ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ସରକାରୀ ଡାକ୍ତର । ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚେତାବନୀ ଦିଆଯାଇଛି । ସରକାର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଯୋଗ ଦେବେ ନାହିଁ ।
ଏହା ପୂର୍ବରୁ ଓଡ଼ିଶା ସରକାରଙ୍କ ସହ ଓମସା ଏକାଧିକ ଥର ଆଲୋଚନା କରିଥିବା ବେଳେ ସୁଫଳ ମିଳି ନଥିଲା । ଡାକ୍ତରମାନେ କେନ୍ଦ୍ରୀୟ ହାରରେ ବେତନ ଦାବି କରୁଛନ୍ତି । ଦାବି ପୂରଣ ନହେଲେ ଫେବ୍ରୁଆରୀ ୧ରୁ ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ କରିବେ ।
ଡାକ୍ତରଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାରଙ୍କ ନୀତି ଯୋଗୁ ରାଜ୍ୟ କ୍ୟାଡରରେ ନିଯୁକ୍ତି ଲାଗି ଆଗ୍ରହ ରହୁ ନାହିଁ । କେବିକେ ଅଞ୍ଚଳରେ ବାଧ୍ୟତମୂଳକ ସେବାକୁ ସରକାର ପ୍ରତ୍ୟାହାର କରାଇ ନେବା ପାଇଁ ଓମସା ଦାବି କରିଛି । ଏହାଦ୍ୱାରା ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟର ବୃହତ୍ତର ସ୍ୱାର୍ଥ୍ୟ ହାସଲ ହୋଇ ପାରିବ ବୋଲି କହିଛନ୍ତି ଡାକ୍ତର ।
ଏବେ ହକି ବିଶ୍ୱକପ୍ ଆରମ୍ଭ ହେଉଥିବାରୁ ଡାକ୍ତରମାନେ ଟୁର୍ଣ୍ଣାମେଣ୍ଟ ସରିବା ଯାଏ ଅପେକ୍ଷା କରିବେ । ଯଦି ସେ ସମୟ ମଧ୍ୟରେ ସରକାର ଦାବି ପୂରଣରେ ବିଫଳ ହୁଅନ୍ତି ତ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମସି ପକ୍ଷରୁ ପ୍ରେସମିଟରେ କୁହାଯାଇଛି ।
Comments are closed.