Latest Odisha News

ଜୋରଦାର ହେବ ଗାଡ଼ି ଚେକିଂ, ଏହି ଡକ୍ୟୁମେଣ୍ଟ ନଥିଲେ ୪ ହଜାର ଫାଇନ !

ଭୁବନେଶ୍ୱର : ବୀମା ନଥାଇ ଗାଡି ଚଳାଉଥିଲେ ସାବଧାନ । ଶନିବାର ଠାରୁ ବୀମା ନଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ିଲେ କଟିବ ଚାଲାଣ । ବୀମା ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ ଜରିଆରେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍‌ଗେଟ୍ । ପ୍ରଥମ ଥର ଧରା ପଡ଼ିଲେ ଏକ ହଜାର ଟଙ୍କା ଏବଂ ବାରମ୍ବାର ନିୟମ ଉଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । କେବଳ ଜରିମାନା ନୁହେଁ ବରଂ ଗାଡ଼ି ମାଲିକଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡରେ ଦଣ୍ଡିତ ମଧ୍ୟ ହୋଇ ପାରନ୍ତି । ସେପଟେ ଯେଉଁମାନଙ୍କ ଗାଡ଼ିର ବୀମା ନାହିଁ, ସେମାନେ ଆସନ୍ତାକାଲି ଠାରୁ ଗାଡ଼ିକୁ କୌଣସି ଟୋଲଗୋଟ ଦେଇ ନିଅନ୍ତୁ ନାହିଁ ବୋଲି କହି ସତର୍କ କରାଇଛି ଏସ୍‌ଟିଏ ।

ଟୋଲଗେଟ୍‌ଗୁଡିକରେ ପ୍ରତିଟି ଲେନ୍‌ରେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲାଗିଛି । ସେହି କ୍ୟାମେରା ଲେନ୍ ଦେଇ ଯାତାୟତ କରୁଥିବା ପ୍ରତିଟି ଗାଡ଼ିର ଫଟୋ ଉଠିଥାଏ । କ୍ୟାମେରାଗୁଡ଼ିକ ବାହାନ ପୋର୍ଟାଲ ସହିତ ସଂଯୋଗୀକରଣ ହୋଇଥିବାରୁ ଏହାଦ୍ବାରା ଉଠାଯାଉଥିବା ପ୍ରତିଟି ଫଟୋ ବାହାନ ପୋର୍ଟାଲରେ ଷ୍ଟୋର ହୋଇଥାଏ । ବାହାନ ପୋର୍ଟାଲର ଇ-ଡିଟେକ୍ସନ ବ୍ୟବସ୍ଥା ଷ୍ଟୋର ହେଉଥିବା ସେହି ଫଟୋରୁ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରକୁ ଚିହ୍ନଟ କରି ଗାଡ଼ିର ବୈଧ ବୀମା ଅଛି ବା ନାହିଁ ତାହା ଜଣାପାଡ଼ିବ । ଆଉ ଏହାର କିଛି କ୍ଷଣ ମଧ୍ୟରେ ସ୍ବୟଂକ୍ରିୟ ପ୍ରଣାଳୀ-STAରେ ଗାଡ଼ିର ଚାଲାଣ କଟିବ ।

ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଏଭଳି ବରମ୍ବାର ନିୟମ ଉଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ବି ରହିଛି। ବୈଧ ବୀମା ନଥାଇ ଗାଡ଼ି ଚଳାଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଫେବୃଆରି ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବା ପାରିଁ ଗତ ୧୮ ତାରିଖ ଦିନ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ତେଣୁ ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନେକ ଘରୋଇ ଓ ବ୍ୟାବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି। ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.