ନୂଆଦିଲ୍ଲୀ: ଏକ୍ସପାୟର୍ଡ ଗ୍ଲୁକୋଜ ନେଇଗଲା ଜଣେ ନବଜାତ ଶିଶୁର ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିଟ ଅଞ୍ଚଳରେ ।
ସ୍ପେଶାଲ ନ୍ୟୁ ବର୍ଣ୍ଣ ୟୁନିଟ(ଏସଏନସିୟୁ)ରେ ଚିକିତ୍ସିତ ହେଉଥିଲେ ଜଣେ ନବଜାତକ । ଏହି ସମୟରେ ତାଙ୍କୁ ଏକ ଏକ୍ସପାୟର୍ଡ ଗ୍ଲୁକୋଜ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ମହିଳା ନର୍ସଙ୍କୁ ଚାକିରିରୁ ବିଦା କରାଯାଇଛି ।
ସୂଚନା ଅନୁସାରେ, ରାଧା ସିଂ ନାମକ ଜଣେ ମହିଳା ଗତ ଜାନୁଆରୀ ୨୭ ତାରିଖରେ ନିଜ ଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସେହିଦିନ ଶିଶୁଟି ହଠାତ ସ୍ତନ୍ୟପାନ କରିବା ବନ୍ଦ କରିଦେଇଥିଲା। ଏହି କାରଣରୁ ରାଧା ଓ ତାଙ୍କ ପରିବାର ଲୋକ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡ଼ିଯିବାରୁ ଡାକ୍ତର ତାକୁ ଏସଏନସିୟୁରେ ଭର୍ତ୍ତି କରାଇଥିଲେ। ହେଲେ ଶିଶୁଟି ଆହୁରି ଗୁରୁତର ହେବାରୁ ତାକୁ ସଙ୍ଗେସଙ୍ଗେ ଲକ୍ଷ୍ନୌକୁ ସ୍ତାନାନ୍ତର କରାଯାଇଥିଲା। ତେବେ ତାକୁ ଲକ୍ଷ୍ନୋକୁ ନବା ବାଟରେ ସେ ଆମ୍ବୁଲାନ୍ସରେ ହିଁ ପ୍ରାଣ ହରାଇଥିଲା। ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଏସଏନସିୟୁରେ ଚିକିତ୍ସା ସମୟରେ ନବଜାତକଙ୍କୁ ଏକ୍ସପାୟର୍ଡ ଗ୍ଲୁକୋଜ ଦେବାକାରଣରୁ ତାର ମୃତ୍ୟୁ ହୋଇଛି । ଏହାସହ ପରିବାର ଲୋକେ ଡାକ୍ତରଖାନା ଆଗରେ ଧାରଣା ଦେଇଛନ୍ତି। ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନିୟ ଲୋକମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଗରେ ଆସି ହଙ୍ଗାମା ଆରମ୍ଭ କରିଦେଇଥିଲେ।
ମୃତକ ନବଜାତ ଶିଶୁର ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତ ଶରୀରକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଶବକୁ ଡାକ୍ତରଖାନାକୁ ପଠାଇଛି। ଅନ୍ୟପଟେ ପିଲିଭିଟର ମୁଖ୍ୟ ଚିକିତ୍ସା ଅଧିକାରୀ ଆଲୋକ କୁମାର ଏହି ଘଟଣା ପାଇଁ ପ୍ରୀତି ଜସୱାଲ ଓ ପୁଷ୍ପା ମିଶ୍ରା ନାମକ ଦୁଇଜଣ ଷ୍ଟାଫ ନର୍ସଙ୍କୁ ବରଖାସ୍ତ କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି ବୋଲି ଆଲୋକ କହିଛନ୍ତି।
Comments are closed.