Latest Odisha News

BREAKING NEWS

LACକୁ ନେଇ ଏକାଠି ହେଲେ ୧୮ ବିରୋଧୀ ଦଳ, ଗଲାନି ବିଜେଡି

ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ, ଗଲାନି ବିଜେଡି । ତୱାଙ୍ଗ ସଂଘର୍ଷକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଡାକିଥିବା ବୈଠକରେ ୧୨ରୁ ଅଧିକ ଦଳ ଯୋଗ ଦେଇଥିଲେ । ହେଲେ ଏନଡିଏ ଓ ୟୁପିଏ ମେଣ୍ଟ ଠାରୁ ଦୂରେଇ ରହିଥିବା ବିଜେଡି ବୈଠକରେ ସାମିଲ୍ ହୋଇନି । ଯାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି ।

ଭାରତ-ଚୀନ ସେନା ମଧ୍ୟରେ ଏଲଏସିରେ ହୋଇଥିବା ସଂଘର୍ଷକୁ ନେଇ ସରକାର ସଂସଦରେ ଆଲୋଚନା ପାଇଁ ମନା କରିବା ପରେ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଜି ସଂସଦରେ ବିରୋଧୀ ଦଳଙ୍କ ଏକତା ଦେଖିବାକୁ ମିଳିଛି । ଆମ୍ ଆଦମୀ ପାର୍ଟି, ଟିଆରଏସ୍, ଟିଏମସି, ସିପିଆଇ, ସିପିଏମ୍, ଆରଜେଡି, ଜେଡିୟୁ, ସମାଜବାଦୀ ପାର୍ଟି, ଏନସିପି ଓ ଶିବ ସେନା ଭଳି ୧୮ଗୋଟି ବିରୋଧୀ ଦଳ ଏକାଠି ହୋଇଛନ୍ତି ।

ୟୁପିଏ ମେଣ୍ଟରେ ନଥିଲେ ମଧ୍ୟ ଏଲଏସି ପ୍ରସଙ୍ଗକୁ ନେଇ ଟିଆରଏସ୍, ଆପ୍ ଓ ଟିଏମସି ବିରୋଧୀଙ୍କ ବୈଠକରେ ବସିଛନ୍ତି । ୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖି ୨ ଦଳ ସଂସଦରେ କଂଗ୍ରେସ ସହ ହାତ ମିଳାଇଥିବା କୁହାଯାଉଛି ।

ବିଜେପିର ଦବଦବା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୨୦୨୪ ନିର୍ବାଚନରେ ସାମ୍ନା କରିବାକୁ ବିରୋଧୀ ଅଘୋଷିତ ମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଏଥିଲାଗି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଟିଆରଏସର ନାଁକୁ ଭାରତ ରାଷ୍ଟ୍ର ସମିତିକୁ ପରିବର୍ତ୍ତନ କରିଛନ୍ତି । ନିର୍ବାଚନ ପୂର୍ବରୁ କେ. ଚନ୍ଦ୍ରଶେଖର, ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ଭେଟି ଚର୍ଚ୍ଚା ନିଆଁରେ ଆହୁରି ଘିଅ ଢାଳିଛନ୍ତି । ଅନ୍ୟପଟେ ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କୁ ଚେହେରା ଭାବେ ଉପସ୍ଥାପିତ କରିଛି ।

ତେବେ ଓଡ଼ିଶାର ଶାସକ ନବୀନଙ୍କ ନେତୃତ୍ୱାଧୀନ ବିଜେଡି ୟୁପିଏ, ଏନଡିଏ ଠାରୁ ସମ ଦୂରତ୍ୱ ରକ୍ଷା କରି ଦଳକୁ ସୁହାଇଲା ଭଳି ସମର୍ଥନ କରୁଛି । ଅନ୍ୟ ଦଳ ଭଳି ଜାତୀୟ ରାଜନୀତି ଅପେକ୍ଷା ଆଞ୍ଚଳିକ ରାଜନୀତି ଉପରେ ବିଜେଡି ଅଧିକ ଫୋକସ୍ କରୁଛି । ତଥାପି ଜାତୀୟ ରାଜନୀତିରେ ନବୀନଙ୍କ ବିଜେଡିର ଦବଦବା ରହିଛି ।

Comments are closed.