Latest Odisha News

BREAKING NEWS

୨୪ ଘଣ୍ଟାରେ ଲଘୁଚାପ, ବାତ୍ୟା ହେଲେ କେଉଁଆଡ଼େ ମୁହାଁଇବ ?

ଭୁବନେଶ୍ୱର: ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ସମାନ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁ ମଣ୍ଡଳର ମଧ୍ୟ ଭାଗ ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ।

ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବା ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ଏହା ବାତ୍ୟାରେ ପରିଣତ ହେଲେ କେଉଁଠି ମାଡ଼ ହେବ । ତୀବ୍ରତା କେତେ ରହିବ ? ଗତିପଥ କଣ ରହିବ ? ସେ ନେଇ ଏଯାବତ୍ ପାଣିପାଗ ବିଭାଗ କୌଣସି ଆକଳନ କରି ନାହିଁ । ତେବେ ୟୁରୋପିଆନ୍ ମଡେଲ୍ ଅନୁସାରେ, ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ।

ସେହିଭଳି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ, ମୌସୁମୀ ପରବର୍ତ୍ତୀ ବାତ୍ୟା ଅଧିକ ବର୍ଷା ଆଣିବ । ଯଦି ବାତ୍ୟା ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଏଁ ତାହେଲେ ଦକ୍ଷିଣ ଓଡ଼ିଶା ବର୍ଷାରେ ଅଧିକ ପ୍ରଭାବିତ ହେବ । ଯଦି ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଆଡ଼କୁ ମୁହାଁଏ ତ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ତେବେ ନିର୍ଦ୍ଦିଷ୍ଟ ଆକଳନ ୨୧ ଓ ୨୨ ତାରିଖ ବେଳକୁ କରାଯାଇ ପାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.