ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ବ୍ୟକ୍ତିତ୍ୱ ରାଜକିଶୋର ମହାପାତ୍ର । ସାହିତ୍ୟ ସର୍ଜନାରେ ସେ ଯେତିକି ମନସ୍କ, ସାହିତ୍ୟ କୃତିର ସମୀକ୍ଷା ଓ ସମାଲୋଚନାରେ ସେତିକି ମଗ୍ନ । ଲେଖକ ଅପେକ୍ଷା ପାଠକ ଭାବରେ ସେ ଅଧିକ ପରିଚିତ। ଗଳ୍ପ, କବିତା, ଉପନ୍ୟାସ, ଶିଶୁସାହିତ୍ୟ, ଗବେଷଣା ମୂଳକ ପୁସ୍ତକ ଆଦି ସାହିତ୍ୟର ସବୁ ବିଭାଗର ସେ ଜଣେ ସମୀକ୍ଷକ । ରଚନାର ସୁକ୍ଷ୍ମତାକୁ ବୁଝି , ନିଜ ଭାବ ଓ ଭାଷା ମାଧ୍ୟମରେ ତାର ନିର୍ଯ୍ୟାସ କାଢ଼ି ପରଶି ଦେବାରେ ସେ ସିଦ୍ଧହସ୍ତ । ନିଜର ଅନବଦ୍ୟ ସାରସ୍ୱତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ରାଜକିଶୋର ମହାପାତ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?
ମୁଁ ଯେତେବେଳେ ଷଷ୍ଠ କି ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେତେ ବେଳେ ସାହିତ୍ୟ ପ୍ରତି ମାୟା ଜନ୍ମିଲା । ସେତେବେଳର ସାହିତ୍ୟ ବହିର କୌଣସି ଗଦ୍ୟ ବା ପଦ୍ୟର ଶେଷରେ ‘ତୁମ ପାଇଁ କାମ’ ବୋଲି ଗୋଟିଏ ବିଭାଗ ଥିଲା । ସେଥିରେ ଉଲ୍ଲେଖ ଥାଏ ଯେ ଏଇ ଲେଖକ ବା କବିଙ୍କ ଅନ୍ୟ ଲେଖାଗୁଡିକୁ ପଢିବାକୁ ଚେଷ୍ଟା କର । ଯେମିତି ଅତିବଡ଼ି ଜଗନ୍ନାଥ ଦାସଙ୍କ ‘ବର୍ଷା’ କବିତାକୁ ପଢିଲାପରେ ଲେଖାଥାଏ ବର୍ଷା ସମ୍ପର୍କୀତ ବା ଅନ୍ୟାନ୍ୟ ଋତୁ ସମ୍ପର୍କରେ ଅନ୍ୟ କ’ଣ ଲେଖା ରହିଛି ତାକୁ ସଂଗ୍ରହ କର ଓ ପଢ଼ । ସାଧାରଣତଃ ତାକୁ ସମସ୍ତେ ଏଡାଇଯାନ୍ତି । ମାତ୍ର ମୁଁ ଟିକେ ବେଶୀ ଗୁରୁତ୍ବ ଦେଲି । ଏମିତି ଖୋଜୁ ଖୋଜୁ ବଡ଼ ଭାଇ ଭଉଣୀମାନଙ୍କର ଅନେକ ପୁରୁଣା କଲେଜ ସାହିତ୍ୟ ବହି ପାଇଲି ତାକୁ ପଢ଼ିଲି । ସେଦିନରୁ ଚାଲିଛି ଯେ ଚାଲିଛି ।
ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ ବୋଲି ଆପଣ କହିବେ ?
ବ୍ୟକ୍ତିଗତ ଅନୁଭୂତି ହିଁ ସାହିତ୍ୟରେ ମୂଳ କଥା । ବେଳେବେଳେ ସାଧାରଣ ଘଟଣାଟିଏ ବ୍ୟକ୍ତିକୁ ସ୍ରଷ୍ଟାରେ ପରିଣତ କରିଦିଏ । ବାଲ୍ମିକୀ ଶରବିଦ୍ଧ କ୍ରୌଞ୍ଚ ଯୁଗଳଙ୍କୁ ଦେଖି ପୃଥିବୀର ପ୍ରଥମ କବିତାଟି ଲେଖିଥିଲେ । ପୁଣି ଅନୁଭୂତିର ଗଭୀରତା ହିଁ ଜଣେ ସ୍ରଷ୍ଟାର ସୃଷ୍ଟିକୁ ଆହୁରି ଲୋକାଭିମୁଖୀ କରିଥାଏ ।
ଜଣେ ସମୀକ୍ଷକ ଭାବରେ ଆପଣ ସୁପରିଚିତ । ସର୍ଜନା ଅପେକ୍ଷା ସମୀକ୍ଷା କରିବାକୁ ଆପଣ କାହିଁକି ଆଗ୍ରହୀ ହେଲେ ?
ଗଳ୍ପ, କବିତା, ନାଟକ ଇତ୍ୟାଦି ଜଣେ ସୃଜନଶୀଳ ବ୍ୟକ୍ତିର ଆବେଗିକ, ମାନସିକ ବା ଆତ୍ମିକ ପରିପ୍ରକାଶ ହେଲେ ସମୀକ୍ଷା ହେଉଛି ଇନ୍ଧନ । ବର୍ତ୍ତମାନ ଓଡିଆ ସାହିତ୍ୟରେ ସମୀକ୍ଷାର ଘୋର ଅଭାବ । କାରଣ ଏଥିପାଇଁ ମାନସିକତାର ଅଭାବ । ଜଣେ ସମୀକ୍ଷା ବା ଆଲୋଚନା ଲେଖିବା ପାଇଁ ଯେତିକି ସମୟ ନେବ ସେତିକି ସମୟ ଭିତରେ ଦୁଇ ଚାରିଟା କବିତା ବା ଗଳ୍ପ କିମ୍ବା ଗୋଟେ ଉପନ୍ୟାସର ୫/୬ ପାରା ଲେଖି ଦେଇପାରେ । ମାତ୍ର ଗୋଟିଏ ବହିକୁ ସମ୍ପୂର୍ଣ୍ଣ ପଢ଼ି ତାର ନିର୍ଯ୍ୟାସ କାଢ଼ିବା କାଠିକର ପାଠ । ଜଣକର ଲେଖା ଆମେ ପଢ଼ୁଛୁ ଅର୍ଥାତ ଆମେ ସେ ଲେଖକର ମନସ୍ଥିତିକୁ ତଉଲୁଛେ, କେଉଁ ପରିବେଶରେ ବା କାହା ପ୍ରେରଣାରେ ବଶବର୍ତ୍ତୀ ହୋଇ ଲେଖିଛି ତାକୁ ଅନୁଧ୍ୟାନ କରିବାକୁ ପଡେ । ତେବେ ପଢିବା, ପଢିକି ବୁଝିବା ଓ ବୁଝିକି ଲେଖିବା ତିନୋଟି ଭିନ୍ନଭିନ୍ନ କର୍ମ । ଯଦିଓ ତିନିହେଁ ପରସ୍ପରର ପରିପୂରକ କିନ୍ତୁ ନିଜ ଭାବନାକୁ ଶବ୍ଦରୂପ ଦେବାପାଇଁ ଗଭୀର ଅଧ୍ୟବସାୟ ଲୋଡା । ତା’ଛଡା ସମୀକ୍ଷା, ସମାଲୋଚନା ନହେଲେ ସାହିତ୍ୟର ପ୍ରଚାର ଓ ପ୍ରସାର ହେବନାହିଁ ।
ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଅନୁସାରେ ପାଠକ ଅଛନ୍ତି ବୋଲି ଆପଣ କହିବେକି ?
ସାହିତ୍ୟରେ ସର୍ବଦା ପାଠକ ସଂଖ୍ୟା ସୀମିତ । ଅବଶ୍ୟ ପୂର୍ବାପେକ୍ଷା ଏବେ ପାଠକ ସଂଖ୍ୟା ଆହୁରି ଅଧିକ କମିଯାଉଛି, ଯାହା ଚିନ୍ତାର ବିଷୟ । ଯେତିକି ସଂଖ୍ୟାରେ ବହି ବାହାରୁଛି ତାକୁ ଲୋକାଭିମୁଖୀ କରିବା ପାଇଁ ବା ପାଠକ ସଂଖ୍ୟା ବଢ଼େଇବା ପାଇଁ ସେମିତି କିଛି ପଦକ୍ଷେପ ନିଆଯିବା ବି ଜରୁରୀ ।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?
ବର୍ତ୍ତମାନ ସମୟ ହେଉଛି ସାମାଜିକ ଗଣମାଧ୍ୟମର ଯୁଗ । ଏହାର ଅନେକ ସକରାତ୍ମକ ଦିଗ ରହିଛି । କହି ଜାଣିଲେ କଥା ସୁନ୍ଦର ଭଳି କେବଳ ଏହାର ଉପଯୋଗ ଜାଣିଲେ ହେଲା । ସୀମିତ ସମୟ ମଧ୍ୟରେ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସାମାଜିକ ଗଣମାଧ୍ୟମ ବୋଧହୁଏ ଶ୍ରେଷ୍ଠ ମାଧ୍ୟମ ।
ସାହିତ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣଯୋଗ୍ୟ ବୋଲି ଭାବନ୍ତି ?
ଗଣମାଧ୍ୟମରେ ହେଉଥିବା ସାହିତ୍ୟିକ ତର୍କବିତର୍କ ସାହିତ୍ୟରେ ହିଁ ସୀମିତ ରହିଲେ ଭଲ । ବ୍ୟକ୍ତିଗତ ସ୍ତରକୁ ଗଲେ ଅସୁବିଧା ।
ଓଡ଼ିଆ ସାହିତ୍ୟର ଗଳ୍ପ , କବିତା ତଥା ଉପନ୍ୟାସ ଆଦି ବିଭାଗରେ ଅଧିକ ଆଲୋଚନା ହେଉଥିବା ବେଳେ ଶିଶୁ ସାହିତ୍ୟ, ଗବେଷଣା ମୂଳକ ସାହିତ୍ୟ କି ସମାଲୋଚନା ସାହିତ୍ୟ ବିଷୟରେ ଏତେ ଆଲୋଚନା ହୁଏ ନାହିଁ । ଜଣେ ସମୀକ୍ଷକ ହିସାବରେ ଏ ବିଡ଼ମ୍ବନାକୁ କିପରି ଭାବରେ ଗ୍ରହଣ କରିବେ ?
ମୁଁ କିନ୍ତୁ କବିତା, ଗଳ୍ପ, ଉପନ୍ୟାସ ସହିତ ଶିଶୁସାହିତ୍ୟ, ପ୍ରବନ୍ଧ ଓ ଗବେଷଣାମୂଳକ ସାହିତ୍ୟର ଆଲୋଚନା ନିୟମିତ ଅନ୍ତରାଳରେ କରିଥାଏ । ଅବଶ୍ୟ ସାହିତ୍ୟର ଅନ୍ୟ ବିଭାଗ ଅପେକ୍ଷା ପ୍ରବନ୍ଧ ଓ ସମାଲୋଚନା ସଂଖ୍ୟା ସେଇମାତ୍ରାରେ କମ୍ ନୁହେଁ କି ? ତେଣୁ ଏ ପ୍ରକାର ପରିସ୍ଥିତି ।
ସମୀକ୍ଷା ନାଁରେ ଗୋଟିଏ ପୁସ୍ତକର ଭଲ ଦିଗ ବିଷୟରେ ଆଲୋଚନା ହେଉଛି କିନ୍ତୁ ଅନ୍ୟାନ୍ୟ ତ୍ରୁଟି ବିଚ୍ୟୁତି ବିଷୟରେ ସମୀକ୍ଷକ ଏତେଟା ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ଏ ବିଷୟରେ କ’ଣ କହିବେ ?
ହଉଛି ମାତ୍ର କମ୍ । ତେବେ ଏଥିପାଇଁ ଲୋଡା ନିରପେକ୍ଷ ଦୃଷ୍ଟିକୋଣ ଓ ଗ୍ରହଣ କରିବା ପାଇଁ ସହୃଦୟ ମାନସିକତା । ସେଥିପାଇଁ ସମୀକ୍ଷକଙ୍କୁ ମଧ୍ୟ ଗଭୀର ଅନୁଧ୍ୟାନ ଓ ଅଧ୍ୟବସାୟ ଦରକାର ।
ସାହିତ୍ୟର ବିଭିନ୍ନ ବିଭାଗ ପାଇଁ ପୁରସ୍କାର ଓ ସମ୍ମାନ ରହିଥିବା ବେଳେ ‘ସମୀକ୍ଷା’ ପାଇଁ ସେମିତି କିଛି ନାହିଁ । ଏ ବିଷୟରେ କ’ଣ କହିବେ ?
ସମୀକ୍ଷା ବା ସମାଲୋଚନା ଗୋଟିଏ ସାହିତ୍ୟ କୄତିକୁ ଆଲୋକିତ କରିଥାଏ । ମାତ୍ର ସବୁ କୃତିତ୍ବର ଶ୍ରେୟ ଯାଏ ସ୍ରଷ୍ଟା ନିକଟକୁ । ତେବେ ସମୀକ୍ଷକ ପାଏ କ’ଣ ? କିଛି ଶୁଖିଲା ଆତ୍ମସନ୍ତୋଷ ! ମୋ ମତରେ ଓଡ଼ିଆ ସାହିତ୍ୟରେ ସମୀକ୍ଷକମାନଙ୍କୁ ଗୁରୁତ୍ବ ଦେବାର ସମୟ ଏବେ ଉପନୀତ ।
ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ?
ସାହିତ୍ୟକୁ ନେଇ ମୋର ଅନେକ ଯୋଜନା । ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ସାହିତ୍ୟ, ବିଶାଳ ଓଡ଼ିଆ ଲେଖକ ପରିଚୟ, ରହସ୍ୟ ରୋମାଞ୍ଚ ସାହିତ୍ୟର ପୁନରୁତ୍ଥାନ, ନୂଆନୂଆ ଲେଖକ ସୃଷ୍ଟି ଭଳି ଅନେକ ଯୋଜନା । ଏବେ ଏବେ ‘ଅବିଭକ୍ତ ପୁରୀ ଜିଲ୍ଲାର ଲେଖକ ପରିଚୟ” ଗ୍ରନ୍ଥଟି ପାଇଁ ମୋର ସବୁ ସମୟ ସମର୍ପିତ । ଏ ବହିଟିରେ ପୁରୀ, ଖୋର୍ଦ୍ଧା, ନୟାଗଡ ଓ ଭୁବନେଶ୍ବରର ସହସ୍ରାଧିକ ଲେଖକମାନଙ୍କ ପରିଚିତି ସଂଗୃହୀତ ହେବ । ତେବେ ଭବିଷ୍ୟତ ଅନିଶ୍ଚିତ । ଆଜି କଥା କାଲିକି ନାହିଁ । ତେଣୁ ଆସନ୍ତାକାଲିର ଭବିଷ୍ୟତ ସମୟ ହାତରେ ଛାଡି ଦେଇ ବର୍ତ୍ତମାନକୁ ବାଟ କଢ଼େଇ ନେଇ ଚାଲିଛି । ଦେଖାଯାଉ ମୋ କାମରେ ମୁ କେତେ ମାତ୍ରାରେ ସଫଳ ହେବି, ତାହା ସମୟ କହିବ।
Comments are closed.