Latest Odisha News

ବୟସ ବଢିଛି, କିନ୍ତୁ ଥକି ପଡିନି ପାଦ.. ମନଖୋଲା କଥାରେ ଭେଟନ୍ତୁ ଓଡିଶୀ ଗୁରୁ ସୁଧାକର ସାହୁ

ଗୁରୁ ସୁଧାକର ସାହୁ, ବୟସ ୮୬ ଛୁଇଁଲାଣି । ଏବେ ବି ମଞ୍ଚରେ ମଞ୍ଚରେ ସେ ଓଡିଶୀ ନାଚନ୍ତି । ତାଙ୍କୁ ବିଶ୍ୱରେ ସେ ସବୁଠୁ ବୟସ୍କ ଓଡିଶୀ ନୃତ୍ୟ ଶିଳ୍ପୀ କହିଲେ ଭୁଲ ହେବ ନାହିଁ । ଆଜିବି ସେ ନୃତ୍ୟଶିକ୍ଷା ଦେବା ପାଇଁ ରାଜ୍ୟ ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାର ଯଥା ଅହମ୍ମଦାବାଦ ଓ ନୂଆଦିଲ୍ଲୀକୁ ଯାଇଥାନ୍ତି ।

ଗୁରୁ ସୁଧାକର ବିଶିଷ୍ଟ ନୃତ୍ୟଶିଳ୍ପୀ ସ୍ୱର୍ଗତ ଇନ୍ଦ୍ରାଣୀ ରେହମାନଙ୍କ କଣ୍ଠଶିଳ୍ପୀ ତଥା ବାଦ୍ୟଯନ୍ତ୍ର ଶିଳ୍ପୀ ଭାବେ କାମ କରିଥିଲେ । ଏହାବ୍ୟତୀତ ସେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜତା ମହାପାତ୍ରଙ୍କ ପ୍ରଥମ ଗୁରୁ ।

ତାଙ୍କୁ ଭେଟିବା ପରେ ମାଲାୟାସିଆର ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ରାମଲି ଇବ୍ରାହିମ କହିଥିଲେ ଯେ, ଗୁରୁ ଦେବପ୍ରସାଦ ଦାସ ଓଡ଼ିଶୀ ପରମ୍ପରାରେ ଶ୍ରୀଯୁକ୍ତ ସାହୁ ମୋର ସର୍ବଶ୍ରେଷ୍ଠ ଆବିଷ୍କାର।

ଓଡ଼ିଶୀ ନୃତ୍ୟର ପ୍ରତିଷ୍ଠାତା ତଥା ଏକ ନିର୍ଦ୍ଧିଷ୍ଟ ଘରାନା ପାଇଁ ବେଶ୍ ନାଁ କରିଥିବା ସ୍ୱର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ବରିଷ୍ଠ ଶିଷ୍ୟ ତଥା ଘନିଷ୍ଠ ସହଯୋଗୀ ଗୁରୁ ସୁଧାକର ନିଜ ନୃତ୍ୟାଭିନୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଗୁରୁ ସୁଧାକର ସାହୁଙ୍କ ସହ ମନଖୋଲା କଥାରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର

– ଓଡ଼ିଶୀରେ ଆପଣ ଅନେକ ବର୍ଷ ଧରି କାମ କରିଛନ୍ତି ଅନେକ ସମ୍ମାନ ମଧ୍ୟ ପାଇଛନ୍ତି ତଥାପି ଓଡ଼ିଶୀ ସର୍କଲରେ ଆପଣ କମ ଦେଖିବାକୁ ମିଳନ୍ତି କାହିଁକି ?
ଉ : ମୁଁ ମୋର ପୁରା ଜୀବନ କଟକ ଏବଂ ଭୁବନେଶ୍ୱରଠାରୁ ଦୂରରେ ରହିଲି । ବର୍ତ୍ତମାନ ମୁଁ ମୋ ଗାଁ ଯାହା ଢେଙ୍କାନାଳ ଜିଲ୍ଲାରେ ସେଠାରେ ରହୁଛି । ତେଣୁ ମୋ ସମସାମୟିକ ବ୍ୟକ୍ତିମାନେ ସହରରେ ରହୁଥିବାରୁ ଯେଉଁ ଖ୍ୟାତି ପାଇଛନ୍ତି ତାହା ମୁଁ ପାଇପାରିନାହିଁ ।

– ଆପଣ ସହରରେ ରହିବା ପାଇଁ କାହିଁକି ଚାହିଁଲେ ନାହିଁ ?
ଉ : ମୁଁ ମୋର ଗୁରୁ ଗୁରୁ ଦେବପ୍ରସାଦ ଦାସଙ୍କ ସହ ୧୯୫୪ ରୁ ତାଙ୍କ ମୃତ୍ୟୁ ୧୯୮୫ ଯାଏଁ ଥିଲି। ମୁଁ ତାଙ୍କର ଶିଷ୍ୟ ଏବଂ ତାଙ୍କର ନିରନ୍ତର ସାଥୀ ମଧ୍ୟ ଥିଲି। ମୁଁ ତାଙ୍କ ସହିତ କଟକ ଏବଂ ପୁରୀରେ ରହିଲି ଜ୍ଝ ସେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଯୋଗଦେବା ପରେ ସେ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଶିକ୍ଷା ଦେଇ ପାରିନଥିଲେ। ତେଣୁ ସେ ମୋତେ ଓଡ଼ିଶାର ବିଭିନ୍ନ ସହରକୁ ନୃତ୍ୟଶିକ୍ଷା ଦେବା ପାଇଁ ପଠାଉଥିଲେ। ମୁଁ ମୋର ପୁରୀ କ୍ୟାରିଅର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରିଲି ନାହିଁ । ସେଥିପାଇଁ କଟକ କିମ୍ବା ଭୁବନେଶ୍ୱରରେ ରହିବା ସମ୍ଭବ ହେଲା ନାହିଁ । କିନ୍ତୁ ଏଠାରେ ରହି ଅନ୍ୟ ନୃତ୍ୟଗୁରୁମାନେ ଉନ୍ନତି କରିପାରିଲେ ଓ ଲୋକପ୍ରିୟ ମଧ୍ୟ ହୋଇପାରିଲେ ।

– ବିଭିନ୍ନ ସହରକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟଶିକ୍ଷା ଦେବା ନିଷ୍ପତ୍ତିକୁ ନେଇ ଆପଣ ଅନୁତପ୍ତ କି ?
ଉ : ଆଦୌ ନୁହଁ। ମୋ ଗୁରୁଙ୍କ ପରମ୍ପରାକୁ ଆଗକୁ ନେବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯିଏ ଜଣେ ଦୂରଦୃଷ୍ଟିସମ୍ପନ୍ନ ଗୁରୁ ଥିଲେ । ଏହା ବ୍ୟତୀତ, ମୁଁ ଜୀବନରେ କୌଣସି ଅସାଧାରଣ ଅଭିଳାଷ ରଖି ନାହିଁ । ମୁଁ ଓଡ଼ିଶୀ ନୃତ୍ୟ ଏବଂ ମୋର ଗୁରୁଙ୍କୁ ଭଲ ପାଉଥିଲି ଏବଂ ମୁଁ ଉଭୟଙ୍କ ସହିତ ମୋର ଅନ୍ତରଙ୍ଗ ଯାତ୍ରାକୁ ପୁରା ଉପଭୋଗ କରିଛିି ।

– ଆପଣ ନୃତ୍ୟ କ୍ଷେତ୍ରରେ କିପରି ପ୍ରବେଶ କଲେ ?
ଉ- ମୋ ବାପାଙ୍କ ପାଇଁ ମୋର ନୃତ୍ୟ, ସଙ୍ଗୀତ, ସାହିତ୍ୟ ଏବଂ ଥିଏଟର ପ୍ରତି ଦୁର୍ବଳତା ସୃଷ୍ଟି ହେଲା । ଏସବୁ ଉପରେ ତାଙ୍କର ଅଗାଢ ଜ୍ଞାନ ଥିଲା । ସେ ପାରମ୍ପରିକ ଓଡିଆ ଗୀତ ଗାଇବା ସହ ଗାଁଲୋକଙ୍କୁ ଏହି ଗୀତଗୁଡ଼ିକ ଅର୍ଥ ବୁଝାଉଥିଲେ । ଏହା ମୋ ଭିତରେ ସାହିତ୍ୟ ବିଶେଷ ଭାବରେ ପୁରାଣ ଏବଂ ସଙ୍ଗୀତ ପ୍ରତି ଏକ ଗଭୀର ଭଲ ପାଇବା ବିକଶିତ କଲା । ମୁଁ ପିଲାଦିନେ ମୋ ବାପାଙ୍କଠାରୁ ସଂଗୀତ ଶିଖିଥିଲି ଏବଂ ପରବର୍ତ୍ତୀ ସମୟରେ ମୁଁ ଯାତ୍ରା ପାର୍ଟି ଯୋଗ ଦେଇପାରିଥିଲି ।

ଏହା ପରେ,କଟକର ଅନ୍ନପୂର୍ଣ୍ଣା ଥିଏଟରରେ କାମ କଲା ବେଳେ ମୋର ନୃତ୍ୟ ପ୍ରତି ଆଗ୍ରହ ବଢିଲା । ଓଡ଼ିଶାର ତିନି ବିଶିଷ୍ଟ ପ୍ରତିଭା ପଙ୍କଜ ଭାଇ , କେଳୁ ଭାଇ ଏବଂ ଦେବ ଭାଇଙ୍କ ସହ ମୋର ନିବିଡତା ମୋତେ ଜଣେ ନୃତ୍ୟ ଶିକ୍ଷକ ହେବା ପାଇଁ ପ୍ରୋତ୍ସାହିତ କରିଥିଲା ।

-ଆଜିର ଓଡ଼ିଶୀ ପରିବେଷଣକୁ ନେଇ ଆପଣ ଖୁସି କି?
ଉ: ଓଡ଼ିଶୀ ନୃତ୍ୟ ବିଶ୍ୱରେ ବେଶ୍ ନାଁ କରିଛି ଯାହା ମତେ ବହୁତ ଖୁସି ଦିଏ । କିନ୍ତୁ ଅଧା ତାଲିମ ନେଇଥିବା ଗୁରୁ ଓ ଅଧୈର‌୍ୟ୍ୟ ନୃତ୍ୟଶିଳ୍ପୀ ଯେଉଁମାନେ ମଞ୍ଚକୁ ଯିବାକୁ ବ୍ୟସ୍ତ ସେମାନଙ୍କୁ ଦେଖିଲେ ଚିନ୍ତା ପ୍ରତ୍କ ହୁଏ ।

ଅନେକ ନୃତ୍ୟଶିଳ୍ପୀ ବେଶ୍ ପ୍ରତିଭାବାନ । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଞ୍ଚ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ସାମାନ୍ୟ ଧୈର‌୍ୟ୍ୟ ରଖନ୍ତି ନାହିଁ । ନୃତ୍ୟ କେବଳ ଏକ ଡ୍ରିଲ ନୁହେଁ ଯାହା କେବଳ ମଞ୍ଚରେ ଶିଖିବା ଏବଂ ଅନୁକରଣ କରିପାରିବ । ଏହା ଭିତରୁ ଭାବ ସହ ପରିପ୍ରକାଶ ପାଇଥାଏ ଯାହା ନୃତ୍ୟଶୈଳୀରେ ଚରିତ୍ର ମାଧ୍ୟମରେ ପ୍ରଷ୍ପୁଟିତ ହୋଇଥାଏ । । ନୃତ୍ୟର ଏକ ନିଜସ୍ୱ ଭାଷା ଅଛି । ଜଣେ ନୃତ୍ୟଶିଳ୍ପୀ ଏହାକୁ ବୁଝିବାର ଦକ୍ଷତା ରଖିବା ଆବଶ୍ୟକ ।

ଏପରି ସ୍ଥଳେ ମୁଁ କହିବି ଏହି ଅନଭିଜ୍ଞ ନୃତ୍ୟଶିଳ୍ପୀମାନଙ୍କୁ ନୃତ୍ୟଶିକ୍ଷା ଦେଉଥିବା ଗୁରୁମାନେ ହିଁ ଦାୟୀ । ଏପରି ଅପରିପକ୍ୱ ଶିଷ୍ୟଙ୍କୁ ମଞ୍ଚରେ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବା ଉଚିତ୍ ନୁହେଁ ।

ଜଣେ ଗୁରୁ ଭାବରେ ଯୋଗ୍ୟତା ପାଇବା ପାଇଁ ନୃତ୍ୟ ଶୈଳୀ ଉପରେ ଦକ୍ଷତା ସହ ସାହିତ୍ୟ ଏବଂ ସଙ୍ଗୀତ ବିଷୟରେ ପର‌୍ୟ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ । କାରଣ ଜଣେ ଗୁରୁ କେବଳ ନୃତ୍ୟ ପ୍ରଶିକ୍ଷକ ନୁହଁନ୍ତି।

– ଜଣେ ନୃତ୍ୟ ଶିକ୍ଷକ ଭାବରେ ଆପଣଙ୍କ କ୍ୟାରିୟରର ଛଅ ଦଶନ୍ଧିର । ଆପଣ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ନୃତ୍ୟଶିକ୍ଷା ଦେଇଛନ୍ତି । କିନ୍ତୁ ଆଜିର ଦିନରେ ଆମେ ଖୁବ୍ କମ୍ ଲୋକଙ୍କୁ ଦେଖୁଛି ଯେ କି ଆପଣଙ୍କ ଶିଷ୍ୟ ଭାବରେ ଜଣାଶୁଣା ।
ଉ: ମୁଁ ଅନେକ ପ୍ରତିଭାବାନ ଶିଷ୍ୟଙ୍କୁ ନୃତ୍ୟଶିକ୍ଷା ଦେଇଛି କିନ୍ତୁ ସେମାନେ ପରବର୍ତ୍ତୀ ସମୟରେ ନୃତ୍ୟ ଜାରି ରଖିପାରିନାହାନ୍ତି ଯାହା ମତେ ବହୁତ କଷ୍ଟ ଦିଏ । ଦୁର୍ଭାଗ୍ୟବଶତଃ ସେ ସମୟରେ ଆମ ରକ୍ଷଣଶୀଳ ସାମାଜିକ ବ୍ୟବସ୍ଥା ଓଡିଶାର ବହୁ ପ୍ରତିଭାବାନ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ କ୍ୟାରିୟର ନଷ୍ଟ କରିଦେଲା ।

ମୁଁ ବାରିପଦା , ପୁରୀ, ବାଲେଶ୍ୱର , ସମ୍ବଲପୁର, ଭଦ୍ରକ ଏବଂ ଛତ୍ରପୁର ପରି ଛୋଟ ସହରରେ ନୃତ୍ୟ ଶିକ୍ଷା ଦେଉଥିଲି । ଏହି ସହରଗୁଡ଼ିକରେ ସେପରି କିଛି ସୁଯୋଗ ନ ଥିଲା ନୃତ୍ୟଶିଳ୍ପୀଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ । ଭୁବନେଶ୍ୱର ଓ କଟକରେ ଏହି ସୁବିଧା ଅଧିକ ଥିଲା ।
ଅବିଭକ୍ତ ବାଲେଶ୍ୱରର ମୋର ତିନି ଜଣ ଶିଷ୍‌୍ୟ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ଜାତୀୟ ଯୁବ ପୁରସ୍କାର ପାଇଥିଲେ । ଏଥିରୁ ପ୍ରମାଣିତ ହୁଏ ଯେ କେବଳ ରାଜଧାନୀ ନୁହେଁ ଏହାର ବାହାରେ ମଧ୍ୟ ଅନେକ ପ୍ରତିଭା ଅଛନ୍ତି କିନ୍ତୁ ସେମାନଙ୍କ ପାଇଁ ସୁଯୋଗର ଅଭାବ ରହିଛି ।

– ଏହି ବୟସରେ ବି ଆପଣ ନିଜକୁ କେମିତି ଫିଟ୍ ରଖିଛନ୍ତି ନୃତ୍ୟ ପ୍ରଦର୍ଶନ ପାଇଁ । ଏଥି ସହିତ ଆପଣ ବିଭିନ୍ନ ସହରକୁ ଯାଇ ମଧ୍ୟ ନୃତ୍ୟଶିକ୍ଷା ଦେଉଛନ୍ତି ।

ଉ: ମୁଁ ଏକ ଶୃଙ୍ଖଳିତ ଜୀବନଶୈଳୀକୁ ଅନୁସରଣ କରେ । ମୁଁ ନିୟମିତ ଚାଲିବା, ବ୍ୟାୟାମ କରିବା ଏବଂ ଯୋଗ କରେ । ମୁଁ ଗାଁରେ ବାସ କରେ ଯେଉଁଠାରେ ସହରକୁ ତୁଳନା କଲେ ଜୀବନଯାପନ ଅତି ସରଳ ଓ ପ୍ରାକୃତିକ ପରିବେଶ ମଧ୍ୟରେ । ଏହି ସରଳ ଜୀବନ ଯୋଗୁଁ ମୋ ଉପରେ କୌଣସି ଆର୍ଥିକ ଚାପ ପଡେନାହିଁ । ମୁଁ ଏକ ସନ୍ତୁଷ୍ଟ ଜୀବନ ବିତାଉଛି ଯାହା ମୋତେ ଫିଟ୍ ରଖେ ।

Comments are closed.