ପାଇଁ ପୁଣି ଥରେ ପୋଷ୍ଟ ଅଫିସ୍ ଜମା ଆକାଉଣ୍ଟ ପିଛା ୬ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଆଉ ଏସବୁ ଆକାଉଣ୍ଟ ପୁଣି ଥରେ ଓଏଲଏକ୍ସରୁ ନେଇ ବିଭିନ୍ନ ପ୍ରକାର ଫ୍ରଡ୍ ପାଇଁ ବ୍ୟବହାର ହେଉଥିଲା । ଇଓଡବ୍ଲୁ ଅଲୱରରୁ ୨ ଜଣଙ୍କୁ ଗିରଫ କରିବା ପରେ ଏଥିରେ ୧ ହଜାରରୁ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଅନୁମାନ କରୁଛି ।

Leave A Reply

Your email address will not be published.