Latest Odisha News

BREAKING NEWS

ଭାରତର ଏହି ଅସ୍ତ୍ର ଆତଙ୍କୀ ଶିବିରକୁ କରିଦେଲା ଧ୍ୱଂସ, ପାକିସ୍ତାନକୁ ଚକମା ଦେଇ ଭିତରକୁ ପଶିଥିଲା ଫାଇଟର ଜେଟ

ନୂଆଦିଲ୍ଲୀ : ଭାରତୀୟ ସେନା (ମଙ୍ଗଳବାର-ବୁଧବାର) ରାତିରେ ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଏହି ଅଭିଯାନରେ ଭାରତୀୟ ବାୟୁସେନା ରାଫେଲ, ସୁଖୋଇ Su-30 MKI ଓ ମିରାଜ ୨୦୦୦ ଫାଇଟର ଜେଟ୍‌ଗୁଡ଼ିକ ସହ ବ୍ରହ୍ମୋସ, ସ୍କାଲ୍ପ ମିସାଇଲ ଏବଂ ଇଜ୍ରାଏଲର ସ୍ପାଇସ-୨୦୦୦ ବୋମା ଓ ହାରୋପ ଲୋଏଟରିଂ ମ୍ୟୁନିସନର ବ୍ୟବହାର କରିଛି। ଏହି ଆକ୍ରମଣ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଯୋଜନା କରୁଥିବା ଶିବିରଗୁଡ଼ିକୁ ଲକ୍ଷ୍ୟ କରି କରାଯାଇଥିଲା।

ବ୍ରହ୍ମୋସ ମିସାଇଲ: ବିଶ୍ୱର ଏକମାତ୍ର ସୁପରସୋନିକ କ୍ରୁଜ ମିସାଇଲ
ଏହି ଅଭିଯାନରେ ଭାରତର ପ୍ରାଇମ ଷ୍ଟ୍ରାଇକ ଅସ୍ତ୍ର ବ୍ରହ୍ମୋସ ମିସାଇଲର ବ୍ୟବହାର କରାଯାଇ ହୋଇଛି। ବ୍ରହ୍ମୋସ ଭାରତ ଓ ଋଷ ମିଳିତ ଭାବେ ତିଆରି କରିଥିବା ଏକ ସୁପରସୋନିକ କ୍ରୁଜ ମିସାଇଲ, ଯାହାର ନାମକରଣ ଭାରତର ବ୍ରହ୍ମପୁତ୍ର ଓ ଋଷର ମୋସ୍କଭା ନଦୀର ନାମ ଅନୁସାରେ କରାଯାଇଛି। ଏହାର ବୈଶିଷ୍ଟ୍ୟ ହେଉଛି, ଏହାକୁ ବିଶ୍ୱର କୌଣସି ରାଡାର କିମ୍ବା ମିସାଇଲ ଡିଫେନ୍ସ ସିଷ୍ଟମ ଅଟକାଇ ପାରେ ନାହିଁ। ଥରେ ଉତକ୍ଷେପଣ ହେଲେ, ବ୍ରହ୍ମୋସ ବ୍ରହ୍ମାସ୍ତ୍ର ପରି ନିଜ ଲକ୍ଷ୍ୟକୁ ଧ୍ୱଂସ କରିଥାଏ। ବ୍ରହ୍ମୋସ ଏୟାରୋସ୍ପେସ ଦାବି କରିଛି ଯେ, ଏହାର ରେଞ୍ଜ ୨୯୦ କିଲୋମିଟର ହେଲେ ମଧ୍ୟ ଏହାର ଅପରେସନାଲ ରେଞ୍ଜ ଅଧିକ। ଏହାର ଗତି ଶବ୍ଦର ଗତିଠାରୁ ୨.୮ ଗୁଣ ଅଧିକ (୨.୮ ମାକ୍)। ଭାରତ ଏବେ ୪୫୦-୫୦୦ କିଲୋମିଟର ରେଞ୍ଜ ବିଶିଷ୍ଟ ଏକ୍ସଟେଣ୍ଡେଡ ରେଞ୍ଜ ବ୍ରହ୍ମୋସ ମିସାଇଲ ମଧ୍ୟ ତିଆରି କରିସାରିଛି।

ସେନାର ତିନୋଟି ଅଙ୍ଗରେ ବ୍ରହ୍ମୋସର ବ୍ୟବହାର
ବ୍ରହ୍ମୋସ ମିସାଇଲ ଭାରତର ଏକ ବିରଳ ଅସ୍ତ୍ର, ଯାହାକୁ ସ୍ଥଳସେନା, ବାୟୁସେନା ଓ ନୌସେନା ତିନୋଟି ଅଙ୍ଗ ବ୍ୟବହାର କରୁଛନ୍ତି। ବାୟୁସେନାର ଫ୍ରଣ୍ଟଲାଇନ ଯୁଦ୍ଧବିମାନ ସୁଖୋଇ Su-30 MKIରେ ବ୍ରହ୍ମୋସ ମିସାଇଲ ଲଗାଯାଇଛି। ସ୍ଥଳସେନାର ଆର୍ଟିଲାରୀ (ତୋପଖାନା) ଗ୍ରାଉଣ୍ଡରେ ଆଟାକ୍ କରୁଥିବା ବ୍ରହ୍ମୋସ ମିସାଇଲ ବ୍ୟବହାର କରୁଛି। ନୌସେନାର ଯୁଦ୍ଧପୋତଗୁଡ଼ିକୁ ମଧ୍ୟ ବ୍ରହ୍ମୋସ ମିସାଇଲ ଦ୍ୱାରା ସଜ୍ଜିତ କରାଯାଇଛି, ଯାହା ସମୁଦ୍ରରୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ କରିଛି।

ସ୍କାଲ୍ପ ମିସାଇଲ ଓ ଇଜରାଏଲର ଅସ୍ତ୍ର
ଏହି ଅଭିଯାନରେ ରାଫେଲ ଜେଟ୍‌ରୁ ଉତକ୍ଷେପିତ ସ୍କାଲ୍ପ ମିସାଇଲର ବ୍ୟବହାର କରାଯାଇଥିଲା, ଯାହା ୫୦୦ କିଲୋମିଟରରୁ ଅଧିକ ଦୂରତାରେ ଥିବା ଲକ୍ଷ୍ୟକୁ ଅତ୍ୟନ୍ତ ସଠିକତାର ସହ ଧ୍ୱଂସ କରିପାରେ। ଏହା ସହ, ଇଜରାଏଲର ସ୍ପାଇସ-୨୦୦୦ ବୋମା ଓ ହାରୋପ ଲୋଏଟରିଂ ମ୍ୟୁନିସନର ବ୍ୟବହାର ମଧ୍ୟ କରାଯାଇଥିଲା। ବିଶେଷଜ୍ଞଙ୍କ ମତରେ, ଭାରତୀୟ ବାୟୁସେନା ପ୍ରଥମଥର ପାଇଁ ହାରୋପର ବ୍ୟବହାର କରିଥିବା ସୂଚନା ସାମ୍ନାକୁ ଆସିଛି। ୨୦୨୧ରେ ଭାରତ ଇଜ୍ରାଏଲରୁ ୧୦୦ଟି ଲୋଏଟରିଂ ମ୍ୟୁନିସନ କିଣିବା ପାଇଁ ଚୁକ୍ତି କରିଥିଲା। ଏହା ପୂର୍ବରୁ ଭାରତୀୟ ବାୟୁସେନା କେବଳ ଇଜ୍ରାଏଲର ହେରୋନ ଓ ସର୍ଚ୍ଚର ସର୍ଭେଲାନ୍ସ ଡ୍ରୋନ ବ୍ୟବହାର କରୁଥିବା ସୂଚନା ସାର୍ବଜନୀନ ଥିଲା।

ଏହି ଏୟାରଷ୍ଟ୍ରାଇକ ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଓ ଲସ୍କର-ଏ-ତୈବାର ଶିବିରଗୁଡ଼ିକୁ ନିଶାନା କରିଥିଲା, ଯେଉଁଠାରେ ହାଫିଜ ସଇଦ ଓ ମସୁଦ ଆଜହାର ଭଳି ଆତଙ୍କବାଦୀଙ୍କ ଦ୍ୱାରା ଭାରତ ବିରୋଧୀ ଯୋଜନା ପ୍ରସ୍ତୁତ ହେଉଥିଲା। ୨୦୧୯ରେ ଜୈଶ-ଏ-ମହମ୍ମଦର ଶିବିର ଧ୍ୱଂସ କରିବା ପାଇଁ ଭାରତୀୟ ବାୟୁସେନା ମିରାଜ-୨୦୦୦ ଜେଟ୍‌ରୁ ସ୍ପାଇସ-୨୦୦୦ ବୋମା ବ୍ୟବହାର କରିଥିଲା, ଏବଂ ଏହି ଅଭିଯାନରେ ମଧ୍ୟ ଏହାର ପୁନରାବୃତ୍ତି ହୋଇଛି।

Comments are closed.