Latest Odisha News

BREAKING NEWS

୪୯ ବର୍ଷ ପରେ ଘରକୁ ଫେରିଲେ, ୮ ବର୍ଷର ବୟସରେ ହଜିଯାଇଥିଲେ

ନୂଆଦିଲ୍ଲୀ: ୪୯ ବର୍ଷ ପରେ ପରିବାର ସହ ମିଶିଲେ ଉତ୍ତର ପ୍ରଦେଶର ୫୭ ବର୍ଷୀୟ ଫୁଲମତି । ୧୯୭୫ ମସିହାରେ ମୋରାଦାବାଦକୁ ମେଳା ଦେଖିବାକୁ ଯାଇଥିବା ବେଳେ ସେ ହଜି ଯାଇଥିଲେ । ହଜି ଯାଇ ନଥିଲେ, ବରଂ ତାଙ୍କୁ ଅପହରଣ କରି ନିଆ ଯାଇଥିଲା । ସେତେବେଳେ ସେ ମାତ୍ର ୮ ବର୍ଷର ହୋଇଥିଲେ । ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ପ୍ରଲୋଭିତ କରାଇ ନେଇ ଯାଇଥିଲେ। ଏହାପରେ ସେ ରାମପୁରର ଜଣେ ବାସିନ୍ଦାଙ୍କୁ ବିକ୍ରି କରିଦେଇଥିଲେ । ସେବେଠାରୁ ଘର ଲୋକେ ଖୋଜି ଖୋଜି ହତାଶ ହେବା ପରେ ଚୁପ ହୋଇ ଯାଇଥିଲେ । କିନ୍ତୁ ନିଜ ପରିବାରକୁ ଖୋଜିବା ଭୁଲି ନଥିଲେ ଫୁଲମତି ।

ଫୁଲମତି ତାଙ୍କ ପଡ଼ୋଶୀ ଜଣେ ଶିକ୍ଷୟିତ୍ରୀଙ୍କ ଆଗରେ ସେ ସବୁବେଳେ ସେହି କଥା କହୁଥିଲେ । କେମିତି ନିଜ ଗାଁ ବାବାଦରେ ଜାଣିବେ, କେମିତି ନିଜର ଲୋକଙ୍କୁ ପାଇବେ, ଏମିତି କହି ଚାଲିଥିଲେ ସେ । ହଜି ଯାଇଥିବା ଲୋକଙ୍କୁ ସେମାନଙ୍କ ପରିବାର ସହ ମିଶାଇବା ପାଇଁ ଉତ୍ତର ପ୍ରଦେଶ ସରକାର, ଅପରେସନ୍ ମୁସ୍କାନ୍ ଆରମ୍ଭ କରିଥିଲେ । ଶିକ୍ଷୟିତ୍ରୀ ପୂଜାରାଣୀ ଏହା ବାବଦରେ ଅବଗତ ଥିବା ବେଳେ ରାମପୁର ଜିଲ୍ଲାର ଅତିରିକ୍ତ ଏସପି ଶୈଳେନ୍ଦ୍ର ଲାଲଙ୍କୁ ଜଣାଇଥିଲେ । ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଆସି ଫୁଲମତିଙ୍କ ସହ କଥା ହୋଇଥିଲେ ।

ପୋଲିସ ପୂଜାରାଣୀଙ୍କ ନିକଟରୁ ଅତୀତ ବାବଦରେ ଜାଣିବାକୁ ପାଇଥିଲେ । ଫୁଲମତିଙ୍କ ମାମୁଘର ମାଉ ଜିଲ୍ଲାରେ ହୋଇଥିବା ବେଳେ କେବଳ ମାମୁ ରାମଚନ୍ଦ୍ରଙ୍କୁ ମନେ ପକାଇ ପାରିଥିଲେ ସେ । ରାମଚନ୍ଦ୍ରଙ୍କ ଘରକୁ ପୋଲିସ ଟିମ୍ ଯାଇଥିଲା । କିନ୍ତୁ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ଭାଇ ରାମହିତ ସବୁ କଥା ମନେ ପକାଇଥିଲେ । ୮ ବର୍ଷର ଭାଣିଜୀ ଫୁଲମତି ମୋରାଦାବାଦ ମେଳାରୁ ହଜି ଯାଇଥବା ମନେ ପକାଇଥିଲେ ରାମହିତ । ରାମହିତଙ୍କଠାରୁ ସୂଚନା ନେଇ ଆଜମଗଡ଼ ବେଦପୁର ଗାଁକୁ ଯାଇଥିଲା ପୋଲିସ ଟିମ୍ । ସେଠାରେ ରାମହିତଙ୍କ ଭଣଜା ତଥା ପୁଲମତିଙ୍କ ଭାଇ ଲାଲଧର ଅଛନ୍ତି । ଲାଲଧର ମଧ୍ୟ ସେହି ସମାନ କଥା ମନେ ପକାଇଥିଲେ ଏବଂ ପୋଲିସକୁ କହିଥିଲେ । ଭାଇ-ଭଉଣୀ ପରସ୍ପରକୁ ପାଖରେ ପାଇ ଆତ୍ମବିଭୋର ହୋଇ ଯାଇଥିଲେ ।

Leave A Reply

Your email address will not be published.