ନୂଆଦିଲ୍ଲୀ : ଭୁଲ ମାଗିଲେ, କ୍ଷମା ପ୍ରାର୍ଥନା କଲେ ମଣିପୁର ମୁଖ୍ୟମନ୍ତ୍ରୀ। ନୂଆବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ମଣିପୁରରେ ହିଂସାକାଣ୍ଡ ପାଇଁ ଭୁଲ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ । କହିଛନ୍ତି, ମୋର ଭୁଲ ହୋଇଛି, ମୋତେ କ୍ଷମା କରିଦିଅ । ଚଳିତ ୨୦୨୪ରେ ମଣିପୁରରେ ଯାହା ସବୁ ଘଟଣା ଘଟିଗଲା, ସେଥିପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି ।
ବିରେନ ସିଂହ ଆହୁରି କହିଛନ୍ତି, ଚଳିତବର୍ଷ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ମେ ୩ ତାରିଖରୁ ଏପର୍ଯ୍ୟନ୍ତ ଯାହା ସବୁ ଘଟଣା ଘଟିଗଲା, ସେଥିପାଇଁ କ୍ଷମା ମାଗୁଛି । ବହୁତ ଲୋକଙ୍କୁ ନିଜ ପ୍ରିୟ ପରିଜନଙ୍କୁ ହରାଇବାକୁ ପଡ଼ିଛି, ଘର ଛାଡ଼ିବାକୁ ପଡ଼ିଛି । ଏଥିପାଇଁ ପଶ୍ଚାତାପ କରୁଛି ଏବଂ ଆପଣମାନଙ୍କୁ କ୍ଷମା ମାଗୁଛି ବୋଲି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ । ଗତ ୩ରୁ ୪ ମାସ ହେଲା ସ୍ଥିତିରେ ସୁଧାର ଆସିଛି । ଆଗାମୀ ୨୦୨୫ ମଣିପୁରରେ ଶାନ୍ତି ଫେରି ଆସୁ ବୋଲି କାମନା କରିଛନ୍ତି ।
ଯାହା ଘଟିଗଲା, ଘଟିଗଲା । ସେସବୁକୁ ଭୁଲି ନୂଆବର୍ଷରୁ ନୂଆ ଆରମ୍ଭ କରିବା, ଶାନ୍ତି ସୌହାର୍ଦ୍ଧ୍ୟ ବଜାୟ ରଖିବାକୁ ସମସ୍ତ ୩୫ ସମୁଦାୟକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ । ମାଇତି ଏବଂ କୁକୁ ସମୁଦାୟକୁ ନେଇ ଗତ ମେ ମାସରୁ ଜଳୁଛି ମଣିପୁର । ଏହି ହିଂସାରେ ୧୮୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକେ ଜୀବନ ଭୟରେ ଘର ଛାଡ଼ିଛନ୍ତି । ଏବେ ବି ରାଜ୍ୟରେ କେନ୍ଦ୍ରୀୟ ପୋର୍ସ ମୁତୟନ ରହିଛନ୍ତି ।
Comments are closed.