Latest Odisha News

BREAKING NEWS

ଅପରେସନ ସିନ୍ଦୂରକୁ ତେଲେଙ୍ଗନା ବିଧାୟକ କରିବେ ଗୋଟିଏ ମାସର ଦରମା ଦାନ, ସବୁ ଦଳକୁ ଅନୁୁରୋଧ

ହାଇଦ୍ରାବାଦ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଶୁକ୍ରବାର ପାକିସ୍ତାନ ବିରୋଧରେ ଭାରତୀୟ ସେନା ଦ୍ୱାରା ଚାଲିଥିବା ‘ଅପରେସନ ସିନ୍ଦୁର’କୁ ସମର୍ଥନ କରି ଏକ ଅଧିକାରିକ ବୟାନ ଜାରି କରିଛନ୍ତି। ବୟାନରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, “ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ଆକ୍ରମଣକୁ ଦୃଢ଼ ଜବାବ ଦେଉଥିବା ଭାରତୀୟ ସେନାକୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ବିଧାୟକ ଏବଂ ବିଧାନପରିଷଦ ସଦସ୍ୟ (MLC)ମାନଙ୍କର ଏକ ମାସର ଦରମା ଜାତୀୟ ପ୍ରତିରକ୍ଷା କୋଷ (National Defence Fund)କୁ ଦାନ କରିବା ପାଇଁ ପ୍ରସ୍ତାବ ଉପରେ ବିଚାର କରାଯାଉଛି।”

ଏହି ବୟାନରେ ଆହୁରି କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏହି ପ୍ରସ୍ତାବ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କଙ୍କ ସହ ଆଲୋଚନା କରିଛନ୍ତି। ବିକ୍ରମାର୍କ କଂଗ୍ରେସ ବିଧାୟକ ଓ ବିଧାନପରିଷଦ ସଦସ୍ୟଙ୍କ ସହ ଆଲୋଚନା କରିବେ ଏବଂ ଏହା ପରେ ଘୋଷଣା କରାଯିବ।  ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କ ଅନ୍ୟ ରାଜନୈତିକ ଦଳର ବିଧାୟକ ଏବଂ ବିଧାନପରିଷଦ ସଦସ୍ୟମାନଙ୍କୁ ମଧ୍ୟ ନିଜର ଏକ ମାସର ଦରମା ଜାତୀୟ ପ୍ରତିରକ୍ଷା କୋଷକୁ ଦାନ କରିବାକୁ ଅନୁରୋଧ କରିଛନ୍ତି। ଏହା ଭାରତୀୟ ସେନା ପ୍ରତି ଏକତା ଓ ସମର୍ଥନର ଏକ ପ୍ରତୀକ ହେବ ବୋଲି ସେ କହିଛନ୍ତି।

ଗତ ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ ଅଧୀନରେ ବୁଧବାର ପାକିସ୍ତାନ ଏବଂ ପାକ-ଅଧିକୃତ କଶ୍ମୀର (PoK)ରେ ୯ଟି ଆତଙ୍କବାଦୀ ଠିକଣା ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନରୁ ବିଚଳିତ ହୋଇ ପାକିସ୍ତାନ ଗୁରୁବାର (୮ ମେ) ଭାରତର ୧୫ଟି ପ୍ରମୁଖ ସହରକୁ ନିଶାନା କରି ବିଭିନ୍ନ ମିସାଇଲ ଏବଂ ୩୦୦ରୁ ୪୦୦ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିଲା। ଏହା ସହ ନିୟନ୍ତ୍ରଣ ରେଖା (LOC) ଉପରେ ଆର୍ଟିଲାରୀ ଫାୟାରିଂ ଏବଂ ଭାରୀ ଗୋଳିବର୍ଷଣ କରିଥିଲା। କିନ୍ତୁ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା।

 

Comments are closed.