Latest Odisha News

ଜୀବନର ଦୁଃଖ ଓ ଯନ୍ତ୍ରଣା ମତେ କବିତା ମନସ୍କ କରିଛି : ବୀରେନ୍ଦ୍ର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ବୀରେନ୍ଦ୍ର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ପିଲାବେଳୁ ହିଁ ମୋର ସାହିତ୍ୟରେ ଯଥେଷ୍ଟ ରୁଚିଥିଲା । ସାହିତ୍ୟ ବହି ମୋର ପ୍ରିୟ ବହି ଥିଲା ।ଆମବେଳେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସାହିତ୍ୟ ବହିରେ କବି ପରିଚୟ ନଥାଏ। କିନ୍ତୁ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ବେଳେ ଏଇ କବି ପରିଚୟ ପଢିଲା ବେଳେ ମୋର ଭାରି ଈର୍ଷା ହେଲା ଯାହାଫଳରେ କି ମୁଁ ମୋ ସାହିତ୍ୟ ବହିର ସବୁ କବି ଓ ଲେଖକମାନଙ୍କ ନାମ ଠିକଣା ଓ ପରିଚୟ ଗାରେଇଦେଇ ମୋ ନିଜର ନାଁ ଠିକଣା ଓ ପରିଚୟ ଲେଖିଦେଲି । ଏବଂ ପରବର୍ତ୍ତୀ ସମୟରେ ସାରଙ୍କ ହାତରେ ଧରାପଡି ଅନେକ ମାଡ଼ ମଧ୍ୟ ଖାଇଲି ଏବଂ ସାର୍ କଟାକ୍ଷ କରି କହିଥିଲେ- “ଏତେ ଯଦି କବି ହେବାର ଇଛା ତେବେ ନିଜେ ଲେଖ୍” । ସେବେଠାରୁ ମୁଁ ଜିଦ୍ଦି ଧରି ବସିଲି ଯେ ମୁଁ ଲେଖିବି । ହେଲେ ଯେମିତି ସେମିତି ସ୍କୁଲ ଜୀବନ କଟିଗଲା ମାତ୍ର ଲେଖି ପାରିଲି ନାହିଁ।ହେଲେ ରେଭେନ୍ସାରେ ପଢିଲାବେଳେ କବି ସ୍ମୃତି ରଞ୍ଜନ ସେଠୀ ଭାଇଙ୍କୁ ମୋ ରୁମ୍‌ମେଣ୍ଟ୍‌ ଭାବେ ପାଇଲି । ଯାହାଫଳରେ କି ମୋ ଇଛାଶକ୍ତି ଆହୁରି ବଢିଗଲା । ମୁଁ ତାଙ୍କ ବହିଥାକରୁ ଅନେକ କବିତା ବହି ଆଣି ପଢିବସେ। ଧିରେଧିରେ ନିଜେ ଲେଖିବା ଆରମ୍ଭ କରିଥିଲି ସ୍ମୃତି ଭାଇଙ୍କ ତତ୍ବାବଧାନରେ ‌। ମୁଁ ବିଶ୍ବାସ କରେ ଯିଏ ଯାହା କରିବାକୁ ଚାହୁଁଥିବ ବା ଯେଉଁଠି ପହଞ୍ଚିବାର ଥିବା ଭଗବାନ ତାକୁ ସେଇସେଇ ବାଟଦେଇ ଠିକ୍ ମଣିଷ ସହ ଭେଟ ବି କରେଇଦେବେ । ବାସ୍ ସେଇ ସମୟର ସଠିକ ସଦୁପଯୋଗ କରିବାର ଅଛି ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

୨୦୧୮ ରୁ ଅଦ୍ୟାବଧି ମୁଁ ଲେଖୁଛି। ହେଲେ ପ୍ରଥମେ ପ୍ରଥମେ ଲେଖିଲାବେଳେ ମୁଁ ଭାବୁଥିଲି -ମୁଁ ଯାହା ଲେଖୁଛି ଠିକ୍ ଲେଖୁଛି ନା ଭୁଲ୍। କାହା ଲେଖା ସହ ମୋ ଲେଖା ମିଶି ଯିବନି ତ ? ଏମିତି ଅନେକ ପ୍ରଶ୍ନ କୋରିପକାଏ ମତେ । ସେତେବେଳେ ବି ସ୍ମୃତି ଭାଇ କୁହନ୍ତି ମତେ ଯେ ଭଲ ଲେଖୁଛୁ ଲେଖିଚାଲ୍। ହେଲେ କୌଣସି ପତ୍ରିକା ମୁଁ ଦେଉନଥିଲି ସେତେବେଳେ । କିନ୍ତୁ ମୋ ଲେଖା ପ୍ରଥମେ ପ୍ରକାଶ ପାଇଥିଲା ପୂରୀରୁ ପ୍ରକାଶିତ ଆଦ୍ୟ ପତ୍ର ପତ୍ରିକାରେ ୨୦୧୯ ନବବର୍ଷ ସଂଖ୍ୟାରେ କବିତା – “ଛାଇ” ପ୍ରକାଶ ପାଇଥିଲା। ଏବଂ ଏହାପରେ ମୋର ଆତ୍ମବିଶ୍ବାସ ବଢିଥିଲା ଯେ ଜଣେ ସମ୍ପାଦକ ମୋ ଲେଖା ଗ୍ରହଣ କରିଛନ୍ତି ମାନେ ମୋତେ ଆହୁରି ଲେଖିବାର ଅଛି । ଆଉ ସେହିଦିନଠାରୁ ମୁଁ ଆଉ ଅଟକିନି ।

ଗଳ୍ପ ଓ କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

କିଛି ଦୁଃଖ ଓ ଯନ୍ତ୍ରଣା ମତେ କଷ୍ଟଦେଲେ ମୁଁ ଭାରି କବିତା ମନସ୍କ ହେଇପଡୁଛି ଆଜିକାଲି । ପ୍ରେମ ପ୍ରଣୟ ବିଷୟରେ ଲେଖିବା ଅପେକ୍ଷା ଦୁଃଖ ଯନ୍ତ୍ରଣା ଲେଖିଲାବେଳେ ମୁଁ ଖୁବ୍ ସହଜ ମନେକରେ ନିଜକୁ । କେବଳ ମୋ ନିଜର ନୁହେଁ ଅନ୍ୟମାନଙ୍କ ପେଟତଳ ଭୋକ ଓ ଛାତିତଳ ଯନ୍ତ୍ରଣାକୁ ପଢିବାକୁ ମୁଁ ଖୁବ୍ ଚେଷ୍ଟାକରେ । ସବୁଠାରୁ ବଡ଼ କଥା ହେଲା ମୋ ବାପାଙ୍କ ଝାଳ ସବୁ ମତେ ରକ୍ତପରି ଦିଶିଲେ ମୁଁ ଆଉ ଅଟକାଇ ପାରେନି ନିଜକୁ ସେ ଶବ୍ଦ ସବୁ କବିତା ପାଲଟି ଯାଆନ୍ତି ଆପେଆପେ ମୋ କାନଭାସ୍‌ରେ ।

 

ତାଙ୍କ ରଚନାରୁ କବିତା : ‘ବେକାର ପୁଅର ବାପାମାନେ’

ଝରଣାଠୁଁ ବି ବେଶି ଚଞ୍ଚଳ
ବେକାର ପୁଅର ବାପାଙ୍କ ଆଖି !
ହେଲେ ଗାଈ ଆଖିଠୁଁ ବି ବେଶି ନିରୀହ ଲାଗେ ବେଳେବେଳେ
ଯେବେ ବେକାର ପୁଅ ସଫଲ ଖାଇ
ଧୂଳିଗୁଣ୍ଡି ଆଉ ଚୁନ ରଙ୍ଗର ଧୂଆଁ ଫିଙ୍ଗି ଦିଏ ଆକାଶକୁ
ସେବେ ଗର୍ଭିଣୀ ଗାଈର ଆଖି ପରି ଦିଶେ
ବେକାର ପୁଅର ବାପାଙ୍କ ଆଖି

ମୋତିଆବିନ୍ଦୁ ମାଡିବସେ
ବେକାର ପୁଅର ବାପାଙ୍କ ଆଖିକୁ
ଯେବେ ବେକାର ପୁଅ ଖେଳୁଥାଏ
ଗାଁ ଚୋଉପାଢିରେ ତାସ୍ କି ପଶା !

ଦେଢଟଙ୍କାର ରୋଜଗାର ନଥାଇ
ଦେଢ଼ଶହ ଟଙ୍କାର ମଦିରା ପିଇ
ଗାଁ ଦାଣ୍ଡରେ ବେକାର ପୁଅ ନଟରାଜ ବନି ଶୋଧିଲା ବେଳେ
ବେକାର ପୁଅର ବାପାଙ୍କ କାନ
ବୋଇତାଳୁ ଡଙ୍କର ଅଣ୍ଡିରା ଫୁଲ ପାଲଟିଯାଏ ଆପେଆପେ !

ବେକାର ପୁଅର ବାପାଙ୍କ ହାତ
ବଡ଼ଦେଉଳର ପତିତପାବନ ନେତ !
ଯେବେ ଅଠେଇଶ ବର୍ଷର ଅଭିଆଡି ବେକାର ପୁଅ
କୋଡିଏ ଟଙ୍କା ମାଗିନିଏ ପୋଟଳ ବିକା ଟଙ୍କାରୁ,
ସେବେ ଅଟକେନି କି ମନା କରେନି
ବେକାର ପୁଅର ବାପାଙ୍କ ହାତ !

ଯେବେ ବାହା ଲଗ୍ନ ଆସେ
ସେବେ ବେକାର ପୁଅର ବାପାଙ୍କ ଛାତି
ଗୋଟେ ଶ୍ରାବଣ ମାସିଆ ଚାଳଘରି ଛପର !
ରଥଯାତ୍ରା ନସରିବା ଯାଏଁ,ବାହାଲଗ୍ନ ନତୁଟିବା ଯାଏଁ
ଗଣ୍ଡେ ଭୁରୁଭୁରୁ ଓଦା ମାଟି, ବେକାରୀ ପୁଅର ବାପାଙ୍କ ଛାତି !

ନବଜାତ ଶିଶୁ ଠୁଁ ବି ବେଶିଥର ଚମକେ
ବେକାରୀ ପୁଅର ବାପା !
ଯଦି କେହି କେବେ ଅବେଳରେ ପଚାରିଦିଏ
ଏବେ କ’ଣ କରୁଛି ପୁଅ ?
ଏଇତକରେ ବରଡା ପତ୍ରଠୁଁ ବି ଜୋରରେ ଥରେ
ବେକାରୀ ପୁଅର ବାପାଙ୍କ ଦେହ !।

ବାପା କୁହନ୍ତି –
ଯେବେ ବଢିଲା ଝିଅ ଘର ବାହାରେ
ଆଉ ବଢିଲା ପୁଅ ଘରେ ରୁହନ୍ତି
ବାପା ମାନେ କଂସେଇ ଖାନାର ଛେଳି ପାଲଟିଯାଆନ୍ତି !

 

Comments are closed.