ଭୁବନେଶ୍ୱର : ଯଦି ଆପଣ ଆପଣଙ୍କର ପୁରୁଣା ଆମାଜନ୍ ଫାୟାର ଟିଭି ଷ୍ଟିକ୍ ମାଧ୍ୟମରେ ନେଟଫ୍ଲିକ୍ସରେ ଫିଲ୍ମ ଓ ସୋ’ର ମଜା ନେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଟିକେ ନିରାଶାଜନକ ହୋଇପାରେ। ନେଟଫ୍ଲିକ୍ସ ଘୋଷଣା କରିଛି ଯେ ଆଗାମୀ ୨ ଜୁନ୍ ୨୦୨୫ରୁ କିଛି ପୁରୁଣା ଆମାଜନ୍ ଫାୟାର ଟିଭି ଡିଭାଇସ୍ରେ ତାଙ୍କର ସେବା ବନ୍ଦ ହେବ।
ନେଟଫ୍ଲିକ୍ସ ଏବେ ଏକ ନୂଆ ଓ ଅଧିକ ଉନ୍ନତ ଭିଡିଓ ଫର୍ମାଟ ‘AV1’କୁ ଗ୍ରହଣ କରୁଛି। ଏହି ଟେକ୍ନୋଲୋଜି କମ ଡାଟାରେ ଉଚ୍ଚ ଗୁଣବତ୍ତାର ଭିଡିଓ ପ୍ରଦର୍ଶନ କରିବାର କ୍ଷମତା ରଖିଛି। କିନ୍ତୁ ସମସ୍ୟା ହେଉଛି ଯେ ପୁରୁଣା ଡିଭାଇସ୍ଗୁଡ଼ିକ ଏହି ଫର୍ମାଟକୁ ସୋପର୍ଟ କରୁନାହିଁ। ଖାସକରି ୨୦୧୪ ଓ ୨୦୧୬ରେ ଲଞ୍ଚ ହୋଇଥିବା ଆମାଜନ୍ ଫାୟାର ଟିଭି ମଡେଲଗୁଡ଼ିକ ଏହାକୁ ଚଲାଇ ପାରିବ ନାହିଁ।
ଯେଉଁ ବ୍ୟବହାରକାରୀମାନେ ପ୍ରଥମ ପିଢ଼ିର ଫାୟାର ଟିଭି ଷ୍ଟିକ୍, ୨୦୧୪ର ଫାୟାର ଟିଭି, କିମ୍ବା ୨୦୧୬ରେ ଲଞ୍ଚ ହୋଇଥିବା ଆଲେକ୍ସା ଭଏସ୍ ରିମୋଟ ସହିତ ଫାୟାର ଟିଭି ଷ୍ଟିକ୍ ବ୍ୟବହାର କରୁଛନ୍ତି, ସେମାନେ ୨ ଜୁନ୍ ୨୦୨୫ ପରେ ନେଟଫ୍ଲିକ୍ସ ଚଲାଇପାରିବେ ନାହିଁ। ଏହି ଡିଭାଇସ୍ଗୁଡ଼ିକ ନୂଆ ଫର୍ମାଟକୁ ସୋପର୍ଟ କରିବ ନାହିଁ।
ଯଦି ନେଟଫ୍ଲିକ୍ସ ଆପଣଙ୍କ ମନୋରଞ୍ଜନର ଏକ ଅଂଶ ଓ ଆପଣ ଏହି ପୁରୁଣା ଡିଭାଇସ୍ଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଏବେ ଆପଣଙ୍କ ସେଟଅପ୍କୁ ଅପଗ୍ରେଡ୍ କରିବାର ସମୟ ଆସିଛି। ନୂଆ ଫାୟାର ଟିଭି ଷ୍ଟିକ୍ ୪କେ ଭଳି ଡିଭାଇସ୍ଗୁଡ଼ିକ ଅଧିକ ସ୍ପିଡ୍, ଉନ୍ନତ ଭିଜୁଆଲ ଗୁଣବତ୍ତା ଓ ନୂଆ ଟେକ୍ନୋଲୋଜି ସହ ଆସୁଛି। ଏହା ବର୍ତ୍ତମାନ ଆମାଜନ୍ ଓ ଫ୍ଲିପକାର୍ଟରେ ପ୍ରାୟ ୫,୯୯୯ ଟଙ୍କାରେ ଉପଲବ୍ଧ, ଯଦିଓ ମୂଲ୍ୟରେ ଅସମାନତା ହୋଇପାରେ।
ଟେକ୍ନୋଲୋଜି ଦ୍ରୁତ ଗତିରେ ବଦଳୁଛି ଓ ପୁରୁଣା ଡିଭାଇସ୍ଗୁଡ଼ିକ ଧୀରେ ଧୀରେ ଅପ୍ରଚଳିତ ହେଉଛି। ଯଦି ଆପଣ ନେଟଫ୍ଲିକ୍ସରେ ଆପଣଙ୍କ ପସନ୍ଦୀୟ ସୋ’ କିମ୍ବା ଫିଲ୍ମ ବିନା ବାଧାରେ ଦେଖିବାକୁ ଚାହାଁନ୍ତି, ତେବେ ନୂଆ ଡିଭାଇସ୍ରେ ନିବେଶ କରିବା ଏବେ ଅନିବାର୍ଯ୍ୟ ହୋଇପଡ଼ିଛି। ନେଟଫ୍ଲିକ୍ସ ପ୍ରେମୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ନିଜର ଡିଭାଇସ୍ ଯାଞ୍ଚ କରି ଆବଶ୍ୟକ ହେଲେ ଅପଗ୍ରେଡ୍ କରନ୍ତୁ।
Comments are closed.