ନୂଆଦିଲ୍ଲୀ: କିଏ ଅଧିକ ପାଠୁଆ ନୀତୀଶ ନା ଲାଲୁ । ବିହାର ରାଜନୀତିର କଥା ଆସିଲେ ଏହି ଦୁଇ ନେତାଙ୍କ ନାଁ ସବୁବେଳେ ଥାଏ ଆଗରେ । ଏମିତିକି କୁହାଯାଏ ଯେ ଏହି ନେତାଙ୍କ ବିନା ବିହାର ରାଜନୀତି ଅସମ୍ଭବ। ବର୍ତ୍ତମାନ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ, ଅନ୍ୟପକ୍ଷରେ ଲାଲୁ ଯାଦବ ମଧ୍ୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ । କିନ୍ତୁ ବେଳେ ବେଳେ ଏହି ଦୁଇ ନେତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ହୁଏ ଆଲୋଚନା।
ଲାଲୁଙ୍କଠୁ ଅଧିକ ପଢ଼ୁଆ ନୀତୀଶ । ଏକ ସାଧାରଣ ପରିବାରରୁ ଜନ୍ମ ଗ୍ରହଣ କରିଥିବା ନୀତୀଶ ପ୍ରାରମ୍ଭିକ ଶିକ୍ଷା ସ୍ଥାନୀୟ ବିଦ୍ୟାଳୟରୁ ଆରମ୍ଭ କରିଥିଲେ। ପରେ ସେ ବିହାର କଲେଜ ଅଫ୍ ଇଞ୍ଜିନିୟରିଂ ଯାହା ବର୍ତ୍ତମାନ NIT ପଟନାରେ ନାମ ଲେଖାଇଥିଲେ ଏବଂ ୧୯୭୨ ମସିହାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। କଲେଜ ସମୟରେ ହିଁ ନୀତୀଶ କୁମାର ଛାତ୍ର ରାଜନୀତିରେ ସକ୍ରିୟ ହୋଇଥିଲେ। ଡିଗ୍ରୀ ଶେଷ କରିବା ପରେ ସେ କିଛି ସମୟ ବିହାର ରାଜ୍ୟ ବିଦ୍ୟୁତ ବୋର୍ଡରେ କାମ କରିଥିଲେ, ପରେ ପରେ ସେ ରାଜନୀତିରେ ପାଦ ଦେଇଥିଲେ । ୧୯୭୦ ଦଶକରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ପ୍ରେରଣା ନେଇ ସେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ।
ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଶିକ୍ଷା, ନିଜଗାରୁ ହୋଇଥିଲା ଆରମ୍ଭ। ଗରିବ କୃଷକ ପରିବାରରୁ ଆସିଥିବା ଲାଲୁଙ୍କ ବାଲ୍ୟକାଳ ବେଶ୍ ଥିଲା ସଂଘର୍ଷପୂର୍ଣ୍ଣ, କିନ୍ତୁ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ବାଲ୍ୟକାଳରୁ ହିଁ ଥିଲା। ସେ ନିଜର ପ୍ରାରମ୍ଭିକ ଶିକ୍ଷା ଗାଁର ସରକାରୀ ବିଦ୍ୟାଳୟରୁ ହାସଲ କରିଥିଲେ ଏବଂ ଉଚ୍ଚଶିକ୍ଷା ପାଇଁ ପଟନାର ବି.ଏନ୍. କଲେଜରେ ନାମ ଲେଖାଇଥିଲେ, ଯେଉଁଠାରୁ ସେ ବି.ଏ. (ସ୍ନାତକ) ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ପଟନା ଲ’ କଲେଜରୁ ଏଲଏଲବି (LLB) ଡିଗ୍ରୀ ଗ୍ରହଣ କରିଥିଲେ। କଲେଜ ସମୟରେ ହିଁ ଲାଲୁ ପ୍ରସାଦ ଯାଦବ ଛାତ୍ର ରାଜନୀତିରେ ଅତ୍ୟନ୍ତ ସକ୍ରିୟ ହୋଇଥିଲେ। ପଟନା ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ମହାସଚିବ ଏବଂ ପରେ ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହି ଛାତ୍ର ରାଜନୀତି ହିଁ ତାଙ୍କୁ ଜନତା ମଧ୍ୟରେ ଲୋକପ୍ରିୟ କରିଥିଲା ଏବଂ ଏହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ହେବାରେ ସହାୟକ ହୋଇଥିଲା।
Comments are closed.