Latest Odisha News

BREAKING NEWS

ଚିରନିଦ୍ରାରେ ମାଆ, ଉଠାଇବାକୁ ଚେଷ୍ଟା କରୁଛି ପୁଅ

ପାଟନା: ରେଳ ଷ୍ଟେସନର ପ୍ଲାଟଫର୍ମରେ ନିଶବ୍ଦ ହୋଇ ପଡିଛି ମାଆ । ଦେଢ ବର୍ଷର ପୁଅର ପାଟି ଖୋଲୁନି, ତଥାପି ମାଆକୁ ଉଠାଇବାକୁ ଚେଷ୍ଟା କରିଚାଲିଛି । ବୋଧହୁଏ ମାଆକୁ ବୁଝାଇବାକୁ ଚେଷ୍ଟା କରୁଛି । ସମୟ ହୋଇଯାଇଛି, ଟ୍ରେନ୍ ଆସିଗଲାଣି ଆମକୁ ଫେରିବାକୁ ହେବ । ମାଆ ଘୋଡାଇଥିବା ଚାଦରକୁ ବାରମ୍ବାର ଟାଣି ଡାକୁଛି । ହେଲେ ସିଏ କାହିଁକି ଜାଣିବ, ସେ ଯାହାକୁ ଡାକୁଛି ସେ ଆଉ କେବେ ଫେରିବ ନାହିଁ । ଅଫେରା ବାଟର ବାଟୋଇ ସାଜି ପୁଅକୁ ପର କରି ଆରପାରିକୁ ଚାଲିଯାଇଛି ମାଆ ।

ଭିଟାମାଟିକୁ ଫେରିବାକୁ ପ୍ରବାସୀଙ୍କ କୋଳାହଳ ରେ ଫାଟି ପଡୁଛି ପ୍ଲାଟଫର୍ମ ପରିସର । ତଥାପି ମାଆର ନିଦ ଭାଂଗୁନି । ଶହ ଶହ ଲୋକଙ୍କ ଭିଡ ଭିତରେ ସତେ ଯେମିତି ସମସ୍ତଙ୍କ ପାଇଁ ସେ ଅଚିହ୍ନା ହୋଇଯାଇଛି , ଅଜଣା ହୋଇପଡିଛି । ସମସ୍ତେ ଦେଖୁଛନ୍ତି ହେଲେ କେହି ଉଠାଉନାହାଁନ୍ତି । କାରଣ ମାଆ ଦେହରେ ଆଉ ଜୀବନ ନାହିଁ । ପ୍ଲାଟଫର୍ମରେ ଜଣେ ମାଆ ଶୋଇନି ବରଂ ପଡିରହିଛି ଜୀବନ ସଂଘର୍ଷରେ ଥକିଯାଇଥିବା ଜଣେ ପ୍ରବାସୀର ମୃତଦେହ ।

ବିହାରର ମୁଜାଫରପୁର ଷ୍ଟେସନ । ଲକଡାଉନରେ ଘରକୁ ଫେରୁଥିଲା ପରିବାର । ହେଲେ ଏ ରାସ୍ତା ସରିଲାନି । ୪ ଦିନର ଟ୍ରେନ ଯାତ୍ରାରେ ନା କିଛି ଖାଇଥିିଲା ନା ପିଇଥିଲା । ଅବୁଝା ପେଟକୁ ବୁଝାଇ, ଅମାନିଆ ମନକୁ ମନାଇ ଚାଲିଥିବା ମାଆର ଶରୀରରେ ଜୀବନ ରହିବ କିପରି । ଘରକୁ ଫେରିବା ଯାଏ ବି ଅଟକି ନଥିଲା ଜୀବନ । ପ୍ଲାଟଫର୍ମରେ ଓହ୍ଲାଇବା ପରେ ନିର୍ଜୀବ ଭଳି ପଡିିରହିଥିଲା ମୃତଦେହ । ଆଉ ଉଠାଇବାକୁ ଉଦ୍ୟମ କରୁଥିଲା କଅଁଳ ଶିଶୁ । ଆଉ କରୋନା ମହାମାରୀ ଭିତରେ ଘରକୁ ଫେରିବାର ସ୍ୱପ୍ନ, ସ୍ୱପ୍ନ ହୋଇ ରହିଯାଇଥିଲା ଜଣେ ପ୍ରବାସୀ ମାଆର ।

Leave A Reply

Your email address will not be published.