Latest Odisha News

ଜାଣନ୍ତୁ; ପୁରୀ ଶ୍ରୀକ୍ଷେତ୍ରକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ପୃଥିବୀରେ ଯେତେ ସଂସ୍କୃତି ରହିଛି ତନ୍ମଧ୍ୟରୁ ଭାରତୀୟ ସଂସ୍କୃତି ସର୍ବାଗ୍ରେ ବା ଶ୍ରେଷ୍ଠ ବିବେଚିତ ହୋଇ ଆସିଛି । ବ୍ୟାସଦେବଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥ ଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ତାହା ଭାରତୀୟ ସଂସ୍କୃତିକୁ ସଠିକ୍ ମାର୍ଗଦର୍ଶନ ଦେଇପାରିଛି । ଭାରତୀୟ ସଂସ୍କୃତିକୁ ପର୍ଯ୍ୟାଲୋଚନା କଲେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଶ୍ରେଷ୍ଠ ବିବେଚନା କରାଯାଇଥାଏ । ଉତ୍କଳୀୟ ସଂସ୍କୃତି ଭାବିଲେ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପ୍ରତିଛବି । ଉତ୍କଳର ଚାଲିଚଳନ, ଧର୍ମୀୟଧାରା, ପର୍ବପର୍ବାଣୀ ଆଦି ଶ୍ରୀଜଗନ୍ନାଥ ସଂସ୍କୃତି ସହ କେଉଁ କାଳରୁ ସମାନ୍ତରାଳ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମରି ଉତ୍କଳର ଧର୍ମ ଓ ବିଶ୍ୱାସର ପ୍ରାଣକେନ୍ଦ୍ର । ସମସ୍ତ ଓଡ଼ିଆଙ୍କ ଲାଗି ଶ୍ରୀକ୍ଷେତ୍ର ପୁରୀ ହିଁ ସ୍ୱର୍ଗ ତଥା ବୈକୁଣ୍ଠ ସମାନ ।

ପୁରୀର ବିଭିନ୍ନ ନାମ:

ଏହି ପୁରୀଧାମକୁ ଶ୍ରୀକ୍ଷେତ୍ର, ଶ୍ରୀଜଗନ୍ନାଥ ଧାମ, ନୀଳାଚଳ, ଶଙ୍ଖକ୍ଷେତ୍ର, ଭୌମକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଯମନୀକ ତୀର୍ଥ , ଉଡ୍ଡୀୟାନ ପୀଠ, ମର୍ତ୍ତ୍ୟ ବୈକୁଣ୍ଠ ଆଦି ନାମରେ ନାମିତ କରାଯାଇଛି । ଏ ସମ୍ବନ୍ଧରେ ବିଭିନ୍ନ ପୁରାଣରେ ମଧ୍ୟ କେତେକ ଉପାଖ୍ୟାନ ଦେଖିବାକୁ ମିଳେ ।

କବି ବନମାଳୀ ଦାସ ଥରେ ଗାଇଥିଲେ:

“ ମହାବାହୁ ଏହି କଥାରେ ମୋ ମନ
ନିତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜ ସୁନ୍ଦର ବଦନ “

ମହାଭାରତର ବନପର୍ବରେ ଲୋମଶ ମୁନି ଧର୍ମବୀର ଯୁଧିଷ୍ଠିରଙ୍କୁ ସମ୍ବୋଧନ କରି କହିଛନ୍ତି – “ହେ ମହାରାଜ, ତୁମ ସମ୍ମୁଖରେଥି ସାଗର ସଂଲଗ୍ନା ବେଦୀ ରୂପା ଧରିତ୍ରୀକୁ ଦର୍ଶନ କର । ଏହି ସାଗର ସଂଲଗ୍ନା ବେ ରୂପା ଧରିତ୍ରୀ କାଶ୍ୟପ ଋଷିଙ୍କ ଅନୁରୋଧ କ୍ରମେ ଆବିର୍ଭୂତା ହୋଇଛନ୍ତି । ଏହି ବେଦୀକୁ ଆରୋହଣ କରିବା ଅନୁସାରେ ପାଣ୍ଡବମାନେ ସେହି ମହାଦେବୀକୁ ଆରୋହଣ କଲେ । ସେହି ମହାଦେବୀ ହେଉଛି ‘ ନୀଳାଦ୍ରି ମଣ୍ଡପ ’ ।”

ପୁରୀ କାହିଁକି ?

ଶ୍ରୀକ୍ଷେତ୍ରକୁ ପୁରୀ କହିବାରେ କେତେକ କାରଣ ରହିଛି । ତନ୍ମଧ୍ୟରେ, ପ୍ରଥମ କାରଣ ହେଉଛି ଯେ ଏହି କ୍ଷେତ୍ରରେ ସମସ୍ତ ଦ୍ରବ୍ୟ ପରିପୂର୍ଣ୍ଣ ହୋଇ ରହିବା ସଙ୍ଗେ ସଙ୍ଗେ ଏହା ଚତୁର୍ବର୍ଗ ଫଳ ପ୍ରଦାନ କରେ ।

ତେଣୁ ଶ୍ରୀଚନ୍ଦ୍ରଚୂଡାମଣି ରାଜା ହରିଚନ୍ଦନ ଜଗଦେବ ପୁରୀ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି:

“ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଯହିଁ ।
ମର୍ତ୍ତ୍ୟ ମଧ୍ୟେ ବଇକୁଣ୍ଠ ଅବତୀର୍ଣ୍ଣ ତହିଁ।।”

ଏହାକୁ ପୁରୀ କହିବାର ଅନ୍ୟ ଏକ କାରଣ ହେଉଛି ଯେ ପ୍ରଭୁ ନୀଳାଦ୍ରିନାଥ ଜଗନ୍ନାଥଙ୍କ ନାମ ପୁରୁଷୋତ୍ତମରୁ ଭାଷାତାୟିକ ଦୃଷ୍ଟିରେ ଏହା ପୁରୀ ନାମରେ ପରିଚିତ ।

ଅଧିକ ପଢନ୍ତୁ: ଜାଣନ୍ତୁ, ମହାପ୍ରଭୁଙ୍କ ରୋଷଘରର ଆଶ୍ଚର୍ଯ୍ୟଜନକ କଥା !

ବିଭିନ୍ନ ପୁରାଣ ସଂହିତା, ଗୀତା, ଯାମଳ ଆଦି ଗ୍ରନ୍ଥରେ ଏହି ପୁରୁଷୋତ୍ତମ କ୍ଷେତ୍ରର ବିଭିନ୍ନ ନାମ ସମ୍ବନ୍ଧରେ କେତେକ କିମ୍ବଦନ୍ତୀ ମଧ୍ୟ ଦିଆ ଯାଇଛି ।

ତନ୍ତ୍ର ଯାମଳ ଆଦି ଅନେକ ପ୍ରାଚୀନ ଗ୍ରନ୍ଥରେ ଏହାକୁ ଭୂସ୍ୱର୍ଗ ରୂପେ ମଧ୍ୟ କଳ୍ପନା କରାଯାଇ କୁହା ଯାଇଛି:

“ଭାରତେ ଚୋତ୍କଳେ ଦେଶେ ଭୂସ୍ୱର୍ଗେ ପୁରୁଷୋତ୍ତମେ। 
ଦାରୁରୂପୀ ଜଗନ୍ନାଥୋ ଭକ୍ତାନାମଭୟପ୍ରଦଃ।।”

ସ୍କନ୍ଦ ପୁରାଣରେ ଉଲ୍ଲେଖ ହୋଇଛି ଯେ ମହାନଦୀର ଦକ୍ଷିଣବର୍ତ୍ତୀ ଓ ସାଗରର ଉତ୍ତରରେ ଥିବା ସ୍ଥାନ କ୍ରମେ କ୍ରମେ ଅତି ପବିତ୍ର:

“ସାଗରସୋରରେ ତୀରେ ମହାନଦୀସ୍ତୁ ଦକ୍ଷିଣେ ।
ପାଦାତ୍ ପାଦାତ୍ ଶ୍ରେଷ୍ଠତମ୍ଃ କ୍ରମଶଃ ପରିକୀର୍ତ୍ତିତମ୍ ।।”

କେବଳ ସ୍କନ୍ଦ ପୁରାଣ କାହିଁକି ବ୍ରହ୍ମ ପୁରାଣ ମଧ୍ୟ ଏହି କ୍ଷେତ୍ରର ପବିତ୍ରତା ସମ୍ବନ୍ଧରେ ଆଲୋକପାତ କରିଛି । ବ୍ରହ୍ମ ପୁରାଣ ଅନୁଯାୟୀ, ଏହି ପୁରୁଷୋତ୍ତମ କ୍ଷେତ୍ର ଭଳି ପବିତ୍ର କ୍ଷେତ୍ର ପୃଥିବୀରେ ଦୁର୍ଲଭ । ଏହା ଭୂସ୍ୱର୍ଗ ରୂପେ ଖ୍ୟାତ ଏବଂ ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ । ଏହି ବ୍ରହ୍ମପୁରାଣରେ ମଧ୍ୟ ଅନ୍ୟତ୍ର ଉଲ୍ଲେଖ ଅଛି ଯେ କଳ୍ପବଟ ଏବଂ ସମୁଦ୍ର ମଧ୍ୟବର୍ତ୍ତୀ ସ୍ଥାନରେ ମୋକ୍ଷ ପ୍ରାପ୍ତ ହୁଏ । ଯଥା –

ବଟସାଗରୟୋର୍ମଧେ ଯେ ତ୍ୟଜନ୍ତି କଳେବରମ୍ ।
ତେ ଦୁର୍ଲଭଂ ପରଂ ମୋକ୍ଷ ପ୍ରାପ୍ତବନ୍ତି ନ ସଂଶୟ ।।

ଅଧିକ ପଢନ୍ତୁ – ଅଣସରରେ କାହିଁକି ମହାପ୍ରଭୁ ଶ୍ରୀଅଲାରନାଥ ରୂପେ ଦିଅନ୍ତି ଦର୍ଶନ; ଜାଣନ୍ତୁ ପୌରାଣିକ କିମ୍ବଦନ୍ତୀ !

ମୋଟ ଉପରେ କହିବାକୁ ଗଲେ ଏହି ପୁରୁଷୋତ୍ତମ କ୍ଷେତ୍ର ବା ପୁରୀ ନିଜର ମାହାତ୍ମ୍ୟ ତଥା ପବିତ୍ରତା ଲାଗି ଯୁଗେ ଯୁଗେ ପ୍ରତିଷ୍ଠା ଲାଭ କରିବା ସଙ୍ଗେ ସଙ୍ଗେ ପ୍ରସିଦ୍ଧି ଲାଭ କରି ଶ୍ରେଷ୍ଠ ହୋଇ ପାରିଛି ।

ପୁରୀର ଅବସ୍ଥିତି:

ପୁରୀ ବଙ୍ଗୋପସାଗରର ବେଳାଭୂମିରେ ଅବସ୍ଥିତ । ଏହାର ଉତ୍ତର ଓ ପୂର୍ବରେ ରାହାଙ୍ଗ ପ୍ରଗଣା, ଦକ୍ଷିଣରେ ଚିଲିକା ହ୍ରଦ, ପଶ୍ଚିମରେ ଚବିଶ କୁଦ ପ୍ରଗଣା ଏବଂ ପୂର୍ବରେ ବଙ୍ଗୋପସାଗର ଅଛି । ରେଳଗାଡି ଦ୍ଵାରା କଲିକତାରୁ ପୁରୀ ୪୬୬ କିଲୋମିଟର ଏବଂ ଭୁବନେଶ୍ବରରୁ ବସ୍ ଦ୍ଵାରା ୬୦ କିଲୋମିଟର ।

ପୁରୁଷୋତ୍ତମ ମାହାତ୍ମ୍ୟରେ ଏହି କ୍ଷେତ୍ରର ଆୟତନ ସମ୍ବନ୍ଧରେ କୁହାଯାଇଛି:

ପଞ୍ଚକ୍ରୋଶମିଦଂ କ୍ଷେତ୍ରଂ ସମୁଦ୍ରାନ୍ତବ୍ୟବସ୍ଥିତଃ |
ଦ୍ବିକ୍ରୋଶଂ ତୀର୍ଥରାଜସ୍ୟ
ତଟଭୂମୌ ସୁନିର୍ମଳମ୍ ||

ଶ୍ରୀଜଗନ୍ନାଥଙ୍କ ପରିଚୟ – ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଆଦି ଗ୍ରନ୍ଥରେ ଏହି ନୀଳାଚଳ ବିହାରୀ ଜଗନ୍ନାଥଙ୍କ ସମ୍ବନ୍ଧରେ କେତେକ ଉପାଖ୍ୟାନ ବର୍ଣ୍ଣନା କରାଯାଇଅଛି ।

ଇନ୍ଦ୍ରଭୂତି ସ୍ବରଚିତ ‘ ଜ୍ଞାନସିଦ୍ଧି ’ ଗ୍ରନ୍ଥରେ ଜଗନ୍ନାଥଙ୍କୁ ବନ୍ଦନା କରି ଉଲ୍ଲେଖ କହିଛନ୍ତି:

“ପ୍ରଣିପତ୍ୟ ଜଗନ୍ନାଥ୍ୟ ସର୍ବଜନବରାର୍ଚ୍ଚିତଂ |
ସର୍ବବୁଦ୍ଧମୟଂ ସିଦ୍ଧିବ୍ୟାପିନଂ ଗଗନୋପମମ୍”

ଏଥିରୁ ଜଣାଯାଏ ଖ୍ରୀଷ୍ଟ୍ରୀୟ ଅଷ୍ଟମ ଶତାବ୍ଦୀର ଆଦ୍ୟଭାଗରେ ତାନ୍ତ୍ରିକ ବୌଦ୍ଧ ଧର୍ମର ଇଷ୍ଟଦେବତା ରୂପେ ଶ୍ରୀଜଗନ୍ନାଥ ସ୍ଥାନ ପାଇଥିଲେ । କିନ୍ତୁ, ସେ ପୁରୁଷୋତ୍ତମ ଭାବରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ପ୍ରସିଦ୍ଧି ଲାଭ କରିଛନ୍ତି ।

କାରଣ ଗୀତାରେ କୁହାଯାଇଛି:

ଯସ୍ମାତ୍ କ୍ଷରମତୀତୋହଂ ଅକ୍ଷରାଦପି ଚୋତ୍ତମ ।
ଅତୋହଂ ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋତ୍ତମ |

ଅର୍ଥାତ୍ ଯେହେତୁ ମୁଁ କ୍ଷରର ଅତୀତ ବା ଉପରେ ଏବଂ ଅକ୍ଷରଠାରୁ ମଧ୍ୟ ଉତ୍ତମ ସେହି ହେତୁ ପୁରାଣାଦି ଲୌକିକ ଶାସ୍ତ୍ରରେ ଓ ବେଦାଦିରେ ପୁରୁଷୋତ୍ତମ ବୋଲି ବିଖ୍ୟାତ । କେବଳ ସେତିକି ନୁହେଁ ଅନର୍ଘରାଘବ ଓ ପ୍ରବୋଧଚଦ୍ରୋଦୟ ଆଦି ସଂସ୍କୃତ ନାଟକରେ ଶ୍ରୀଜଗନ୍ନାଥ ଓ ପୁରୁଷୋତ୍ତମଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଛି । ଏହି ଦୁଇ ସଂସ୍କୃତ ନାଟକ ମଧ୍ୟ ବହୁତ ପ୍ରାଚୀନ । ଏହି ନୀଳାଦ୍ରି ବିହାରୀ ପତିତପାବନ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ଧର୍ମାବଲମ୍ବୀ ନିଜ ନିଜ ଧର୍ମର ଇଷ୍ଟଦେବତା ରୂପେ ଗ୍ରହଣ କରିଛନ୍ତି ।

ଏହି ଜଗନ୍ନାଥଙ୍କୁ ଭକ୍ତମାନଙ୍କର କ ବୃକ୍ଷ, ସିଦ୍ଧମାନଙ୍କର ଯୋଗମୂର୍ତ୍ତି, ଶୈବମାନଙ୍କର ଭୈରବ ବା ଶିବ, ଶାକ୍ତମାନଙ୍କର ଶକ୍ତି, ବୌଦ୍ଧମାନଙ୍କର ବୁଦ୍ଧ ଏବଂ ଜୈନମାନଙ୍କର ଋଷଭ ରୂପେ କଳ୍ପନା କରାଯାଇ କୁହାଯାଇଛି:

ଯେ ଦାରୁବ୍ରହ୍ମମୂର୍ତ୍ତୀ ପ୍ରଣବତନୁଧର ସର୍ବବେଦାନ୍ତସାରୀ ।
ଭକ୍ତାନାଂ କଳ୍ପବୃକ୍ଷେ ଭବଜଳତରଣି ସର୍ବସତ୍ତ୍ବାନୁତତ୍ତ୍ବମ୍ ।
ସିଦ୍ଧାନାଂ ଯୋଗମୂର୍ତ୍ତି ହରିହରନୁମିତଃ ଶ୍ରୀପତିବୈଷ୍ଣବାନାମ୍ ।
ଶୈବାନାଂ ଭୈରବୋ ଯଃ ସତତସୁବିଦିତଃ ଶାକ୍ତତତ୍ତ୍ବେ ଚ ଶକ୍ତିଃ ।
ବୌଦ୍ଧାନାଂ ବୁଦ୍ଧମୂର୍ତ୍ତୀ ରଷଭମୁନିବରୋ ଜୈନସିଦ୍ଧାନ୍ତସାରେ ।
ସୋୟଂ ନୀଳାଦ୍ରିନାଥଃ ଭବଭୟହରଣଃ ମାଧବଃ ପାତୁ ନିତ୍ୟମ୍ ||

ମାର୍କଣ୍ଡେଶ୍ୱର ସାହି, ରାଧାଗୋବିନ୍ଦ ଲେନ୍‌, ପୁରୀ  ମୋ – ୯୮୬୧୩୩୨୪୩୪
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.