Latest Odisha News

BREAKING NEWS

ପାକିସ୍ତାନ ଉପରେ ଆକ୍ରମଣ ପରେ ଆଲର୍ଟରେ ବିମାନ କମ୍ପାନି, କିଛି ସହରକୁ ଉଡ଼ାଣ ବାତିଲ

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଆକ୍ରମଣ ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଉତ୍ତର ଭାରତରେ ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ସଂସ୍ଥା ସତର୍କତା ଅବଲମ୍ୱନ କରିଛନ୍ତି। ସ୍ପାଇସଜେଟ, ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଭଳି ପ୍ରମୁଖ ବିମାନ ସଂସ୍ଥାଗୁଡ଼ିକ ବିଭିନ୍ନ ସହର ପାଇଁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ନିଜର ବିମାନ ସେବା ବନ୍ଦ କରିଦେଇଛନ୍ତି ଏବଂ ଯାତ୍ରୀମାନଙ୍କ ପାଇଁ ଏଡଭାଇଜରୀ ଜାରି କରିଛନ୍ତି।

ସ୍ପାଇସଜେଟ ଘୋଷଣା କରିଛି ଯେ, ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ଏବଂ ଅମୃତସର ସମେତ ଉତ୍ତର ଭାରତର କିଛି ଅଞ୍ଚଳର ବିମାନବନ୍ଦର ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ବିମାନ ସଂସ୍ଥା କହିଛି ଯେ, ଏଥିପାଇଁ ଉଡ଼ାଣ, ଆଗମନ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିମାନ ସେବା ମଧ୍ୟ ପ୍ରଭାବିତ ହେବ। ଯାତ୍ରୀମାନଙ୍କୁ ଏହି ଏଡଭାଇଜରୀକୁ ଧ୍ୟାନରେ ରଖି ଯାତ୍ରା ଯୋଜନା କରିବାକୁ ଏବଂ ଯାତ୍ରା ପୂର୍ବରୁ ନିଜ ବିମାନର ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।

ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ଦେଶର କିଛି ନିର୍ଦ୍ଦିଷ୍ଟ ସହର ମଧ୍ୟରୁ ଉଡ଼ାଣ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଏଡଭାଇଜରୀ ଜାରି କରିଛି। ସୋସିଆଲ ମିଡିଆ ପୋଷ୍ଟରେ ଇଣ୍ଡିଗୋ କହିଛି ଯେ, ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼ ଏବଂ ଧର୍ମଶାଳାରୁ ଆସୁଥିବା କିମ୍ବା ଯାଉଥିବା ବିମାନ ସେବା ପ୍ରଭାବିତ ହେବ। ଏହା ସହ ବିକାନେରରୁ ଆସୁଥିବା ଓ ଯାଉଥିବା ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହେବ। ଇଣ୍ଡିଗୋ ଯାତ୍ରୀମାନଙ୍କୁ ବିମାନବନ୍ଦର ଯିବା ପୂର୍ବରୁ ନିଜ ବିମାନର ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରିଛି।

ସୂଚନା ଥାଉକି, ପହଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବା ପାଇଁ କରାଯାଇଥିବା ଏହି ଏୟାରଷ୍ଟ୍ରାଇକରେ ଭାରତୀୟ ବାୟୁସେନା ବାହାୱାଲପୁର, କୋଟଲି ଏବଂ ମୁଜଫ୍ଫରାବାଦ ସମେତ ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଏ-ତୈବାର ମୁଖ୍ୟ ଶିବିରଗୁଡ଼ିକୁ ଧ୍ୱଂସ କରିଛି। ଏହି ଅଭିଯାନ ପାକିସ୍ତାନ ପୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ପାଇଁ ଏକ ବଡ଼ ଝଟକା ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ଆକ୍ରମଣରେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛି।

 

Comments are closed.