ନୂଆଦିଲ୍ଲୀ: ଜାପାନ ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁଠାରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ବିଭିନ୍ନ କାରଣରୁ ଝିଅମାନେ ସନ୍ତାନ ଜନ୍ମ ଦେଉନାହାନ୍ତି କିମ୍ବା ମା’ ହେବାର ନିଷ୍ପତ୍ତିକୁ ବିଳମ୍ବ କରୁଛନ୍ତି। ୨୦୨୩ ମସିହାରେ ଜାପାନର ଏକ ସରକାରୀ ରିପୋର୍ଟ ଏହି ସଙ୍କଟକୁ ଆହୁରି ଗମ୍ଭୀର ବୋଲି ବର୍ଣ୍ଣନା କରିଥିଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ଆଣ୍ଡ୍ ସୋସିଆଲ୍ ସିକ୍ୟୁରିଟି ରିସର୍ଚ୍ଚ (ଆଇପିଏସଏସ୍)ର ଅଗଷ୍ଟ ୨୦୨୩ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ୨୦୦୫ରେ ଜନ୍ମିତ ଜାପାନୀ ଝିଅମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଭବିଷ୍ୟତରେ କେବେବି ମା’ ହେବେ ନାହିଁ।
ଆଇପିଏସଏସ୍ର ଅନୁମାନ ଅନୁଯାୟୀ, ପ୍ରାୟ ୩୩.୪ ପ୍ରତିଶତ ମହିଳା ସନ୍ତାନ ଜନ୍ମ ଦେବେ ନାହିଁ। ତଥାପି ସର୍ବୋତ୍ତମ ପରିସ୍ଥିତିରେ ଏହି ସଂଖ୍ୟା ୨୪.୬ ପ୍ରତିଶତ ଏବଂ ସବୁଠୁ ଖରାପ ପରିସ୍ଥିତିରେ ୪୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି କୁହାଯାଇଛି। ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜୁନ୍ ମାସରେ କହିଥିଲେ ଯେ, ଜନସଂଖ୍ୟା ସଙ୍କଟର ମୁକାବିଲା ପାଇଁ ବଡ଼ ପଦକ୍ଷେପ ନିଆଯିବ, ଯେଉଁଥିରେ ତିନି କିମ୍ବା ଅଧିକ ସନ୍ତାନ ଥିବା ପରିବାରକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ଜାପାନୀ ଝିଅମାନେ କେତେ ବୟସରେ ବିବାହ କରୁଛନ୍ତି?
ରିପୋର୍ଟ ଅନୁଯାୟୀ, ଜାପାନରେ ଲୋକମାନେ ପୂର୍ବ ତୁଳନାରେ ବହୁତ ବିଳମ୍ବରେ ବିବାହ କରୁଛନ୍ତି। ଆଇପିଏସଏସ୍ର ଡାୟରେକ୍ଟର ମିହୋ ଇୱାସାୱାଙ୍କ ମତରେ, ଏହି ବିଳମ୍ବ ଜନ୍ମହାର ଉପରେ ସିଧାସଳଖ ପ୍ରଭାବ ପକାଉଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୦ରେ ଜାପାନୀ ମହିଳାମାନେ ପ୍ରଥମ ଥର ବିବାହ ୨୯.୪ ବର୍ଷ ବୟସରେ କରୁଥିଲେ। ଏହା ୧୯୮୫ ତୁଳନାରେ ପ୍ରାୟ ୪ ବର୍ଷ ଅଧିକ। ଇୱାସାୱା କହନ୍ତି ଯେ, ୩୦ ବର୍ଷ ବୟସ ପୂର୍ବରୁ ବିବାହ କରୁଥିବା ମହିଳାମାନଙ୍କ ଘରେ ଅଧିକାଂଶ କ୍ଷେତ୍ରରେ କେବଳ ଗୋଟିଏ ସନ୍ତାନ ହୋଇଥାଏ ଏବଂ ଅନେକ ସମୟରେ ବୟସ ବଢ଼ିବା କାରଣରୁ ମହିଳାମାନେ ମା’ ହୋଇପାରନ୍ତି ନାହିଁ।
କେବେ ହେଉଛନ୍ତି ମା’?
ବିଳମ୍ବରେ ବିବାହର ପ୍ରଭାବ ସନ୍ତାନ ଜନ୍ମ ଦେବାର ବୟସ ଉପରେ ସିଧାସଳଖ ପଡ଼ୁଛି। ଜାପାନରେ ବିବାହରେ ବିଳମ୍ବ ଅର୍ଥ ସନ୍ତାନ ଜନ୍ମ ଦେବାର ବୟସ ପଛକୁ ପଛକୁ ପଳାଇବା। ଅନେକ ସମୟରେ ବିବାହ ବିଳମ୍ବ ହେବାରୁ ଗର୍ଭଧାରଣର ସମ୍ଭାବନା କମିଯାଏ। ତେଣୁ ୨୦୦୫ରେ ଜନ୍ମିତ ଝିଅମାନଙ୍କ ପାଇଁ ‘ସନ୍ତାନହୀନ’ ହେବାର ଅନୁମାନ ଏତେ ବଡ଼ ହୋଇଛି। ପ୍ରଥମ ସନ୍ତାନ ଜନ୍ମ ବିଷୟରେ ଯଦି କହିବା, ନିପ୍ପନ୍ ରିପୋର୍ଟ ଅନୁଯାୟୀ, ଜାପାନରେ ୨୦୧୧ ଠାରୁ ପ୍ରଥମ ଥର ମା’ ହେବାର ବୟସ ନିରନ୍ତର ୩୦ ବର୍ଷରୁ ଉର୍ଦ୍ଦ୍ୱରେ ରହିଛି, ଯାହା ପ୍ରଥମେ ୩୦.୧ ହୋଇଥିଲା। ସେହିପରି, ୨୦୧୫ରୁ ୨୦୧୯ ମଧ୍ୟରେ ଏହା ପ୍ରାୟ. ୩୦.୭ରେ ସ୍ଥିର ରହିଥିଲା, ଯାହା ୧୯୮୫ ତୁଳନାରେ ପ୍ରାୟ ଚାରି ବର୍ଷ ଅଧିକ।
ଆଇପିଏସଏସ୍ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କ ମତରେ, ବିଳମ୍ବରେ ବିବାହ ସହିତ ଆର୍ଥିକ କାରଣ ମଧ୍ୟ ବଡ଼ କାରଣ। ମହଙ୍ଗା ବଢ଼ୁଥିବାରୁ ସନ୍ତାନର ଖର୍ଚ୍ଚ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଟ୍ୟୁସନ୍ ଫିସ୍ରେ ବୃଦ୍ଧି ମଧ୍ୟ ଏହାର ଏକ କାରଣ, କାରଣ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକର ଫିସ୍ ୧୯୭୫ରୁ ୨୦୨୧ ମଧ୍ୟରେ ୫ ଗୁଣ ଏବଂ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଫିସ୍ ୧୯ ଗୁଣ ବଢ଼ିଛି। ଆଇପିଏସଏସ୍ର ଏକ ଅନୁମାନ ଅନୁଯାୟୀ, ୨୦୨୦ରେ ଜାପାନର ଜନସଂଖ୍ୟା ୧୨୬.୧୫ ମିଲିୟନ ଥିଲା, ଯାହା ୨୦୭୦ ସୁଦ୍ଧା ଅନୁମାନିତ ୮୭ ମିଲିୟନ ହେବ। ଅର୍ଥାତ୍ ଆଗାମୀ ଦଶକଗୁଡ଼ିକରେ ଜାପାନ ବିଶ୍ୱର ସବୁଠୁ ଦ୍ରୁତ ହ୍ରାସ ପାଉଥିବା ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରେ।