ଭୁବନେଶ୍ୱର: ଯଦି ଆପଣଙ୍କୁ ମଧ୍ୟ ମୋବାଇଲ୍, କମ୍ପୁଟର କିମ୍ବା ଟିଭିରେ ଇଣ୍ଟର୍ନେଟ୍ କନେକ୍ଟିଭିଟିରେ ସମସ୍ୟା ଆସୁଛି, ତେବେ ଆପଣ ଏକାକି ନୁହେଁ। ଦୁନିଆର ଅନେକ ଲୋକ ଏହି ସମସ୍ୟାରେ ରହିଛନ୍ତି । ବାସ୍ତବରେ, ସମୁଦ୍ରରେ ବିଛାଯାଇଥିବା ଅନେକ ସମୁଦ୍ରୀୟ ଫାଇବର ଅପ୍ଟିକ୍ କେବଲ୍ଗୁଡ଼ିକ ବହୁ ସଂଖ୍ୟାରେ କାଟି ଯାଇଛି। ଏହି ଘଟଣା ୬ ସେପ୍ଟେମ୍ବର ଶନିବାର ଭାରତୀୟ ସମୟ ଅନୁସାରେ ୧୧ଚା ୩୦ (UTC ୦୫:୪୫ ଏଏମ୍)ରେ ଘଟିଛି, ଯାହାଦ୍ୱାରା ବିଶ୍ୱର ଇଣ୍ଟରନେଟ ଏବଂ ଫୋନ୍ ସେବାଗୁଡ଼ିକରେ ପ୍ରଭାବ ପଡ଼ିଛି। ଏହି କେବଲ୍ଗୁଡ଼ିକ ମାଧ୍ୟମରେ ଏସିଆ, ମଧ୍ୟ ପୂର୍ବ ଏବଂ ଇୟୁରୋପକୁ ଯୋଡ଼ା ଯାଇଛି। ଏବେ ଇଣ୍ଟରନେଟ ଟ୍ରାଫିକ୍କୁ ଅନ୍ୟ ବୈକଳ୍ପିକ ରାସ୍ତାଗୁଡ଼ିକ ମାଧ୍ୟମରେ ନିଆଯାଉଛି, କିନ୍ତୁ ଏହାର ସିଧା ପ୍ରଭାବ ଆମ ଜୀବନରେ ପଡ଼ିଛି।
ଅନେକ ଦେଶର ଇୟୁଜର୍ସଙ୍କୁ ଅଚାନକ ଇଣ୍ଟରନେଟ ସ୍ଲୋ ହୋଇଯିବା, କଲ୍ ଡ୍ରପ ହୋଇଯିବା ଏବଂ ଭିଡିଓ କଲିଂ ଠିକ୍ ଭାବେ ନହେବା ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ଖାସକରି ଅନଲାଇନ୍ ପଢ଼ୁଥିବା ଛାତ୍ରଛାତ୍ରୀ, ଡିଜିଟାଲ୍ ପେମେଣ୍ଟ୍’ରେ ନିର୍ଭର କରୁଥିବା ଛୋଟ ବ୍ୟବସାୟୀ ଏବଂ ହସ୍ପିଟାଲ୍’ରେ ଟେଲିମେଡିସିନ୍’ରେ କାମ କରୁଥିବା ଡାକ୍ତରମାନଙ୍କ ପାଇଁ ଏହା ବଡ଼ ସମସ୍ୟା ହୋଇଛି। ଏନେଇ ଅପରେଟର୍ମାନେ କହିଛନ୍ତି ଯେ ଅନେକ ଅନ୍ତର୍ଜାତୀୟ କେବୁଲଗୁଡ଼ିକ ପ୍ରଭାବିତ ହୋଇଛନ୍ତି, କିନ୍ତୁ କେଉଁ-କେଉଁ ସିଷ୍ଟମ୍ସକୁ କ୍ଷତି ହୋଇଛି, ତାହାର ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହଁ।
ଜାହାଜଗୁଡ଼ିକୁ କେବୁଲ କଟିଯାଇଥିବା ସ୍ଥାନକୁ ପଠାଇବା, ଗଭୀର ପାଣିରେ ଏହା ମରାମତି କରିବା ଏବଂ ରାଜନୈତିକ ଭାବେ ସଂଵେଦନଶୀଳ କ୍ଷେତ୍ରରେ ପରମିଟ୍ ନେବାରେ ଅନେକ ସପ୍ତାହ ଲାଗିଯାଏ। ଏକ ରିପୋର୍ଟ୍ ଅନୁସାରେ, ଏବେ ଇଞ୍ଜିନିୟରିଂ ଟିମ୍ ଟ୍ରାଫିକକୁ ବିଭିନ୍ନ ରୁଟ୍ସରେ ବାଣ୍ଟୁଛନ୍ତି ଏବଂ ସ୍ଥାନୀୟ ସର୍ଭିସ୍ ପ୍ରୋଭାଇଡରଙ୍କ ସହାୟତା ନେଇ କନେକ୍ଟିଭିଟି ରଖିବାକୁ ଚେଷ୍ଟା କରୁଛନ୍ତି। ଏକ ଅପରେଟର୍ କହିଛନ୍ତି, ‘ଆମେ ପ୍ରତିଦିନ ଟ୍ରାଫିକକୁ ସନ୍ତୁଳିତ କରିବାକୁ ଚେଷ୍ଟା କରୁଛୁ ଏବଂ ଅତିରିକ୍ତ କ୍ଷମତାର ସନ୍ଧାନରେ ରହିଛୁ । ଯେପରିକି ଲୋକମାନଙ୍କ ଉପରେ ପ୍ରଭାବ କମ ପଡୁ।
ଲାଲ ସାଗର ଦୁନିଆର ସବୁଠାରୁ ମହତ୍ୱପୂର୍ଣ୍ଣ ଇଣ୍ଟରନେଟ କରିଡରଗୁଡ଼ିକ ମଧ୍ୟରେ ଗଣାଯାଏ। ଏହି ସମୁଦ୍ର ମାଧ୍ୟମରେ କେବୁଲଗୁଡ଼ିକ ଏସିଆ ଏବଂ ଇୟୁରୋପକୁ ଯୋଡ଼ିଥାଏ। ହେଲେ ଏଥିରେ ଯେତେବେଳେ କୌଣସି ସମସ୍ୟା ହୁଏ, ତେବେ ଏହାର ପ୍ରଭାବ ସିଧାସଳଖ କୋଟି କୋଟି ଲୋକଙ୍କ ଦୈନନ୍ଦିନ ଜୀବନରେ ପଡ଼ିଥାଏ ।ବିଶେଷଜ୍ଞମାନେ କହୁଛନ୍ତି ଯେ ୨୦୨୩ ଏବଂ ୨୦୨୪ରେ ମଧ୍ୟ ଏପରି ଘଟଣାଗୁଡ଼ିକ ଘଟିଛି ଏବଂ ଏହା ସାବ୍ୟସ୍ତ କରେ ଯେ ଦୁନିଆର ଡିଜିଟାଲ୍ ଲାଇଫଲାଇନ୍ କେତେ ପ୍ରଭାବୀ। ଏଥିପାଇଁ ଏବେ ଜୋର ଦିଆଯାଉଛି ଯେ ଇଣ୍ଟରନେଟ କେବୁଲଗୁଡ଼ିକର ନୂଆ ରାସ୍ତା ନିର୍ମାଣ କରାଯିବ, ଯେପରିକି ଗୋଟିଏ ସ୍ଥାନରେ ସମସ୍ୟା ହୋଇଥିଲେ ମଧ୍ୟ ସମଗ୍ର ସିଷ୍ଟମ୍ ଠପ୍ ହେବ ନାହିଁ ।
Comments are closed.