ମାଲକାନଗିରି: ମୋଷ୍ଟ ୱାଣ୍ଟେଡ ମାଓ ନେତା ରାମକ୍ରିଷ୍ଣାର ମୃତ୍ୟୁ ହୋଇଛି । ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ବେଳେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ର ଓଡିଶା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ତଥା ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍କିରାଜୁ । ଗତ କିଛି ଦିନ ଧରି ସେ କିଡନୀ ରୋଗରେ ପିଡିତ ହୋଇ ଗୁରୁତର ଅବସ୍ଥାରେ ଦକ୍ଷିଣ ବସ୍ତର ଜଙ୍ଗଲ ଭିତରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ତାଙ୍କର ମୄତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଦୀର୍ଘ ଚାରି ଦଶନ୍ଧି ଧରି ରାମକ୍ରିଷ୍ଣା ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ହିଂସା କାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ। ଗତ ୨୦୧୭ ମସିହାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୁଲିସର ଏନକାଉଣ୍ଟରରେ ତାଙ୍କ ପୁଅ ମୁନାର ମୃତ୍ୟୁ ହୋଇଥିଲା । ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରୀୟ ମାଓ ସଂଗଠନର ମୂଖ୍ୟ ସଂପାଦକ ଭାବେ ଦାୟୀତ୍ବ ତୁଲାଇ ଥିବା ବେଳେ ଅସୁସ୍ଥତା ଯୋଗୁଁ ତାଙ୍କ ସ୍ଥାନରେ ନାମ୍ବାଲା କେଶବ ରାଓଙ୍କୁ କେନ୍ଦ୍ରୀୟ କମିଟି ସଂପାଦକ ଦାୟିତ୍ବ ଦିଆଯାଇଥିଲା ।
୨୦୦୪ ତତ୍କାଳୀନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ରାଜ ଶେଖର ରେଡ୍ଡିଙ୍କ ସମୟରେ ଶାନ୍ତି କଥାବାର୍ତ୍ତା ନେଇ ମୁଖ୍ୟ ସ୍ରୋତକୁ ଯାଇ ଚର୍ଚ୍ଚାରେ ଆସିଥିଲେ ରାମକ୍ରିଷ୍ଣା । ମାଲକାନଗିରି ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ, କୋରାପୁଟ ଅସ୍ତ୍ରାଗାର ଲୁଟ, ନୟାଗଡ ଆକ୍ରମଣ, ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ଲଞ୍ଚ ଉପରେ ଆକ୍ରମଣ କରି ୩୪ ଜଣ ଆନ୍ଧ୍ର ଗ୍ରେହାଉଣ୍ଡସ୍ ଜବାନଙ୍କ ହତ୍ୟା ଭଳି ଓଡିଶାର ବହୁ ମାଓ ହିଂସାର ମାଷ୍ଟର ମାଇଣ୍ଡ ଥିଲେ ଆର୍.କେ । ତାଙ୍କ ନାମରେ ପାଞ୍ଚଟି ରାଜ୍ୟରେ ପ୍ରାୟ ୧ କୋଟି ଟଙ୍କାର ପୁରଷ୍କାର ଘୋଷଣା କରାଯାଇଥିଲା ।
Comments are closed.