Latest Odisha News

ଅଲୌକିକ ନାଗାର୍ଜୁନ ପରମ୍ପରା -୨

…କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା । ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହିଦିନ ନାଗାର୍ଜୁନର ସ୍ୱନକ୍ଷେତ୍ର ବନ୍ଦାପନା ଦିବସ ପଡିଥିବାରୁ ସେ ମା’ଙ୍କ ନିକଟକୁ ପାତାଳପୁର ଗମନ କରିଥିଲା । ବନ୍ଦାପନା ସମୟରେ ନାନା ଅଶୁଭ ସଂକେତ ଦେଖି ଶୀଘ୍ର ନିଜ ଉଦ୍ୟାନକୁ ପ୍ରତ୍ୟାବର୍ତ୍ତନ କରିବାକୁ ବ୍ଯଗ୍ର ହେଲା । ଉଦ୍ୟାନରେ ଗଣ୍ଡା ବଧକରି ଗଣ୍ଡାର ରକ୍ଷକକୁ ଅପେକ୍ଷା କରି ରହିଥିଲେ । ଗଣ୍ଡା ଦେହରେ ଥିବା ସମସ୍ତ ରତ୍ନ ଅଳଙ୍କାରକୁ ରକ୍ଷକକୁ ପ୍ରଦାନ କରି ମୃତ ଗଣ୍ଡାକୁ ପିତୃଶ୍ରାଦ୍ଧାର୍ଥେ ଘେନି ଯିବା ପାଇଁ ଅପେକ୍ଷା କରିଥିଲେ । ନାଗାର୍ଜୁନ ଉଦ୍ୟାନରେ ପହଞ୍ଚି ଦେଖେ ତ ରୁଦ୍ରଙ୍କ ପ୍ରିୟ ଗଣ୍ଡା ଶରଘାତରେ ମୃତ୍ୟୁ ବରଣ କରିଅଛି । ଏହା ଦେଖି ନାଗାର୍ଜୁନଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଲା । କ୍ରୋଧରେ ଜର୍ଜରିତ ହୋଇ ବ୍ରହ୍ମା ବିଷ୍ଣୁ, ଯକ୍ଷ, ରାକ୍ଷାସ, କିନ୍ନର ଯେ କେହି ଗଣ୍ଡାକୁ ବଧ କରିଥାନ୍ତୁ ନା କାହିଁକି ସେ ତାଙ୍କୁ ଜୀବନରେ ଛାଡିବ ନାହିଁ ବୋଲି ପ୍ରତିଜ୍ଞା କଲା । ଏହି ସମୟରେ ଅର୍ଜୁନ  ଲତା ଗହଳରୁ ବାହାରି ନିଜେ ଗଣ୍ଡା ବଧକାରୀ ବୋଲି ସ୍ୱୀକାର କଲେ ।

ଅର୍ଜୁନଙ୍କୁ ଗଣ୍ଡାର ହତ୍ୟାକାରୀ ବୋଲି ଜାଣି ନାଗାର୍ଜୁନର କ୍ରୋଧ ଦ୍ୱିଗୁଣିତ ହୋଇପଡିଲା । ଚକ୍ଷୁ ଆରକ୍ତ ବର୍ଣ୍ଣ, ମୁଖ ବିବର୍ଣ୍ଣ ଏବଂ କ୍ରୋଧ ଜର୍ଜରିତ ଶରୀରରେ ଅର୍ଜୁନଙ୍କୁ ମାରିବା ପାଇଁ ଶର ନିକ୍ଷେପ କଲା । ଅର୍ଜୁନ ପ୍ରତି ଅସ୍ତ୍ର ପ୍ରେରଣ କରି ଯୁଦ୍ଧ କଲେ । ତିନି ଦିନ ପର୍ଯ୍ୟନ୍ତ ଏ ଯୁଦ୍ଧ ଚାଲିଲା । ଯୁଦ୍ଧରେ କେହି କାହାକୁ ପରାସ୍ତ କରିପାରିଲେ ନାହିଁ । ନାଗାର୍ଜୁନ ଶେଷରେ ଶିବଙ୍କ ଠାରୁ ପ୍ରାପ୍ତ ମହାକାଳ ନାରାଚକୁ ଅର୍ଜୁନ ଉଦ୍ଦେଶ୍ୟରେ ପ୍ରେରଣ କଲା । ଅର୍ଜୁନ ମହାକାଳ ନାରାଚ ଅସ୍ତ୍ରରେ ପରାସ୍ତ ହେଲେ ଏବଂ ତାଙ୍କ ଶରୀର ଦୁଇଖଣ୍ଡ ହୋଇଗଲା । ନାଗାର୍ଜୁନ ଅର୍ଜୁନର ରକ୍ତକୁ ଚିତାରେ ଗ୍ରହଣ କରି ଅର୍ଜୁନର ଧନୁ ଓ କିରୀଟ ଧରି ମା’ ସନ୍ଧ୍ୟାବାଳୀଙ୍କ ନିକଟକୁ ଅଗ୍ରସର ହେଲେ ।

ମା’ଙ୍କ ନିକଟରେ ପହଞ୍ଚି ସମସ୍ତ ବିଷୟ ବର୍ଣ୍ଣନା କରିବା ସହିତ ଅର୍ଜୁନଙ୍କ ଧନୁ ଓ କିରୀଟିକୁ ଦେଖାଗଲା । ସନ୍ଧ୍ୟାବାଳୀ ଧନୁ କିରୀଟିକୁ ଦେଖି ଏହା ଅର୍ଜ୍ଜୁନଙ୍କ ବୋଲି ଜାଣିଲେ । ରାଜପ୍ରାସାଦରେ ଥିବା ଅର୍ଜୁନବୃକ୍ଷ ମଧ୍ଯ ଝାଉଁଳି ଯାଇଥିବା ଦୃଶ୍ଯ ସନ୍ଧ୍ୟାବାଳୀଙ୍କ କ୍ରନ୍ଦନକୁ ଦ୍ବିଗୁଣିତ କରିଦେଲା । ପୁତ୍ରକୁ ଧିକ୍କାର କରିବା ସଙ୍ଗେ ସଙ୍ଗେ ଶୋକାକୁଳ ମା’ ଓ ପୁଅ ଅର୍ଜ୍ଜୁନଙ୍କ ମୃତ ଦେହ ନିକଟକୁ ଆସିଲେ। ଅର୍ଜୁନଙ୍କ ମୃତ ପିଣ୍ଡକୁ ଧରି ପତ୍ନୀ ସନ୍ଧ୍ୟାବାଳୀ ପ୍ରାଣବଳୀ ଦେବାକୁ ସ୍ଥିର କଲେ ।

ନାରଦ ଶ୍ରୀକୃଷ୍ଣଙ୍କୁ ବଳରାମଙ୍କୁ ନାଗାର୍ଜୁନ ଦ୍ୱାରା ଅର୍ଜୁନ ମୃତ୍ୟୁବରଣ କରିଥିବା କଥା ଜଣାଇଦେଲେ । ଏହି ଖବର ଶୁଣି କ୍ରୋଧାନ୍ୱିତ ବଳରାମ ଓ ଶ୍ରୀ କୃଷ୍ଣ ଯାଦବ ଦଳ ସୈନ୍ୟସାମନ୍ତ ଓ ଯୁଧିଷ୍ଠିର ଇତ୍ୟାଦି ପାଣ୍ଡବମାନଙ୍କୁ ଧରି ହର ଉଦ୍ୟାନରେ ପହଞ୍ଚିଲେ । ସଙ୍ଗେ ସଙ୍ଗେ ନାଗାର୍ଜୁନଙ୍କ ସହିତ ଯୁଦ୍ଧ ଆରମ୍ଭ ହୋଇଗଲା । ଯୁଦ୍ଧ ଭୀଷଣରୁ ଭୀଷଣତର ହୁଅନ୍ତେ, ନାରଦ କପିଳାସକୁ ଯାଇ ଶିବଙ୍କୁ ମଧ୍ୟ ଏହି ଯୁଦ୍ଧ ସମ୍ବାଦ ଜଣାଇଦେଲେ । ପ୍ରିୟ ପୁତ୍ର ନାଗାର୍ଜୁନ ସହ କୃଷ୍ଣ ବଳରାମଙ୍କ ଯୁଦ୍ଧ କରିବା କଥା ଶୁଣି ଅନୁଚର ବର୍ଗଙ୍କ ସହ ଶିବ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ। ଯୁଦ୍ଧ ପ୍ରଚଣ୍ଡରୁ ପ୍ରଚଣ୍ଡତ୍ତର ହେବାକୁ ଲାଗିଲା । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ପ୍ରକମ୍ପିତ ହେଲା । ଏ ସମସ୍ତ ଦ୍ବନ୍ଦ୍ୱର ସୂତ୍ରଧର ନାରଦ ପ୍ରମାଦ ଗଣିଲେ । ସଙ୍ଗେ ସଙ୍ଗେ ବ୍ରହ୍ମଲୋକ ଯାଇ ପିତାମହ ବ୍ରହ୍ମାଙ୍କୁ ପରିସ୍ଥିତି ସଂପର୍କରେ ଅବଗତ କରାଇଲେ । ବ୍ରହ୍ମା ତତ୍ କ୍ଷଣାତ୍ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ । ଯୁଦ୍ଧରୁ କ୍ଷାନ୍ତ ହେବାକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଅନୁରୋଧ କଲେ । ଅର୍ଜୁନଙ୍କ ଜୀବନ ହିଁ ତାଙ୍କର ଏକମାତ୍ର କାମ୍ୟ ବୋଲି ଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ କହିଲେ । ଶିବଙ୍କୁ କ୍ରୋଧ ଶାନ୍ତ କରିବାକୁ ବ୍ରହ୍ମା ମଧ୍ୟ ଅନୁରୋଧ କଲେ। ବ୍ରହ୍ମାଙ୍କ ଅନୁରୋଧରେ ସମସ୍ତେ କ୍ରୋଧ ଶାନ୍ତ କରନ୍ତେ, ସେ ଯମରାଜାଙ୍କୁ ସ୍ମରଣ କଲେ ।  ଯମରାଜା ମାତୃ ଅଭିଶାପ ଗ୍ରସ୍ଥ ଗଳିତ କୁଷ୍ଠ ବ୍ୟାଧି କ୍ରାନ୍ତ ଶରୀରରେ ଉପସ୍ଥିତ ହେଲେ ।

ମା’ ଛାୟାଙ୍କ ଦ୍ୱାରା ଅଭିଶାପ ପାଇ ରୋଗଗ୍ରସ୍ତ ହୋଇଥିଲେ ମଧ୍ୟ ଏହି ଅଭିଶାପରୁ ମୁକ୍ତ ହେବାର ଉପାୟ କହିଥିଲେ । କୌଣସି ଏକ ସମୟରେ ବ୍ରହ୍ମା ବିଷ୍ଣୁ ଏବଂ ଶିବଙ୍କ ଏକତ୍ର ଦର୍ଶନ କଲେ ଏବଂ ଶିବ ପ୍ରୀତ ହୋଇ ବର ଦେଲେ ବ୍ୟାଧି ମୁକ୍ତ ହୋଇପାରିବେ ବୋଲି ଛାୟା କହିଥିଲେ । ବ୍ରହ୍ମାଙ୍କ ଅନୁରୋଧରେ ଯମରାଜା ଅର୍ଜୁନଙ୍କୁ ସଂଜୀବନୀ ମନ୍ତ୍ର ପ୍ରଦାନ କରିବାରୁ ଶିବ ପ୍ରୀତ ହୋଇ ଯମରାଜାଙ୍କୁ କୁଷ୍ଠ ବ୍ୟାଧିରୁ ମୁକ୍ତ କଲେ । ପଣ୍ଡୁ ରାଜାଙ୍କ ପାଇଁ ଯମ ଏହି ଭଳି ଏକ ଦୁର୍ଲ୍ଲଭ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ପଣ୍ଡୁଙ୍କୁ ବ୍ରହ୍ମଲୋକକୁ ଯିବାକୁ ଅନୁମତି ପ୍ରଦାନ କଲେ । ପଣ୍ଡୁଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେଲା । ଯାଦବ ଆଉ ପାଣ୍ଡବ କୂଳ ଆନନ୍ଦିତ ହେଲେ । ପିତୃଶ୍ରାଦ୍ଧର ମଧ୍ୟ ଆବଶ୍ୟକତା ରହିଲା ନାହିଁ । ଏଣୁ ଯମ ମୃତ ସଂଜୀବନୀ ମନ୍ତ୍ର ଦ୍ବାରା ମୃତ ଗଣ୍ଡାକୁ ମଧ୍ୟ ଜୀବନ ପ୍ରଦାନ କଲେ ।

ଏ ସମସ୍ତ ଆନନ୍ଦ ମଧ୍ୟରେ ପୁଣି ଏକ ବିଷାଦର ଛାୟା ଘୋଟିଗଲା, ଅର୍ଜୁନ ଏକ କିଶୋର ବାଳକ ଦ୍ୱାରା ପରାସ୍ତ ହୋଇ ମୃତ୍ୟୁବରଣ କରିଥିବା କଥା ଜାଣିବା ପରେ ନିଜକୁ ଧିକ୍ କାର କରିବା ସହିତ ଆତ୍ମହତ୍ୟା କରିବା ପାଇଁ ପ୍ରତିଜ୍ଞା କଲେ । ପୃଥିବୀରେ ଶ୍ରୀକୃଷ୍ଣଙ୍କ ବ୍ଯତୀତ ଅନ୍ୟ କାହାଦ୍ୱାରା ସେ ପରାସ୍ତ ହେବେ ନାହିଁ ବୋଲି ତାଙ୍କର ଦୃଢ ଧାରଣା ଥିଲା । ଏହି ଅଂହକାର ଦୂରୀଭୂତ କରିବା ପାଇଁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ଅର୍ଜୁନଙ୍କୁ ପରାସ୍ତ କରିଥିଲେ ବୋଲି ପ୍ରବୋଧନା ଦେଲେ । କିନ୍ତୁ, ଅର୍ଜୁନ ଏହି ପ୍ରବୋଧନାରେ ଶାନ୍ତ ନ ହେବାରୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲେ । ଅର୍ଜୁନ ନିଜ ପୁତ୍ରଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ସଖା ଶ୍ରୀକୃଷ୍ଣଠାରେ ପୁତ୍ର ନାଗାର୍ଜୁନକୁ ଦେଖି ଆଶ୍ଚର୍ଯ୍ୟ ହେବା ସଂଗେ ସଂଗେ ନିଜକୁ ଧନ୍ୟ ମଣିଲେ । ପିତା ପୁତ୍ର ଆନନ୍ଦରେ ପରସ୍ପରକୁ କୋଳାଗ୍ରତ କଲେ । ସ୍ୱର୍ଗରୁ ଦେବତାମାନେ ନାଗାର୍ଜୁନ ଉପରେ ପୁଷ୍ପବୃଷ୍ଟି କଲେ । ଏହି ଐଶ୍ୱର୍ଯ୍ୟଲୀଳାର ସ୍ମାରକୀ ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।

ନାଗାର୍ଜୁନ ଓ ଅର୍ଜୁନଙ୍କ ଯୁଦ୍ଧ ଶେଷରେ ଅର୍ଜୁନଙ୍କ ମୃତ ପିଣ୍ଡ ଗୋଟିଏ ଦିନ ପଡି ରହିଥିଲା । ଏହା ମଧ୍ୟରେ ଶ୍ରୀକୃଷ୍ଣ ବଳରାମ ଓ ଶିବଙ୍କର ଯୁଦ୍ଧ, ବ୍ରହ୍ମା ଏବଂ ଯମରାଜାଙ୍କ ଆଗମନ ହୋଇଛି । ଗୋଟିଏ ଦିନର ଗୋଟିଏ ତିଥି ଅତିକ୍ରାନ୍ତ ହୋଇଗଲେ ମୃତ ସଂଜୀବନୀ ମନ୍ତ୍ର କାର୍ଯ୍ୟ କରିନଥାଏ । ଏଣୁ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କୁ ଅନ୍ୟ ଏକ ତିଥିକୁ ସଂକ୍ରମଣ ନ କରିବା ପାଇଁ ଅନୁରୋଧ କରିଥିଲେ । ଅର୍ଥାତ୍, ଗୋଟିଏ ତିଥି ସୂର୍ଯ୍ୟଦେବ ଦୁଇଦିନ ଭୋଗ କଲେ । ନିଜର ପୁତ୍ର ଯମର ଅଭିଶାପ ମୋଚନ ସମୟ ଉପସ୍ଥିତ ଜାଣି ସୂର୍ଯ୍ୟଦେବ ଶ୍ରୀକୃଷ୍ଣଙ୍କ ଅନୁରୋଧ ରକ୍ଷା କରିଥିଲେ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ ନାଗାର୍ଜୁନ ଏବଂ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା । ଅର୍ଜୁନଙ୍କ ପୁନର୍ଜନ୍ମ ମଳ ତିଥିରେ ହେଲା ଏଣୁ ଏହାର ସ୍ମାରକୀ ସ୍ବରୂପ ଯେଉଁ ବର୍ଷ କାର୍ତ୍ତିକ ମାସ ଏକାଦଶୀଠାରୁ ପୂର୍ଣ୍ଣମୀ ମଧ୍ୟରେ ମଳ ତିଥି ଭୋଗ ହୁଏ । ସେହିବର୍ଷ ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶରେ ଭୂଷିତ କରାଯାଇଥାଏ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.