ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ଦମ୍ପତିମାନେ କ’ଣ ‘ମାଆ’ ବା ‘ବାପା’ ପରିବର୍ତ୍ତେ କେବଳ ‘ମାତାପିତା’ ଭାବେ ପରିଚିତ ହେବାର ଅଧିକାର ରଖନ୍ତି? ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ କେରଳ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛି, ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। କୋର୍ଟ କୋଝିକୋଡ ମୁନିସିପାଲ କର୍ପୋରେସନକୁ ନିର୍ଦେଶ ଦେଇଛନ୍ତି ଯେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ମାତାପିତାଙ୍କ ପାଇଁ ଏକ ନୂଆ ଜନ୍ମ ପ୍ରମାଣପତ୍ର ଜାରି କରାଯାଉ। ଯେଉଁଥିରେ ପାରମ୍ପରିକ ‘ବାପା’ ଓ ‘ମାଆ’ ପରିବର୍ତ୍ତେ କେବଳ ‘ମାତାପିତା’ ଶବ୍ଦ ବ୍ୟବହୃତ ହେବ।
ଏହି ନିର୍ଦେଶ କେରଳର କୋଝିକୋଡ ନିବାସୀ ଜାହଦ ଓ ଜିୟାଙ୍କ ଆବେଦନ ଉପରେ ଆଧାରିତ। ସେମାନେ ଦାବି କରିଛନ୍ତି ଯେ ସେମାନେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ମାତାପିତା। ମୂଳ ଜନ୍ମ ପ୍ରମାଣପତ୍ରରେ ଜିୟାଙ୍କୁ ‘ବାପା’ ଓ ଜାହଦଙ୍କୁ ‘ମାଆ’ ଭାବେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସମାଜରେ ସେମାନଙ୍କ ଲିଙ୍ଗ ପରିଚୟ ଏହାଠାରୁ ଭିନ୍ନ। ଜାହଦ, ଯିଏ ଶିଶୁର ଜୈବିକ ଜନ୍ମଦାତା, ବର୍ଷ ବର୍ଷ ଧରି ପୁରୁଷ ଭାବେ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷେ, ଜିୟା, ଯିଏ ସାମାଜିକ ଭାବେ ମହିଳା ଭାବେ ପରିଚିତ, ତାଙ୍କୁ ଆଇନଗତ ଦଲିଲରେ ‘ବାପା’ ଭାବେ ଚିହ୍ନିତ କରାଯାଇଥିଲା।
କୋର୍ଟଙ୍କ ମତ କ’ଣ?
କେରଳ ହାଇକୋର୍ଟ ମାନିଛନ୍ତି ଯେ କୌଣସି ବ୍ୟକ୍ତିର ଲିଙ୍ଗ ପରିଚୟକୁ ଉପେକ୍ଷା କରିବା ମାନବ ଗୌରବର ଅଧିକାରର ଉଲ୍ଲଙ୍ଘନ କରୁଛି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜନ୍ମ ପ୍ରମାଣପତ୍ର ଭଳି ଦଲିଲରେ ମାତାପିତାଙ୍କୁ ‘ମାଆ’ ବା ‘ବାପା’ ଭାବେ ସୀମିତ କରିବା ପରିବର୍ତ୍ତେ ‘ମାତାପିତା’ ଶବ୍ଦକୁ ବିକଳ୍ପ ଭାବେ ବ୍ୟବହାର କରାଯିବା ଉଚିତ। ଏହା ଦ୍ୱାରା ସମସ୍ତ ପ୍ରକାରର ପରିବାରଙ୍କୁ ସମ୍ମାନ ମିଳିପାରିବ ବୋଲି କୋର୍ଟ ମତ ଦେଇଛନ୍ତି ।
ବିଦେଶରେ ଏହି ବ୍ୟବସ୍ଥା
ଜାହଦ ଓ ଜିୟା କୋର୍ଟଙ୍କୁ ଜଣାଇଥିଲେ ଯେ ଅନେକ ବିକଶିତ ଦେଶରେ ଏହି ବିକଳ୍ପ ପୂର୍ବରୁ ଉପଲବ୍ଧ। ସେଠାରେ ସମଲିଙ୍ଗୀ ଓ ଟ୍ରାନ୍ସଜେଣ୍ଡର ଦମ୍ପତିମାନଙ୍କୁ ‘ମାଆ’, ‘ବାପା’ ବା ‘ମାତାପପିତା’ ମଧ୍ୟରୁ ଗୋଟିଏ ବାଛିବାର ସ୍ୱାଧୀନତା ଦିଆଯାଇଛି। ଉଦାହରଣ ସ୍ୱରୂପ, କାନାଡା, ଅଷ୍ଟ୍ରେଲିଆ, ଓ ନିଉଜୀଲାଣ୍ଡ ଭଳି ଦେଶରେ ଏହି ବ୍ୟବସ୍ଥା ରହିଛି, ଯାହା ଲିଙ୍ଗ ବୈଚିତ୍ର୍ୟକୁ ସମ୍ମାନ ଦେବା ସହ ପରିବାରଙ୍କ ଅଧିକାର ସୁରକ୍ଷା କରେ।
Comments are closed.