ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ଓ ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି ଭାରତୀୟ ସେନା। ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନ ଉପରେ ଆହୁରି ଜୋରଦାର ଆକ୍ରମଣ କରାଯିବ ବୋଲି କୁହାଯାଇଛି। ଏହି ଐତିହାସିକ ସଫଳତା ଦେଶବାସୀଙ୍କ ମଧ୍ୟରେ ଗର୍ବର ଲହରୀ ସୃଷ୍ଟି କରିଛି। ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାମଚରିତମାନସର ସୁନ୍ଦରକାଣ୍ଡରୁ ଏକ ଗୁରୁତ୍ୱପୂର୍ଣ୍ଣ ଚୌପାଈ “ଯିଏ ମୋତେ ମାରିଲା, ମୁଁ ତାକୁ ମାରିଲି” ଉଦ୍ଧୃତ କରି ଭାରତର ନୀତିକୁ ଧାର୍ମିକ ଦୃଷ୍ଟିକୋଣରୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।
ହନୁମାନଙ୍କ ନୀତି ସହ ଭାରତର ସାମରିକ ଦର୍ଶନ
ରାଜନାଥ ସିଂହ ଭାରତର ସାମରିକ ଦର୍ଶନକୁ ହନୁମାନଙ୍କ ନୀତି ସହ ତୁଳନା କରି କହିଛନ୍ତି, “ଆମେ କେବଳ ସେମାନଙ୍କୁ ଆଟାକ୍ କରିଛୁ, ଯେଉଁମାନେ ଆମର ନିରୀହ ନାଗରିକମାନଙ୍କୁ ହତ୍ୟା କରିଛନ୍ତି।” ଏହା ସ୍ପଷ୍ଟ କରୁଛି ଯେ, ଭାରତ ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଆତଙ୍କବାଦ ପ୍ରତି ‘ଜିରୋ ଟଲେରାନ୍ସ’ ନୀତି ଅବଲମ୍ବନ କରେ। ଏହି ଅଭିଯାନରେ ଭାରତୀୟ ସେନା କୌଣସି ପାକିସ୍ତାନୀ ନାଗରିକ କିମ୍ବା ସୈନ୍ୟ ପ୍ରତିଷ୍ଠାନକୁ ଆଟାକ୍ କରିନାହିଁ। କେବଳ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା ଓ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ଶିବିରଗୁଡ଼ିକୁ ହିଁ ଟାର୍ଗେଟ କରାଯାଇଛି।
ସୁନ୍ଦରକାଣ୍ଡର ଚୌପାଈର ଅର୍ଥ
” ଜିହ୍ନେ ମୋହି ମାରା, ତେ ମେ ମାରେ. ତୋହି ପର ବାନ୍ଧେଉଁ ତନ୍ୟ ତହ୍ମାରେ ॥
ମୋହି ନା କୁଛ୍ ବାନ୍ଧେ କଇ ଲାଜା,କିହ୍ନ୍ ଚହଉଁ ନିଜ ପ୍ରଭୁ କର କାଜା ॥”
ଏହାର ଓଡ଼ିଆ ଅନୁବାଦ ହେଉଛି ….
“ଯିଏ ମୋତେ ମାରିଲା, ମୁଁ ତାକୁ ମାରିଲି। ତାହା ଉପରେ ତୁମ ପୁତ୍ରକୁ ବାନ୍ଧିଲି।
ମୋତେ ବାନ୍ଧିବାରେ କିଛି ଲଜ୍ଜା ନାହିଁ, ମୁଁ ମାତ୍ର ମୋ ପ୍ରଭୁଙ୍କ କାର୍ଯ୍ୟ କରିବାକୁ ଚାହେଁ।”
ଏହି ଚୌପାଈ ରାମଚରିତମାନସର ସୁନ୍ଦରକାଣ୍ଡରୁ ନିଆଯାଇଛି, ଯେଉଁଠାରେ ହନୁମାନ ରାବଣର ଦରବାରରେ ଉପସ୍ଥିତ ହୋଇଥାନ୍ତି। ରାବଣ ତାଙ୍କୁ ପଚାରିଥାନ୍ତି ଯେ, ସେ କାହିଁକି ଅକ୍ଷୟ କୁମାର ଓ ଅନ୍ୟ ରାକ୍ଷସମାନଙ୍କୁ ବଧ କଲେ। ହନୁମାନ ସତ୍ୟ ଓ ନୀତି ସହ ଜବାବ ଦେଇ କହିଥିଲେ, “ମୁଁ କେବଳ ସେମାନଙ୍କୁ ବଧ କଲି, ଯେଉଁମାନେ ମୋ ଉପରେ ଆକ୍ରମଣ କରିଥିଲେ। ମୁଁ କୌଣସି ନିରୀହକୁ ସ୍ପର୍ଶ କରିନାହିଁ।”
ଅପରେସନ ସିନ୍ଦୁର ଓ ଭାରତୀୟ ଦର୍ଶନ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହନୁମାନଙ୍କ ନୀତିକୁ ଭାରତର ରାଜନୈତିକ ଓ ସାମରିକ ଆଦର୍ଶ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଯେତେବେଳେ କର୍ମ ଧର୍ମ ପାଇଁ ହୁଏ, ତାହା ଉତ୍ତରଦାୟୀ ଓ ନ୍ୟାୟପୂର୍ଣ୍ଣ ହେବା ଆବଶ୍ୟକ। ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ ଅଭିଯାନ ନୁହେଁ, ଏହା ଭାରତର ଏକ ଦୃଢ଼ ବାର୍ତ୍ତା- ଆମେ ଆଉ ଚୁପ୍ ରହିବୁ ନାହିଁ, ଆମେ ଜବାବ ଦେବୁ, କିନ୍ତୁ ନ୍ୟାୟ ଓ ନୀତି ସହ।
ଏହି ଅଭିଯାନର ସଫଳତା ଦେଶବାସୀଙ୍କ ମଧ୍ୟରେ ଗର୍ବ ଓ ଉତ୍ସାହର ଲହରୀ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଲୋକମାନେ ଭାରତୀୟ ସେନାର ସାହସିକତା ଓ ରାଜନାଥ ସିଂହଙ୍କ ରାମଚରିତମାନସର ଚୌପାଈ ଉଦାହରଣକୁ ପ୍ରଶଂସା କରୁଛନ୍ତି। ଏହି ଅଭିଯାନ ପାକିସ୍ତାନ ପୋଷିତ ଆତଙ୍କବାଦୀ ଭିତ୍ତିଭୂମିକୁ ବଡ଼ ଝଟକା ଦେଇଛି। ପାକିସ୍ତାନୀ ଗଣମାଧ୍ୟମ ଏହି ଆକ୍ରମଣରେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛି। ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଆନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ଆଗାମୀ ଦିନରେ ଏହାର ରାଜନୈତିକ ଓ ସାମରିକ ପରିଣାମ ଉପରେ ବିଶ୍ୱର ନଜର ରହିଛି।
Comments are closed.