Latest Odisha News

ସାତ ସମୁଦ୍ର ପାର ପହଞ୍ଚିଲା ଅପରେସନ ସିନ୍ଦୂର ଧମକ: ଟ୍ରମ୍ପକୁ ମିଳିଲା ଶିକ୍ଷା, ଆମେରିକାରେ ଚର୍ଚ୍ଚା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବର୍ତ୍ତମାନ ଭାରତୀୟ ସେନାର ସାହସ ଓ ସଫଳତାର ଏକ ଐତିହାସିକ କାହାଣୀ ହୋଇପଡ଼ିଛି, ଯାହାର ଚର୍ଚ୍ଚା ଏବେ ସାତ ସମୁଦ୍ର ପାର ପର୍ଯ୍ୟନ୍ତ ପହଞ୍ଚିଛି। ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ଅପରେସନରେ ଭାରତୀୟ ସେନାର ପ୍ରସ୍ତୁତି ଏବଂ କାର୍ଯ୍ୟକାରୀତାର ପ୍ରଶଂସା କରୁଛନ୍ତି। ସେମାନେ ଏହାକୁ ଆଧୁନିକ ଯୁଗର ଯୁଦ୍ଧ ପାଇଁ ଏକ ଶିକ୍ଷଣୀୟ ଉଦାହରଣ ଭାବେ ବିବେଚନା କରୁଛନ୍ତି। ଏହି ଅପରେସନ ମାଧ୍ୟମରେ ସେମାନେ ଦର୍ଶାଉଛନ୍ତି ଯେ କିପରି ଅଳ୍ପ ସମୟ ମଧ୍ୟରେ ଏକ ଯୁଦ୍ଧକୁ ଜିତି ହେବ।

ଆମେରିକାର ପ୍ରକିରକ୍ଷା କ୍ଷେତ୍ରରେ ଏକ ପ୍ରତିଷ୍ଠିତ  ୱେବସାଇଟ୍‌ smallwarsjournal.com ରେ ପ୍ରକାଶିତ ଏକ ବିସ୍ତୃତ ରିପୋର୍ଟରେ ଏହି ସମସ୍ତ ବିଷୟର ଉଲ୍ଲେଖ ରହିଛି। ଏହି ରିପୋର୍ଟକୁ ଦୁଇ ଜଣ ସାମ୍ବାଦିକ, ଜନ୍‌ ସ୍ପେନ୍ସର ଏବଂ ଭିନ୍ସେଣ୍ଟ ଭିଓଲା ପ୍ରସ୍ତୁତ କରିଛନ୍ତି। ଏହି ଦୀର୍ଘ ରିପୋର୍ଟକୁ ପଢ଼ିବା ପରେ ପ୍ରତ୍ୟେକ ଭାରତୀୟଙ୍କ ଛାତି ନିଜ ସେନା ପାଇଁ ଗର୍ବରେ ଫୁଲି ଉଠିବ। ରିପୋର୍ଟରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଛି, ଯାହା ନିମ୍ନଲିଖିତ:

୧. ଆମେରିକାକୁ ତୁରନ୍ତ ପ୍ରତିରକ୍ଷା ସୁଧାରର ଆବଶ୍ୟକତା
ଆଧୁନିକ ଯୁଦ୍ଧର ଗତି ଏବଂ ଜଟିଳତା ଆମେରିକା ଆଗରେ ଏକ କଠୋର ସତ୍ୟ ରଖିଛି। ତା’ର ପ୍ରତିରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ବଦଳାଇବାର ଆବଶ୍ୟକତା ରହିଛି। ଛୋଟମୋଟ ପରିବର୍ତ୍ତନ କିମ୍ବା ସାମାନ୍ୟ ସୁଧାର ଏବେ ଯଥେଷ୍ଟ ନୁହେଁ। ବର୍ତ୍ତମାନର ଯୁଦ୍ଧ ଏବଂ ଭବିଷ୍ୟତରେ ହେବାକୁ ଥିବା ଅଧିକ ଭୟଙ୍କର ଯୁଦ୍ଧଗୁଡ଼ିକୁ ଜିତିବା ପାଇଁ ଦ୍ରୁତ ଚିନ୍ତନ, ଦ୍ରୁତ ନିର୍ମାଣ ଏବଂ ଚତୁରତାର ସହ ଲଢ଼ିବାର ଆବଶ୍ୟକତା ରହିଛି, ଯେପରି ଭାରତ ଅପରେସନ ସିନ୍ଦୂରରେ ଦେଖାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯୁଦ୍ଧକ୍ଷେତ୍ରରେ ‘ଘାତକତା’ (lethality) ବୁଝିବା ଏବଂ ତାହାକୁ କାର୍ଯ୍ୟକାରୀ କରିବାର କଳାରେ ପାରଙ୍ଗମତା ହାସଲ କରିବା। ବର୍ତ୍ତମାନ ଆମେରିକା ଏହି ଦୌଡ଼ରେ ପଛରେ ରହିଛି।

୨. ଆଧୁନିକ ଯୁଦ୍ଧର ଲକ୍ଷ୍ୟ
ଆଧୁନିକ ଯୁଦ୍ଧର ଲକ୍ଷ୍ୟ ଏବେ ଦୀର୍ଘ ଓ କ୍ଳାନ୍ତିକର ଅଭିଯାନ ପାଇଁ ପ୍ରସ୍ତୁତ ହେବା ନୁହେଁ। ଲକ୍ଷ୍ୟ ସ୍ପଷ୍ଟ: ଯୁଦ୍ଧକୁ ଦ୍ରୁତ ଓ ନିଷ୍ପତ୍ତିମୂଳକ ଭାବେ ଜିତିବା, ଯେଉଁଥିପାଇଁ ଉନ୍ନତ ସୈନ୍ୟ କ୍ଷମତା ଆବଶ୍ୟକ। ଏହା ପାଇଁ ଏକ ଏଭଳି ପ୍ରତିରକ୍ଷା ବ୍ୟବସ୍ଥା ଦରକାର, ଯାହା କେବଳ ଦ୍ରୁତ ନୁହେଁ, ବରଂ ବଡ଼ ପରିମାଣରେ ଉତ୍ପାଦନ ମଧ୍ୟ କରିପାରୁଥିବା ହେବା ଉଚିତ। ଆମେରିକା ଏହି ଭ୍ରମରେ ପଡ଼ିଛି ଯେ ଏକ ଯାଦୁକରୀ ଅସ୍ତ୍ର କିମ୍ବା ଉନ୍ନତ ବ୍ୟବସ୍ଥା ଭବିଷ୍ୟତରେ ଯୁଦ୍ଧ ଜିତାଇ ଦେବ। କିନ୍ତୁ ଏହା ସତ୍ୟ ନୁହେଁ। ଜିତବା ପାଇଁ ମୋଡୁଲାର ସିଷ୍ଟମ, ବଡ଼ ପରିମାଣରେ ଉତ୍ପାଦନ, ଅତିରିକ୍ତ ସମ୍ବଳ ଏବଂ ନିରନ୍ତର ଅନୁକୂଳନ ଆବଶ୍ୟକ। ଏଥିପାଇଁ ଯୁଦ୍ଧକ୍ଷେତ୍ରର ଆବଶ୍ୟକତାକୁ ଦ୍ରୁତ ଚିହ୍ନଟ କରିବା, କ୍ରୟ ପ୍ରକ୍ରିୟା, ଗବେଷଣା, ବିକାଶ ଏବଂ ବଡ଼ ପରିମାଣରେ ଉତ୍ପାଦନ କରୁଥିବା ଏକ ଶିଳ୍ପ ବ୍ୟବସ୍ଥା ଦରକାର। ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ଦେଖାଇଛି ଯେ ଏହା କିପରି ସମ୍ଭବ।

୩. ଭାରତର ସଫଳତାର ମୂଳ କାରଣ
ଅପରେସନ ସିନ୍ଦୂର ୨୦୨୫ ମସିହା ମେ ୭ ତାରିଖରେ ପହଲଗାମ ଆତଙ୍କବାଦୀ ହମଲାର ଜବାବରେ ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହି ଅପରେସନରେ ଭାରତ ପାକିସ୍ତାନ ଓ ପାକ୍‌ ଅଧିକୃତ ଜାମ୍ମୁ-କାଶ୍ମୀର (ପିଓଜେକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ନଷ୍ଟ କରିଥିଲା। ଭାରତୀୟ ସେନା ବ୍ରହ୍ମୋସ ମିସାଇଲ, ଆକାଶତୀର ରକ୍ଷା ବ୍ୟବସ୍ଥା ଏବଂ ସ୍ୱଦେଶୀ ଲଏଟରିଂ ମ୍ୟୁନିସନ୍‌ ଭଳି ଅସ୍ତ୍ର ବ୍ୟବହାର କରି ଅତ୍ୟନ୍ତ ସଠିକତା ସହ ହମଲା କରିଥିଲା। ଏହା କେବଳ ଏକ ସାମରିକ ଜବାବ ନଥିଲା, ବରଂ ଭାରତର ସ୍ୱଦେଶୀ ରକ୍ଷା ଶିଳ୍ପର ଶକ୍ତି ଏବଂ ସାମରିକ ସ୍ୱାଧୀନତାର ପ୍ରମାଣ ଥିଲା। ଜନ୍‌ ସ୍ପେନ୍ସର କହିଛନ୍ତି, “ଭାରତ ଏକ ସାର୍ବଭୌମ ଶକ୍ତି ଭାବେ ଲଢ଼ିଥିଲା, ନିଜେ ଡିଜାଇନ ଓ ନିର୍ମାଣ କରିଥିବା ଅସ୍ତ୍ରଗୁଡ଼ିକ ସହ ଯୁଦ୍ଧକ୍ଷେତ୍ରରେ ଅଜଣା ନିୟନ୍ତ୍ରଣ ପ୍ରଦର୍ଶନ କରିଥିଲା।”

୪. ଆମେରିକାର ପ୍ରତିରକ୍ଷା ଶିଳ୍ପରେ ସମସ୍ୟା
ରିପୋର୍ଟ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ଶିଳ୍ପ ବଜାର ଚାପରୁ ଅଲଗା ହୋଇ କିଛି ନୂଆ ଆଣିବାରେ ଅନିଚ୍ଛୁକ ରହିଛି। ୧୯୯୦ ଦଶକରେ ଶୀତଳ ଯୁଦ୍ଧ ପରେ ବଜେଟ୍‌ କାଟ ଯୋଗୁଁ ଏହା ଏକଛତ୍ରବାଦୀ ହୋଇପଡ଼ିଛି। ୨୦୨୪ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୬୧% ପ୍ରମୁଖ ରକ୍ଷା ଚୁକ୍ତି ଏଭଳି କମ୍ପାନୀଙ୍କୁ ଦିଆଯାଉଛି, ଯେଉଁମାନଙ୍କର କୌଣସି ବାଣିଜ୍ୟିକ ବ୍ୟବସାୟ ନାହିଁ। ଏହା ଆମେରିକାର ରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଛି। ସ୍ପେନ୍ସର ଓ ଭିଓଲା ସତର୍କ କରିଛନ୍ତି ଯେ, “ଆମେରିକା ପାଇଁ ରକ୍ଷା ସୁଧାରର ସମୟ ଆସୁନାହିଁ, ଏହା ଏବେ ବିଳମ୍ବ ହୋଇସାରିଛି।”

୫. ଭାରତର ନୂଆ ପ୍ରତିରକ୍ଷା ନୀତି ଓ ଆତ୍ମନିର୍ଭରତା
ଅପରେସନ ସିନ୍ଦୂର କେବଳ ଏକ ସାମରିକ ଜବାବ ନଥିଲା, ବରଂ ଏହା ଭାରତର ନୂଆ ରାଷ୍ଟ୍ରୀୟ ସୁରକ୍ଷା ନୀତିର ପ୍ରକାଶ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଅନୁଯାୟୀ, “ଭାରତ କୌଣସି ପରମାଣୁ ବ୍ଲାକମେଲକୁ ସହ୍ୟ କରିବ ନାହିଁ। ଭାରତ ଆତଙ୍କବାଦୀ ଆସ୍ଥାନଗୁଡ଼ିକୁ ସଠିକ ଓ ନିଷ୍ପତ୍ତିମୂଳକ ଭାବେ ଆକ୍ରମଣ କରିବ।” ଏହି ଅପରେସନରେ ଭାରତ କୌଣସି ଅଞ୍ଚଳ ଦଖଲ କିମ୍ବା ପୂର୍ଣ୍ଣ ଯୁଦ୍ଧକୁ ପ୍ରୋତ୍ସାହନ ନ ଦେଇ ସୀମିତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କ୍ଷତି ପହଞ୍ଚାଇଥିଲା। ଏହା ଭାରତର ‘ଆତ୍ମନିର୍ଭର ଭାରତ’ ଅଭିଯାନର ସଫଳତାକୁ ପ୍ରମାଣ କରିଛି, ଯେଉଁଥିରେ ସ୍ୱଦେଶୀ ଅସ୍ତ୍ର ଓ ସାମରିକ ବ୍ୟବସ୍ଥାର ପ୍ରୟୋଗ ହୋଇଥିଲା।

 

Comments are closed.