Latest Odisha News

BREAKING NEWS

ଉପାନ୍ତରୁ ଆକାଶ: ଏକ ଯାତ୍ରାର ନାଁ ଅନୁପ୍ରିୟା

ଆଦିବାସୀ ଅଧ୍ୟୁଷିତ ଏବଂ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଆଦିବାସୀ ପରିବାରର ଝିଅ ଅନୁପ୍ରିୟା ମଧୁମିତା ଲାକ୍ରା । ପିଲାଟି ଦିନରୁ ପାଇଲଟ ହୋଇ ଉଡାଯାହାଜ ଉଡାଇବାର ସ୍ୱପ୍ନ ଦେଖିଥିଲେ ସେ । ସ୍ୱପ୍ନ କଣ ସେବେଠାରୁ ହିଁ ଏହାକୁ ଜୀବନର ଲକ୍ଷ୍ୟ କରି ଆଗକୁ ବଢିବାର ଦୃଢ଼ସଂକଳ୍ପ ନେଇଥିଲେ ଅନୁପ୍ରିୟା ।

ମାଲକାନଗିରିରେ ସ୍କୁଲ ଏବଂ କୋରାପୁଟର ସେମିଳିଗୁଡ଼ାରେ ଦ୍ୱାଦଶ ଶ୍ରେଣୀ ପଢା ସାରି ଇଂଜିନିୟରିଂ ଶିକ୍ଷାରେ ଯୋଗ ଦେଇଥିଲେ ସେ । ହେଲେ ପାଇଲଟ ହେବାର ନିଶା ଛାଡିନଥିଲା । ସ୍ୱପ୍ନ ଅଧୁରା ରହିଯାଇଥିବାରୁ ତାଙ୍କ ମନ ମାନିଲା ନାହିଁ । ସେଥିପାଇଁ ଇଂଜିନିୟରିଂ ପାଠପଢ଼ା ଅଧାରୁ ଛାଡିଦେଇ ପାଇଲଟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ସେ । ପୋଲିସ ବିଭାଗରେ ହାବିଲଦାର ଚାକିରୀ କରୁଥିବା ବାପା ମରିନିୟସ ଲାକ୍ରାଙ୍କୁ ନିଜ ଲକ୍ଷ୍ୟ ସମ୍ପର୍କରେ ବୁଝାଇବାରେ ସଫଳ ହୋଇଥିଲେ ସେ । ପ୍ରବେଶିକା ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇ ଦୃଢମନା ଅନୁପ୍ରିୟା ୨୦୧୨ ରେ ଭୁବନେଶ୍ୱର ସ୍ଥିତ ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ କେନ୍ଦ୍ରରେ ନାମ ଲେଖାଇଥିଲେ । ଏଥିସହ ଆରମ୍ଭ ହୋଇଥିଲା ପିଲାଟି ଦିନରୁ ରହିଥିବା ନିଜ ଲକ୍ଷ୍ୟ ଆଡକୁ ବାସ୍ତବ ଯାତ୍ରା । ସେଠାରେ ଷ୍ଟାଇପେଣ୍ଡ ପାଇ ପାଠ ପଢିଥିଲେ ମଧ୍ୟ ସମ୍ପୂର୍ଣ୍ଣ ପଢା ଖର୍ଚ୍ଚ ତୁଲାଇବା ପାଇଁ ଯଥେଷ୍ଟ କଷ୍ଟ ସହିବାକୁ ପଡିଛି ତାଙ୍କ ପରିବାରକୁ ।

ପ୍ରଶିକ୍ଷଣ କେନ୍ଦ୍ରରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସରେ ପାଇଲଟ ଭାବେ ୨୦୧୯ ରେ ଯୋଗ ଦେଇଥିଲେ । ଏଥିସହିତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପ୍ରଥମ ମହିଳା ପାଇଲଟ ଭାବେ ରଚିଥିଲେ ଏକ ନୂତନ ଗୌରବମୟ ଇତିହାସ ।

ଦୃଢ଼ ଇଛାଶକ୍ତି, କିଛି କରିଦେଖାଇବାର ପ୍ରଚେଷ୍ଟା ଯୋଗୁଁ ଏକ ସଂଘର୍ଷଶୀଳ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ଅନୁପ୍ରିୟା ଏବେ ମାଲକାନଗିରି ତଥା ସାରା ରାଜ୍ୟ ପାଇଁ ଗୌରବ । ଏବେ ଅନୁପ୍ରିୟା ଅନ୍ୟ ସମସ୍ତ ଆଦିବାସୀ ଯୁବପିଢ଼ି ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

Leave A Reply

Your email address will not be published.