ନୂଆଦିଲ୍ଲୀ : ଘୋର୍ ଆର୍ଥିକ ବିପର୍ଯ୍ୟୟ ଭିତରେ ଗତି କରୁଛି ପାକିସ୍ତାନ । ଯୁଆଡ଼େ ଦେଖିବ ଭୋକର ବିକଳ ଚିତ୍ର । ଦେଶରେ ଦେଖାଦେଲାଣି ଟଙ୍କାର ଅଭାବ।
କେବଳ ଆର୍ଥିକ ବିପର୍ଯ୍ୟୟ ନୁହେଁ ରାଜନୈତିକ ଅସ୍ଥିରତା ଓ ଆତଙ୍କବାଦୀ ସମସ୍ୟା ମଧ୍ୟ ପାକିସ୍ତାନକୁ ପଛୁଆ କରି ରଖିଛି । ଏହାରି ଭିତରେ ପାକିସ୍ତାନରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଖବର ସାମ୍ନାକୁ ଆସିଛି । ଦେଶର ୨୨ ହଜାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ରହିଛି ଦୈତ ନାଗରିକତା। ଯାହା ଏବେ ପାକିସ୍ତାନର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି ।
ରାଷ୍ଟ୍ରୀୟ ବିଧାନସଭା (NA) ର ଏକ ପ୍ୟାନେଲକୁ ସୂଚନା ଦିଆଯାଇଥିଲା ଯେ ଦେଶର ୨୨ ହଜାରରୁ ଅଧିକ ପ୍ରଶାସନିକ ଅଧିକାର ନିକଟରେ ଦୈତ ନାଗରିକତା ରହିଛି। ଆଭ୍ୟନ୍ତରୀଣ ବ୍ୟାପାର ଉପରେ ସ୍ଥାୟୀ କମିଟିର ଏକ ବୈଠକ ସୋମବାର ରାଜ ଖୁରାମ ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସଦସ୍ୟମାନେ ଦୈତ ନାଗରିକତ୍ୱ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏପରି ବ୍ୟବସ୍ଥାକ ଉପରେ ରୋକ ଲଗାଇବା ପାଇଁ ଅମଲାତନ୍ତ୍ର, ବିଚାରପତି ଏବଂ ସାଂସଦମାନଙ୍କୁ ମଧ୍ୟ ଆହ୍ୱାନ କରାଯାଇଛି ।
କମିଟିର ସଦସ୍ୟ ଉବ୍ଦୁଲ କାଦିର ପଟେଲ ଉଦ୍ବେଦ ପ୍ରକାଶ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଦୈତ ନାଗରିକତା ରଖିବାକୁ ମନା କରିଥିଲେ । ଏନେଇ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ଯେଉଁମାନଙ୍କ ନିକଟରେ ଦୈତ ନାଗରିକତା ରହିଛି ସେମାନଙ୍କୁ ପ୍ରଶାସନିକ ଚାକିରିରୁ ବିଦା କରାଯିବ । ଏପରି ଅନେକ ଆଭ୍ୟନ୍ତରୀଣ ସମସ୍ୟା ଭିତରେ ଗତି କରୁଛି ପାକିସ୍ତାନ । ନିକଟରେ ବ୍ରିକ୍ସ ସଦସ୍ୟତା ହାସଲ କରିବାରୁ ମଧ୍ୟ ବଞ୍ଚିତ ହୋଇଛି ପାକିସ୍ତାନ । ବ୍ରିକ୍ସ କମିଟିରେ ଭାରତ, ଋଷିଆ, ଚାଇନା, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସଦସ୍ୟ ଅଛନ୍ତି । ଆଉ ଏହାର ଅଧ୍ୟକ୍ଷ ରହିଛି ବ୍ରାଜିଲ । ଏହାରି ଭିତରେ ବ୍ରାଜିଲ ଘୋଷଣା କରିଛି ଯେ, ବ୍ରିକ୍ସରେ ନୂଆ ରାଷ୍ଟ୍ର ଯୋଗ ଦେଇଛି । ବ୍ରାଜିଲର ଏହି ଘୋଷଣା ପରେ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କାରଣ ପାକିସ୍ତାନ ବାରମ୍ବାର ଆବେଦନ କରିବା ପରେ ତାକୁ ବ୍ରିକ୍ସର ସଦସ୍ୟତା ମିଳିନଥିଲା । ହେଲେ ଇଣ୍ଡୋନେସିଆକୁ ସଦସ୍ୟତା ମିଳିବା ପରେ ଏବେ ଚାଇନା ବି ଚୁପ୍ ।