Latest Odisha News

BREAKING NEWS

ଯାହା ସମାଜର ପ୍ରତିଟି ଛବିକୁ ଆଇନା ପରି ପ୍ରଦର୍ଶିତ କରେ ତାହା ହିଁ ସାହିତ୍ଯ : ଏମ. ହିମାଂଶୁ ଆଚାରୀ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଏମ .ହିମାଂଶୁ ଆଚାରୀ ।ଏକାଧାରରେ ଜଣେ କବି , ଗାଳ୍ପିକ ଏବଂ ଚନ୍ଦନଧାରା ପରି ପ୍ରମୁଖ ସାହିତ୍ୟ ପତ୍ରିକାର ସମ୍ପାଦକ । ନିଜ ସୃଷ୍ଟିର ସମ୍ଭାରରେ ସେ ଜୀବନ୍ତ କରି ପାରନ୍ତି ଅନେକ କାଳ୍ପନିକ ଚରିତ୍ର। ତାଙ୍କ ରଚିତ ପ୍ରତ୍ୟେକ କବିତା ଓ ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ ଆଲୋଡନ।

ତାଙ୍କ ରଚିତ ଆଲୋକିତ ଅନ୍ଧାର, ପାପୁଲି ଓ ତଥାସ୍ତୁ କର ଈଶ୍ୱର ଆଦି ପୁସ୍ତକ ବହୁଳ ଭାବରେ ପାଠକଙ୍କ ଦ୍ୱାରା ଆଦୃତ । ଏହାଛଡା ଚନ୍ଦନଧାରା ସାହିତ୍ୟ ପତ୍ରିକାର ସେ ଜଣେ ସଫଳ ସମ୍ପାଦକ। ନବ ପ୍ରତିଭାଙ୍କୁ ସୁଯୋଗ ଦେଇ ନୂତନ ଓ ବିଶିଷ୍ଟ ସାହିତ୍ୟିକଙ୍କ ସମନ୍ୱୟରେ ଓଡ଼ିଆ ସାହିତ୍ୟର କ୍ଷେତ୍ର ପରିବ୍ୟାପ୍ତ କରିବାରେ ସେ ଜଣେ ସଫଳ ବିନ୍ଧାଣି ।ତାଙ୍କର ଅନବଦ୍ୟ ସାରସ୍ୱତ ସେବା ପାଇଁ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତ ।

ଲେଖକ ଏମ. ହିମାଂଶୁ ଆଚାରୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

୧. ” ସାହିତ୍ୟ”  ଶବ୍ଦର ବର୍ଣ୍ଣନା କିପରି କରିବେ?

ଉତ୍ତର : ସାହିତ୍ଯ ଶବ୍ଦଟି ତ ଅତି ବ୍ଯାପକ ଓ ଅସୀମ । ଯେମିତି ଛୁଇଁ ହେଉନଥିବା ଆକାଶ । ସାଧାରଣ ଅର୍ଥରେ କହିଲେ ହୁଏତ ଯାହା ସମାଜର ହିତ ସାଧନ ପାଇଁ ଅଙ୍ଗୀକାରବଦ୍ଧ ଏବଂ ଯାହା ସମାଜର ପ୍ରତିଟି ଛବିକୁ ଆଇନା ପରି ପ୍ରଦର୍ଶିତ କରେ ତାହା ହିଁ ସାହିତ୍ଯ ।

୨. ଆପଣ ଏକାଧାରରେ ଜଣେ  ଶିକ୍ଷକ , କବି , ଗାଳ୍ପିକ ଏବଂ ଚନ୍ଦନଧାରା ପରି ପ୍ରତିଷ୍ଠିତ ପତ୍ରିକାର ସମ୍ପାଦକ । ତେବେ ଆତ୍ମତୃପି କେଉଁଠି?

ଉତ୍ତର : ଲେଖକ, ଶିକ୍ଷକ ଓ ସଂପାଦକ : ଏଇ ତିନୋଟି ବିଭାଗର କାର୍ଯ୍ଯଧାରା, କୌଶଳ ଓ ସ୍ବାଦ ଅଲଗା ଅଲଗା । ପ୍ରତି ବିଭାଗ ପାଇଁ ପ୍ରଚୁର ସମୟ ଦେବାକୁ ହୁଏ । ଯଦି ଏଥିରୁ କୌଣସି ଗୋଟିଏକୁ ଅଣଦେଖା କଲେ ସେଇ ବିଭାଗଟି ଦୁର୍ବଳ ହେଇଯିବାର ଆଶଙ୍କା ଥାଏ । ଏଣୁ ସମ ପରିମାଣରେ ସମୟ ଦେଉ ଦେଉ ବି କିଛି ଇଛା ଓ ଉଦ୍ଦୀପନା ଉଭାନ ହେଇଯାଆନ୍ତି । ତେଣୁ ମୁଁ ଏଯାଏଁ ଆତ୍ମତୃପ୍ତି ପାଇପାରିନି ।

 

୩. ଅନୁଭୂତି  ଓ ଅଭିଜ୍ଞତା ଜଣେ ଲେଖକକୁ ଅଧିକ ସାନ୍ଦ୍ର କରେ କି ?

ଉତ୍ତର : ଲେଖକଟିଏ ଖୁବ୍ କଳ୍ପନାବିଳାସୀ ଏବଂ ଭାବ ଓ ଭାବନାର ଅଥଳ ସମୁଦ୍ରରେ ସେ ଅହରହ ଭାସୁଥାଏ, ଭିଜୁଥାଏ ସତ କିନ୍ତୁ ଅନୁଭୂତି ଓ ଅଭିଜ୍ଞତା ହିଁ ତାକୁ ଲକ୍ଷ୍ଯଚ୍ଯୁତ ନ ହେବାକୁ ସାହାଯ୍ଯ କରିଥାଏ ।

୪. ଜଣେ ସ୍ରଷ୍ଟାର ନିଜସ୍ୱ  ସର୍ବଶ୍ରେଷ୍ଠ  ସୃଷ୍ଟି କ’ଣ ହୋଇପାରେ ?

ଉତ୍ତର :  ଜଣେ ମାଆ ପାଖରେ ଯେମିତି ତାର ସବୁ ସନ୍ତାନ ସମାନ ଠିକ୍ ସେମିତି ଜଣେ ଲେଖକ ପାଖରେ ବି ତା ସବୁ କୃତି ସମାନ । ତଥାପି ଯେଉଁ ଲେଖାଟି ପାଇଁ ସେ ନିଜକୁ ଲେଖକ ବୋଲି ନିଜ ଭିତରେ ଗର୍ବ ଅନୁଭବ କରେ ଓ ଆତ୍ମତୃପ୍ତି ପାଏ ତାହା ହିଁ ସର୍ବଶ୍ରେଷ୍ଠ କୃତି ହେଇପାରେ ।

୫ . ଦାୟିତ୍ୱ ଓ ଦାୟବଦ୍ଧତା ଭିତରେ ଛନ୍ଦି ହୋଇଛନ୍ତି କି ?

ଉତ୍ତର : ନିଶ୍ଚୟ ଆଜ୍ଞା । ଏ ଦୁଇଟି ପାଇଁ ହିଁ ମୁଁ ଏଯାଏଁ ତିଷ୍ଠିପାରିଛି । ମୋ ପାପୁଲିରୁ ହୃଦୟ ଯାଏଁ ବୋଳି ଦେଇଛି ମୋ ଦାୟିତ୍ବ ଓ ଦାୟବଦ୍ଧତା ।

୬. ଓଡ଼ିଶାରେ ସାହିତ୍ୟ ପତ୍ରିକା ସବୁ କେତେ ମାତ୍ରାରେ ଆଦୃତ ?

ଉତ୍ତର : ଓଡିଆ ସାହିତ୍ଯ ଜଗତରେ ଏବେ ଅନେକ ପତ୍ର ପତ୍ରିକା ଆତ୍ମପ୍ରକାଶ କରୁଛି, ଯାହା ଆମ ସାହିତ୍ଯ ଓ ଅସ୍ମିତା ପାଇଁ ଶୁଭଙ୍କର ନିଶ୍ଚୟ । କିନ୍ତୁ ତା ତୁଳନାରେ ପାଠକ ସଂଖ୍ଯା ବୃଦ୍ଧି ହେଇଥିଲେ ପତ୍ର ପତ୍ରିକା ଆହୁରି ଆଦୃତ ହୋଇପାରନ୍ତା ।

 

୭. ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଧାରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?

ଉତ୍ତର : ବର୍ତ୍ତମାନ ସମୟରେ ପୁସ୍ତକ ପ୍ରକାଶନ ଏକ ବଡ କଥା ନୁହଁ । ମଜା କଥାଟିଏ କହୁଛି । ଚାରି ବର୍ଷ ତଳର କଥା । ସାରସ୍ବତ ଜଗତରେ ଯାହାକୁ ଦିନେ ଡାକି ଆଣି ମୋ ନିଜ ହାତରେ ଖଡି ଛୁଆଁଇଥିଲି ସେ ଏବେ ଚାରିଟି ପୁସ୍ତକ ପ୍ରକାଶ କଲେଣି । ସାହିତ୍ଯ ଏକ ସାଧନା । ଲେଖାର ମାନ ଉତ୍କୃଷ୍ଟ ହେବା ସହ ପାଠକଙ୍କ ଦ୍ବାରା ଆଦୃତ ହେବ ହୋଲି ହୃଦବୋଧ ହେବା ପରେ ହିଁ ପୁସ୍ତକ ପ୍ରକାଶ କରାଯିବା ଉଚିତ୍ । ତେବେ ଯାଇ ଆମ ଭାଷା ସାହିତ୍ଯର ଅଗ୍ରଗତି ହେବ ।

୮ . ଅନୁଶୀଳନ ସହ ଅନୁସୃଜନ ଜଡ଼ିତ କି ?

ଉତ୍ତର :  ହଁ , ନିଶ୍ଚିତ ଭାବେ ଜଡିତ । ଅନୁଶୀଳନ ନଥିଲେ ସୃଜନମନସ୍କ କେମିତି ହେବେ ଯେ ! କିନ୍ତୁ ଅନୁଶୀଳନ ନାଁ ରେ କା

ହାକୁ ଅନୁକରଣ କରାନଯାଉ । ଏହା ବିପଦ ।

୯. ପୁରସ୍କାର ଓ ପ୍ରଶଂସା ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ?

ଉତ୍ତର : ପ୍ରତ୍ଯେକ କର୍ମ ପାଇଁ ଫଳ ରହିଛି । ନିଜର ସାଧନା, ନିଷ୍ଠା ଓ ସାଧୁତାର ପରିପ୍ରକାଶ ହେଲେ, ପୁରସ୍କାର ଓ ପ୍ରଶଂସା ଆପଣଙ୍କୁ ଭିଡ ଭିତରୁ ବି ଖୋଜି ଆଣିବ । କିନ୍ତୁ ଜଣେ ସାଧକ ପୁରସ୍କାରର ପଶ୍ଚାଧାବନ କରିବା ଅସଙ୍ଗତ । ପୁରସ୍କାର ପାଇଲେ ଲେଖକଟିକୁ ଅଧିକ ଦାୟିତ୍ବବାନ ହେବାକୁ ପଡେ ଓ ସେଇ  ପରିମାଣରେ ସମାଜ ପାଇଁ ତା ଲେଖନୀ ଚଳଚଞ୍ଚଳ କରିବାକୁ ହୁଏ ।

୧୦.  ସମସାମୟିକ ଲେଖକମାନଙ୍କ ପାଇଁ କି ବାର୍ତ୍ତା ଦେବେ?

ଉତ୍ତର : ମୁଁ ନିୟମିତ ଲେଖୁଛି ସତ କିନ୍ତୁ ନିଜକୁ ଲେଖକଟିଏ ଭାବି ପାରୁନି । ଏଯାଏଁ ଏମିତି ଲାଗୁଛି ଯେମିତି ମୁଁ ଏବେ ବି ଜଣେ ନବାଗତ । ମୋତେ ଆହୁରି ଅଧିକ ଲେଖିବାର ଅଛି । ତେଣୁ ଲେଖକମାନେ ଲେଖି ଚାଲନ୍ତୁ । ମନଭରି ପଢନ୍ତୁ ବିଭିନ୍ନ ଲେଖକଙ୍କୁ ।

Comments are closed.