Latest Odisha News

BREAKING NEWS

ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶାରେ ଲାଗୁ ହେବ ବଡ଼ ଯୋଜନା

ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବାକୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୫ ହଜାରରୁ ଅଧିକ ଲୋକ ଆସିବେ । ଏଥିପାଇଁ ବିରାଟ ସଭାସ୍ଥଳ ପ୍ରସ୍ତୁତ କରାଯାଇଛି । ଆଜି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି. ସିଂଦେଓ ।

ଏହି ଅବସରରେ ଉଭୟ କଟକ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶସାନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ କାର୍ଡ ବଣ୍ଟନ ଆରମ୍ଭ କରିବେ । ଏହି ଉତ୍ସବରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବୀନି ବୈଷ୍ଣବଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦେବେ ।

ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ରାଜ୍ୟର ୧ ହଜାର ୪୦୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯିବ ଏବଂ ସେଠାରେ ମଧ୍ୟ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ତେବେ ଏହି ଯୋଜନାରେ ୩ କୋଟି ୪୬ ଲକ୍ଷ ହିତାଧିକାରୀ ଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ଘରକୁ ଘର ବୁଲି ପ୍ରତିଟି ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ ।ସେପଟେ ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ଏବଂ ୧୧.୩୦ ରୁ ୪.୩୦ ପର୍ଯ୍ୟନ୍ତ ଯୋବ୍ରା ବ୍ୟାରେଜରୁ ବେଲ-ଭିୟୁ ଛକ ମଧ୍ୟରେ ଟ୍ରାଫିକ କଟକଣା ରହିବ ବୋଲି କହିଛନ୍ତି କଟକ ଡିସିପି ।

Comments are closed.