ଭୁବନେଶ୍ୱର : ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୭ ଜଣ ମାଓବାଦୀଙ୍କ ସହ ସିପିଆଇ (ମାଓବାଦୀ)ର ମହାସଚିବ ନମ୍ବାଲା କେଶବ ରାଓ ଉର୍ଫ ବସବରାଜୁ ନିହତ ହୋଇଛି। ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି, “ଛତିଶଗଡ଼ରେ ପ୍ରଥମ ଥର ପାଇଁ ମହାସଚିବ ସ୍ତରର ଜଣେ ମାଓବାଦୀ ନେତା ନିହତ ହୋଇଛନ୍ତି। ଏହା ଆମ ପାଇଁ ଏକ ବଡ଼ ସଫଳତା। ୨୦୨୪ରେ ନକ୍ସଲ ବିରୋଧୀ ଅଭିଯାନ ଯେଉଁଭଳି ଭାବେ ଚାଲିଥିଲା, ତାହା ୨୦୨୫ରେ ମଧ୍ୟ ଜାରି ରହିବ।”
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ଲେଖିଛନ୍ତି, “ନାରାୟଣପୁରରେ ଆମର ସୁରକ୍ଷା ବାହିନୀ ୨୭ ଜଣ ଖତରନାକ ମାଓବାଦୀଙ୍କୁ ନିହତ କରିଛି, ଯେଉଁମାନଙ୍କ ମଧ୍ୟରେ ସିପିଆଇ-ମାଓବାଦୀର ମହାସଚିବ ଓ ନକ୍ସଲ ଆନ୍ଦୋଳନର ମେରୁଦଣ୍ଡ ନମ୍ବାଲା କେଶବ ରାଓ ଉର୍ଫ ବସବରାଜୁ ମଧ୍ୟ ଅଛନ୍ତି। ଏହା ନକ୍ସଲବାଦ ବିରୋଧୀ ଲଢ଼େଇରେ ଏକ ଐତିହାସିକ ସଫଳତା।”
ମାଓବାଦ ଓ ନକ୍ସାଲବାଦର ଉତ୍ପତ୍ତି
ନକ୍ସାଲବାଦ ଏକ ବିଚାରଧାରା, ଯାହା ପଶ୍ଚିମବଙ୍ଗର ଜମିଦାରମାନଙ୍କ ବିରୁଦ୍ଧରେ କୃଷକମାନଙ୍କ ଆନ୍ଦୋଳନ ସହ ଜଡ଼ିତ। ଏହାର ଆରମ୍ଭ ୧୯୬୦ ଦଶକରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ନକ୍ସଲବାଡ଼ୀ ଗାଁରୁ ହୋଇଥିଲା। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ଚାରୁ ମଜୁମଦାର ଓ କାନୁ ସାନ୍ୟାଲ ସରକାର ଓ ଜମିଦାରମାନଙ୍କ ବିରୁଦ୍ଧରେ କୃଷକ ବିଦ୍ରୋହର ନେତୃତ୍ୱ ନେଇଥିଲେ।
ନକ୍ସଲବାଡ଼ୀ ବିଦ୍ରୋହ ଯୁବକ ଓ ଗାଁ ଲୋକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଏହାର ଫଳସ୍ୱରୂପ ଏହି ଆନ୍ଦୋଳନ ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପିଥିଲା। ଗରିବ ଓ ଭୂମିହୀନ କୃଷକମାନେ ଏହି ଆନ୍ଦୋଳନରେ ଯୋଗ ଦେଇ ନିଜର ଦାବି ଉପସ୍ଥାପନ କରିଥିଲେ। ଏହାକୁ ନକ୍ସଲବାଦୀ ଆନ୍ଦୋଳନ କୁହାଗଲା ଓ ଏଥିରେ ସାମିଲ ଲୋକଙ୍କୁ ନକ୍ସଲୀ କୁହାଗଲା।
ମାଓବାଦ ଆଧୁନିକ ଚୀନର ପ୍ରତିଷ୍ଠାତା ମାଓତ୍ସେ ତୁଙ୍ଗଙ୍କ ବିଚାରଧାରା ସହ ଜଡ଼ିତ, ଯାହା ସଶସ୍ତ୍ର ବିଦ୍ରୋହ ଓ ରଣନୀତିକ ସଂଘବଦ୍ଧତା ଜରିଆରେ କ୍ଷମତା ହାସଲ କରିବାକୁ ସମର୍ଥନ କରେ। ଭାରତରେ ମାଓବାଦ ନକ୍ସଲବାଦ ଆନ୍ଦୋଳନ ଜରିଆରେ ବ୍ୟାପିଥିଲା। ୧୯୬୭ରେ ନକ୍ସଲବାଡ଼ୀ ବିଦ୍ରୋହ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ରେ ବିଭାଜନ ଘଟିଥିଲା ଓ ଏକ ଗୋଷ୍ଠୀ ମାଓବାଦୀ ବିଚାରଧାରାକୁ ସମର୍ଥନ କରିଥିଲା।
ମାଓବାଦୀ ଓ ନକ୍ସାଲବାଦୀଙ୍କ ମଧ୍ୟରେ ପାର୍ଥକ୍ୟ
ମାଓବାଦ ଓ ନକ୍ସଲବାଦ ଉଭୟ ହିଂସା ସହ ଜଡ଼ିତ ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ମୌଳିକ ପାର୍ଥକ୍ୟ ରହିଛି। ନକ୍ସଲବାଦ ନକ୍ସାଲବାଡ଼ୀରେ ବିକାଶର ଅଭାବ ଓ ଦାରିଦ୍ର୍ୟ ଯୋଗୁଁ ଜନ୍ମ ନେଇଥିଲା, ଯେଉଁଠାରେ କୃଷକମାନେ ଜମିଦାରମାନଙ୍କ ଶୋଷଣ ବିରୁଦ୍ଧରେ ଲଢ଼ିଥିଲେ। ମାଓବାଦ ଏକ ବିଦେଶୀ ରାଜନୈତିକ ବିଚାରଧାରା, ଯାହା ଚୀନର ନେତା ମାଓତ୍ସେ ତୁଙ୍ଗଙ୍କଠାରୁ ପ୍ରେରଣା ପାଇଛି। ୧୯୬୨ରେ ଭାରତ-ଚୀନ ଯୁଦ୍ଧ ପରେ ମାଓବାଦୀ ବିଚାରଧାରା ଭାରତରେ ବ୍ୟାପିବାରେ ସହାୟକ ହୋଇଥିଲା।
ସରକାର ଏହାକୁ ଦମନ କରିବା ପାଇଁ ବିଭିନ୍ନ ଅଭିଯାନ ଚଳାଇଛନ୍ତି, କିନ୍ତୁ ମାଓବାଦୀ ବିଚାରଧାରାର ପ୍ରଭାବ ଓ ହିଂସା ଜାରି ରହିଛି। ଛତିଶଗଡ଼ ଦୀର୍ଘ ସମୟ ଧରି ଏହି ହିଂସାରେ ଜର୍ଜରିତ।
Comments are closed.