Latest Odisha News

BREAKING NEWS

ଫିଙ୍ଗରପ୍ରିଣ୍ଟ ଓ ଫେସ୍ ଆଇଡିରେ ବି କରିପାରିବେ UPI ପେମେଣ୍ଟ, ଜାଣନ୍ତୁ କେମିତି କରିବେ..

ନୂଆଦିଲ୍ଲୀ: ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ପେମେଣ୍ଟ ପାଇଁ ଏବେ ପିନ୍ ନମ୍ବରର ଆବଶ୍ୟକତା ନାହିଁ। ନିକଟରେ ନେସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଘୋଷଣା କରିଛି ଯେ ଏବେ ଫିଙ୍ଗରପ୍ରିଣ୍ଟ ଓ ଫେସ୍ ଆଇଡି ମାଧ୍ୟମରେ ମଧ୍ୟ ୟୁପିଆଇ ପେମେଣ୍ଟ କରାଯାଇପାରିବ। ଏହି ବାୟୋମେଟ୍ରିକ୍ ଅଥେଣ୍ଟିକେସନ ସୁବିଧା ବିଶେଷକରି ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ହେବ ଏବଂ ପିନ୍ ନମ୍ବର ନାମରେ ହେଉଥିବା ଠକେଇ ଉପରେ ମଧ୍ୟ ରୋକ ଲାଗିବ। ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଫିଙ୍ଗରପ୍ରିଣ୍ଟ ଓ ଫେସ୍ ଆଇଡି ମାଧ୍ୟମରେ ପେମେଣ୍ଟ କରାଯାଇପାରିବ।
ୟୁପିଆଇ ଆପରେ କିପରି ସେଟ୍ କରିବେ ବାୟୋମେଟ୍ରିକ୍ ଅଥେଣ୍ଟିକେସନ?
ପ୍ରଥମେ ଆପଣଙ୍କ ୟୁପିଆଇ ଆପକୁ ଅପଡେଟ୍ କରନ୍ତୁ। ଏହାପରେ ଆପର ସେଟିଂସ୍ କିମ୍ବା ପ୍ରୋଫାଇଲ୍ ସେକ୍ସନକୁ ଯାଆନ୍ତୁ। ସେଠାରେ ବାୟୋମେଟ୍ରିକ୍ ଅଥେଣ୍ଟିକେସନର ଅପସନ ଦେଖନ୍ତୁ। ଏହି ଅପସନକୁ ଯାଇ ‘ଫେସ୍ ଅନଲକ୍ ଫର୍ ୟୁପିଆଇ ପେମେଣ୍ଟ’କୁ ଇନେବଲ୍ କରନ୍ତୁ। ଶେଷରେ ଆପଣଙ୍କୁ ପିନ୍ ନମ୍ବର ଦେଇ କନଫର୍ମେସନ କରିବାକୁ ହେବ।

ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ୟୁପିଆଇ ପେମେଣ୍ଟ କିପରି କରିବେ?

ବାୟୋମେଟ୍ରିକ୍ ଅଥେଣ୍ଟିକେସନ ଇନେବଲ୍ କରିବା ପରେ ଆପଣ ଫିଙ୍ଗରପ୍ରିଣ୍ଟ ଓ ଫେସ୍ ଆଇଡି ମାଧ୍ୟମରେ ପେମେଣ୍ଟ କରିପାରିବେ। ଫିଙ୍ଗରପ୍ରିଣ୍ଟ ଦ୍ୱାରା ପେମେଣ୍ଟ କରିବା ପାଇଁ ପ୍ରଥମେ ୟୁପିଆଇ ଆପକୁ ଅନଲକ୍ କରନ୍ତୁ ଏବଂ ପେମେଣ୍ଟ ଆରମ୍ଭ କରନ୍ତୁ। ଏହାପରେ ପେମେଣ୍ଟ ଆମାଉଣ୍ଟ ଏଣ୍ଟର କରନ୍ତୁ ଏବଂ ‘ୟୁଜ୍ ବାୟୋମେଟ୍ରିକ୍’ ଅପସନକୁ ସିଲେକ୍ଟ କରନ୍ତୁ। ତା’ପରେ ଫୋନର ଫିଙ୍ଗରପ୍ରିଣ୍ଟ ସେନସର ଉପରେ ଆଙ୍ଗୁଠି ରଖି ପେମେଣ୍ଟକୁ ଅଥେଣ୍ଟିକେଟ କରନ୍ତୁ। ଏହିପରି ଆପଣଙ୍କ ପେମେଣ୍ଟ ସମ୍ପୂର୍ଣ୍ଣ ହୋଇଯିବ।
ଫେସ୍ ଆଇଡି ମାଧ୍ୟମରେ କିପରି ହେବ ପେମେଣ୍ଟ?
ଫିଙ୍ଗରପ୍ରିଣ୍ଟ ପରି ହିଁ ଆପଣ ଫେସ୍ ଆଇଡି ସାହାଯ୍ୟରେ ପେମେଣ୍ଟ କରିପାରିବେ। ଏଥିପାଇଁ ପେମେଣ୍ଟ ଆରମ୍ଭ କରନ୍ତୁ ଓ ଆମାଉଣ୍ଟ ଏଣ୍ଟର କରନ୍ତୁ। ଯେତେବେଳେ ପେମେଣ୍ଟ ଅଥେଣ୍ଟିକେସନର ଅପସନ ଆସିବ, ସେଠାରେ ‘ୟୁଜ୍ ଫେସ୍ ଆଇଡି’ ଉପରେ ଟ୍ୟାପ୍ କରନ୍ତୁ। ଟ୍ୟାପ୍ କରିବା ପରେ ଫୋନର ଫ୍ରଣ୍ଟ କ୍ୟାମେରାକୁ ଦେଖନ୍ତୁ, ଆଖି ଝପିବା ମାତ୍ରେ ଆପଣଙ୍କ ପେମେଣ୍ଟ ସମ୍ପୂର୍ଣ୍ଣ ହୋଇଯିବ।

ୟୁପିଆଇ ମାଧ୍ୟମରେ ସର୍ବାଧିକ ଡିଜିଟାଲ ଲେଣଦେଣ
ଗତ କିଛି ବର୍ଷ ଧରି ଭାରତରେ ଡିଜିଟାଲ ଲେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୟୁପିଆଇରେ ଡିଜିଟାଲ ଲେଣଦେଣରେ ସର୍ବାଧିକ ଅଂଶୀଦାରୀ ରହିଛି। ଏକ ରିପୋର୍ଟ ଅନୁସାରେ, ଗତ ବର୍ଷ ଭାରତରେ ୟୁପିଆଇ ମାଧ୍ୟମରେ ୧୭,୨୨୧ କୋଟି ଟ୍ରାଞ୍ଜାକସନ ହୋଇଥିଲା, ଯେତେବେଳେ କି ୨୦୧୯ରେ ଏହି ସଂଖ୍ୟା ମାତ୍ର ୧,୦୭୯ କୋଟି ଥିଲା। ଟ୍ରାଞ୍ଜାକସନର ମୋଟ ମୂଲ୍ୟ ଦେଖିଲେ, ୨୦୧୯ରେ ୧୮.୪ ଲକ୍ଷ କୋଟି ଟଙ୍କାର ଲେଣଦେଣ ହୋଇଥିବା ବେଳେ ୨୦୨୪ରେ ଏହା ପ୍ରାୟ ୨୪୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

Comments are closed.