Latest Odisha News

BREAKING NEWS

ପ୍ରଳୟଙ୍କରୀ ‘ଫନୀ’ କୁ ବର୍ଷେ; ଆଜିବି ଲିଭିନି ମନରୁ ସେ ଭୟଙ୍କର ଦୃଶ୍ୟ

ଭୁବନେଶ୍ୱର: ଆଜିକୁ ଠିକ ବର୍ଷେ ବିତିଯାଇଛି ପ୍ରଳୟଙ୍କରୀ ବାତ୍ୟା ଫନୀକୁ ।୨୦୧୯ ମେ’ ମାସ ତିନି ତାରିଖ,କଥା ମନେ ପଡିଲେ ଆଜି ଦେହ ଶୀତେଇ ଉଠେ, ଛାତି ଭିତରେ ଗୋଟିଏ ଅଜଣା ଭୟ ଉଙ୍କିମାରି ଉଠେ ।

ମନଙ୍କୁ ଆମୋଦିତ କରିଥିବା ପବନ ଯେ ଏତେ ଭୟଙ୍କର ହୋଇପାରେ ତାହା ସେହି ଦିନ ଛାତିଥରା ଦୃଶ୍ୟକୁ ଦେଖି ବୁଝି ହେଲା ।

ମଇ ୩ ତାରିଖ ସକାଳେ ଏହି ଘୁର୍ଣ୍ଣିବାତ୍ୟା ପୁରୀ ନିକଟରେ ସ୍ଥଳ ଭାଗ ସ୍ପର୍ଶ କଲାପରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିଥିଲା । ପୁରୀରେ ଫନୀ ସ୍ଥଳଭାଗ ସ୍ପର୍ଶ କରିବାମାତ୍ରେ ୧୭୦ରୁ ୨୦୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିଥିଲା । ଅନେକ ଘରଦ୍ୱାର ଏବଂ ଗଛପତ୍ର ଭାଙ୍ଗିପଡିଥିଲା ।

ବିଶେଷ କରି ଏହା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ରଚିଥିଲା ତାଣ୍ଡବ।

ଫନୀର କରାଳ ଗ୍ରାସରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ବଡ଼ ବଡ଼ ଗଛ ଧରାଶାୟୀ ହୋଇଥିଲା। ପୁରୀ ଜିଲ୍ଲାର ପ୍ରାୟ ୧୧ଟି ବ୍ଲକ ସହିଥିଲା ଅକଳନୀୟ କ୍ଷତି। ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଥିଲ । ଏକାଧିକ କଚ୍ଚା ଘର ମାଟିରେ ମିଶିଯାଇଥିଲା । ବିଭିନ୍ନ ସାହିଗଳି ରାସ୍ତାରେ ବହୁସଂଖ୍ୟାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା। ସମୁଦ୍ର ଜୁଆର ପ୍ରାୟ ୧୦୦ ମିଟର ଆଗକୁ ମାଡ଼ି ଆସିଥିଲା।

ଫନୀ ଗର୍ଜନ ସମଗ୍ର ପୁରୀ ଜିଲ୍ଲାକୁ କମ୍ପେଇ ଦେଉଥିଲା । ପ୍ରାୟ ୫ ଘଣ୍ଟାରୁ ଊଦ୍ଧ ସମୟ ଧରି ପ୍ରବଳ ବର୍ଷା ସାଙ୍ଗକୁ ଛାତି ଥରାଇ ଦେଲାଭଳି ପବନ ବହିଥିଲା ପୁରୀରେ।

କ୍ଷୟକ୍ଷତି:

ଫନୀ ବାତ୍ୟାରେ ଓଡ଼ିଶାର ୧୪ଟି ଜିଲ୍ଲାର ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ଜଣ ଲୋକ ପ୍ରଭାବିତ ହୋଇଥିଲେ ।

ଏହି ଜିଲାଗୁଡ଼ିକ ହେଲା:- ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼। ବାତ୍ୟାରେ ମୋଟ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗି ଯାଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ଟେଲିକମ ସେବା ବାଧାପ୍ରାପ୍ତ ହୋଇଥିଲା ।

୬୮ଟି ପଞ୍ଚାୟତ ସମିତିର ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଚାଷଜମି ଏବଂ ୧୨ ହଜାର ୭୭୭ ହେକ୍ଟର ନଡ଼ିଆ, ଆମ୍ବ, ପଣସ, କଦଳୀ, ପାନବରଜ ଆଦି ବାରମାସୀ ଫସଲ ଉଜୁଡ଼ିଯାଇଥିଲା । ଏହି କ୍ଷତିର ମୂଲ୍ୟ ପାଖାପାଖି ୧୪୫ କୋଟି ଥିଲା ।ହୋଟେଲ ଶିଳ୍ପର ପାଖାପାଖି ୫୦୦ କୋଟି ଟଙ୍କାର କ୍ଷତି ଘଟିଥିବା ପ୍ରକାଶ।

ଭୁବନେଶ୍ୱର:

୧୯୯୯ ମସିହା ମହାବାତ୍ୟାର ଦୀର୍ଘ ୨୦ ବର୍ଷ ପରେ ଫନୀ ବାତ୍ୟା ଯୋଗୁଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହେଇଥିଲା ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ କ୍ଷୟକ୍ଷତି ଯୋଗୁଁ ଏହାକୁ ମଇ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।

ଫନୀ ଯୋଗୁଁ ୨୯ ଲକ୍ଷ ବ୍ୟକ୍ତି ବିଦ୍ୟୁତସେବାରୁ ବଞ୍ଚିତ ରହିଥିଲେ । ପ୍ରାୟ ୧୦,୦୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଥିଲା । ବାତ୍ୟା ପରେ ପାଣି ଏବଂ ବିଦ୍ୟୁତ ହିଁ ପ୍ରମୁଖ ସମସ୍ୟାରୂପେ ଉଭା ହୋଇଥିଲା । ଘଟଣାର ନଅ ଦିନପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିଲା । ଅନେକ ଠେଲା ଏବଂ ଉଠାଦୋକାନୀଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା ।

ପୁରୀ ଜିଲ୍ଲାର ପିପିଲିଠାରେ ଶହ ଶହ ବୃକ୍ଷଲତା ଉପୁଡ଼ି ପଡିଥିଲାବେଳେ ଅନେକ ଗୃହପାଳିତ ପଶୁଙ୍କର ପ୍ରାଣହାନୀ ତଥା ଘଟିଥିଲା।

ଏହି ଭୟଙ୍କର ବାତ୍ୟାକୁ ୧ ବର୍ଷ ପୁରି ଯାଇଥିଲେ ମଧ୍ୟ ଏହାର କରାଳ ରୂପକୁ ମନେ ପକାଇ ଆଜିବି ଲୋକଙ୍କ ଛାତି ଥରି ଉଠୁଛି ।

Leave A Reply

Your email address will not be published.