Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ କରି ନେଉଥିଲେ, ଚଳନ୍ତା କାରରୁ ଡେଇଁ ଜୀବନ ହାରିଲେ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚାରଆଡେ କଡା ସୁରକ୍ଷା ବ୍ୟବସ୍ଥା । ତଥାପି ପୋଲିସକୁ ଚାଲେଞ୍ଜ ଦେଇ କିଛି  ଦୁର୍ବୃତ୍ତ  ଗତକାଲି ରାତି ୯ଟା ୩୦ରେ ଜଣେ ଯୁବକଙ୍କୁ ଅପହରଣ କରି ନେଉଥିଲେ । ତେବେ ଚଳନ୍ତାକାରରୁ ତଳକୁ ଡେଇଁପଡି ଖସି ଆସିବାକୁ ଚେଷ୍ଟା କରିଥିଲେ ଯୁବକ ଜଣକ । ଥାନାରେ ପହଞ୍ଚିଥିଲେ ସତ, ହେଲେ ସେଠାରେ ତାଙ୍କର ମୃତ୍ୟୁର ଘଟିଛି । ସହିଦ ନଗର ଥାନା ନିକଟରେ ଘଟିଛି ଏମିତି ଚାଞ୍ଚଲ୍ୟକର ଘଟଣା  ।

ଗତକାଲି ରାତି ସାଢେ ୯ଟାରେ  ଗାଡକଣର ବିଚିତ୍ର ପଲେଇ (୪୨ ବର୍ଷ )ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ଉଠେଇ ଆଣିଥିଲେ । ତାଙ୍କୁ କାରରେ ନେଇ ଯାଉଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ନିକଟରେ ବିଚିତ୍ର ଚଳନ୍ତା କାରରୁ ଡେଇଁ ପଡିଥିଲେ । ଦୁର୍ବୃତ୍ତଙ୍କ କବଳରୁ ବଞ୍ଚିବା ପାଇଁ କାରରୁ ଡେଇ ପଡିଲେ ସିନା, ଗୁରୁତର ହୋଇପଡିଥିଲେ । ତେବେ କୌଣସି ପ୍ରକାରେ ସହିଦ ନଗର ଥାନାରେ ପହଞ୍ଚିଥିଲେ ।

ଥାନାରେ ପହଞ୍ଚିବା ପରେ ସେ ଅଚେତ ହୋଇଯାଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିଲା  । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷେ ବିଚତ୍ର କାରରୁ ଡେଇଁ ପଡିବା ପରେ ତାଙ୍କୁ ଧରିବା ପାଇଁ ୨ ଜଣ  ତାଙ୍କ ପଛେ ପଛେ ଦୌଡୁଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଥିଲେ ।  ସ୍ଥାନୀୟ କିଛି ଲୋକ ଉଭୟଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ସହିଦନଗର ପୋଲିସ   ୨ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଋଣ କାରବାରକୁ ନେଇ  ୨ ଯୁବକ ବିଚିତ୍ରଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି, ବିଚତ୍ର ଅଭିଯୁକ୍ତଙ୍କଠାରୁ ୩ ଲକ୍ଷ ଟଙ୍କା ଋଣ ନେଇ ଫେରାଉ ନ ଥିଲେ । ଅଭିଯୁକ୍ତଙ୍କ କହିବା ଅନୁଯାୟୀ ସେମାନେ ବିଚତ୍ରକୁ ଧରି ପଟିଆ ଥାନାକୁ ନେଉଥିଲେ । ହେଲେ ଚଳନ୍ତା କାରରୁ ଡେଇଁପଡିଲା ।

ତେବେ ରାଜଧାନୀ ଛାତିରେ ଏପରି ଘଟଣା କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲିଟିଛି । ପୋଲିସ୍‌ ଘଟଣାର ଛାନଭିନ ଚଳାଇଛି।

Leave A Reply

Your email address will not be published.