Latest Odisha News

BREAKING NEWS

ଜେଲରେ ଆତ୍ମହତ୍ୟା କଲେ ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁ !

ବଲାଙ୍ଗିର: ଜେଲରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲରେ ଥିବା ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି । ଜେଲର ରୋଷଘର ନିକଟରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମମିତା ମେହେର ମାମଲାରେ ଗୋବିନ୍ଦ ଏକମାତ୍ର ଅଭିଯୁକ୍ତ ଥିଲେ। ତେବେ ଜେଲରେ ଗୋବିନ୍ଦଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣା ପଡି ନାହିଁ । ଗୋବିନ୍ଦଙ୍କୁ ହସପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ମମିତା ମେହେର ହତ୍ୟାକାଣ୍ଡରେ ଏକମାତ୍ର ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ । ଏହି ମାମଲାରେ ବିଜେଡିର ଅନେକ ବଡ ବଡ ନେତାଙ୍କ ହାତ ଥିବା ନେଇ ସେତେବଳେ ଚର୍ଚ୍ଚା ହେଉଥିଲା । ଏଥିପାଇଁ ସରକାରୀ କଳକୁ ତୀବ୍ର ସମାଲୋଚନା କରିଥିଲେ ବିରୋଧୀ । ଧାରଣା, ଆନ୍ଦୋଳନରେ ରାଜ୍ୟ ପଡୁଥିଲା, ଉଠୁଥିଲା ପୋଲିସ ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରି ଚୁପ ହୋଇ ବସି ଯାଇଥିଲା ।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ଥିବା ମମିତା ମେହେର ୨୦୨୧ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇ ଉଠିଥିଲା । ଶିକ୍ଷୟିତ୍ରୀ ମମିତା ମେହେରଙ୍କର ସହଯୋଗୀ ଥିଲେ ଗୋବିନ୍ଦ ସାହୁ । ମମିତା ମେହେରଙ୍କୁ ଘରୁ ଡାକି ନେଇ ତାଙ୍କୁ ହତ୍ୟା କରିବା ପରେ ପୋଡି ପୋତି ଦେଇଥିବା ତଦନ୍ତରୁ ଜଣା ପଡ଼ିଥିଲା । ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଥିଲେ । ଗୋବିନ୍ଦଙ୍କ ହାତ ବହୁତ ଲମ୍ବା ଥିଲା । ତେଣୁ ପୂର୍ବରୁ ଜାମିନ୍‌ରେ ଆସି ସ୍ଥାନୀୟ ମହାଲିଙ୍ଗ ରଥଯାତ୍ରାରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ନିକଟରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା । ଏଥିପାଇଁ ଗୋବିନ୍ଦ ମାନସିକ ଅବସାଦ ଭିତରେ ଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବାର ଥିଲା । ହେଲେ ତା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି । ତେବେ ସେ କେତେବେଳେ ଓ କିପରି ଆତ୍ମହତ୍ୟା କରିଥିଲେ ତାହା ଏ ଯାଏ ଜଣା ପଡ଼ିନାହିଁ ।

ଗୋବିନ୍ଦଙ୍କ ଆତ୍ମହତ୍ୟା କଥା ସାମ୍ନାକୁ ଆସିବା ପରେ ବିଜେଡିକୁ ସମାଲୋଚନା କରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଏହା ଆତ୍ମହତ୍ୟା ନା ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା ? ଯଦି ଏହା ଆତ୍ମହତ୍ୟା ତେବେ ଜେଲ ଭିତରେ କିପରି କଲେ ? ଏ ନେଇ ସେ ଜେଲର ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇଛନ୍ତି ।

Leave A Reply

Your email address will not be published.