Latest Odisha News

BREAKING NEWS

ନିଜ ପାଇଁ ନାନାବାୟା

ନିଜ ପାଇଁ ନାନାବାୟା

ରତ୍ନମାଳା ସ୍ୱାଇଁ

ଆଜି ରାତିରେ
ଇଚ୍ଛାହଉଚି ଚାଲିଯିବାକୁ
ତୋ ପାଖକୁ ।
କୁନିଛୁଆଟିଏ ପରି ଜାକିଜୁକି ହେଇ
ଶୋଇ ପଡ଼ିବାକୁ ତୋରି କୋଳରେ ।

ଆଜି ରାତିରେ
ଲୋଡ଼ାପଡ଼ୁଚି ପିଠିଥାପୁଡ଼ା
ଧୋ’ରେ ବାଇଆ ଗୀତ
ଜହ୍ନମାମୁଁର ଛାଇ
ମାମୁଁଘର ଗାଁ
ଅଙ୍କାବଙ୍କା ନଈ ।

ଆଜି ରାତିରେ
ଲୋଡ଼ାପଡ଼ୁଛି ଆଉଟିକେ ଅନ୍ଧାର
ହଜିଯିବାକୁ
ଭିଜିଯିବାକୁ
ମଜ୍ଜିଯିବାକୁ ତୋରି ଛାତିରେ ।

ଆଜି ରାତିରେ
ଉଭା ହେଉଛନ୍ତି ମୋର ଯେତେସବୁ
ନିପାରିଲାପଣ
ସଂସାର ଜଂଜାଳରେ ଛନ୍ଦିହେଇ
ବଂଧାପଡ଼ିଥିବା ମୋ ଜୀବନ
ବାରଂବାର ଦିଶିଯାଉଚି ମୋତେ ମୋର
କରୁଣ ମୁହଁ
ଲୁହର ଆଇନାରେ, ଅଧ ରାତିରେ ।

ଆଜି ରାତିରେ
ଲୋଡ଼ାହେଉଛି ଆଉଟିକେ
ବହଳ ନିଦ
ଯେଉଁ ନିଦରେ ଥିବ
ସ୍ୱପ୍ନର ଗୋଟେ ସୋରିଷକ୍ଷେତ

ସେଇ କ୍ଷେତରେ ମୁଁ ଜିଇବି
ତୋ ସହ ଆଉ କିଛି ଦିନ, ମାସ, ବର୍ଷ
ଖାସ୍‍ ତୋରି ସାଥିରେ,

ଆଜି ରାତିରେ ।

Leave A Reply

Your email address will not be published.