ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଆତଙ୍କବାଦୀମାନେ ଗୁଳିଚାଳନା କରି ୨୬ ଜଣଙ୍କୁ ହତ୍ୟା କରିଥିଲେ, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ। ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଏହା ହେଉଛି ଘାଟିରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ। ଏହି ଘଟଣାରେ ଦାୟୀ କରିଛି ଲସ୍କର-ଏ-ତୋଇବାର ଏକ ପ୍ରକ୍ସି ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ।
ରୁଷିଆ ସରକାରଙ୍କ ଆର୍ଆଇଏ ନୋଭୋସ୍ତି ନ୍ୟୁଜ୍ ଏଜେନ୍ସିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, “ ଚୀନ୍ କିମ୍ବା ପଶ୍ଚିମୀ ଦେଶମାନେ ଏହି ସଙ୍କଟରେ ଅତ୍ୟନ୍ତ ସକାରାତ୍ମକ ଭୂମିକା ନିର୍ବାହ କରିପାରନ୍ତି। ସେମାନେ ଏକ ତଦନ୍ତ ଦଳ ଗଠନ କରନ୍ତୁ ଏବଂ ସେମାନଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଉ। ଭାରତ କିମ୍ବା ମୋଦୀ ମିଛ କହୁଛନ୍ତି ନା ସତ କହୁଛନ୍ତି, ତାହା ଧରାପଡ଼ିବ। ଏକ ଆନ୍ତର୍ଜାତୀୟ ଟିମକୁ ଏହାର ସତ୍ୟତା ଖୋଜିବାକୁ ଦିଆଯାଉ।” ସେ ଆହୁରି କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଏକ ଆନ୍ତର୍ଜାତୀୟ ତଦନ୍ତର ପ୍ରସ୍ତାବ ଦେଇଛନ୍ତି।
ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା
ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ମହମ୍ମଦ ଇଶାକ ଡାର ରବିବାର ଚୀନ୍ର ବୈଦେଶିକ ମନ୍ତ୍ରୀ ତଥା ସିପିସି ସେନ୍ଟ୍ରାଲ କମିଟିର ପୋଲିଟ ବ୍ୟୁରୋ ସଦସ୍ୟ ଓ୍ୱାଙ୍ଗ ଇ (Wang Yi)ଙ୍କ ସହ ଟେଲିଫୋନ୍ରେ ଆଲୋଚନା କରିଛନ୍ତି। ପହଲଗାମ ଆକ୍ରମଣ ପରେ ବିଶ୍ୱର ଅନେକ ଦେଶ ଭାରତ ସହ ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସହମତି ପ୍ରକାଶ କରିଛନ୍ତି। ଏବେ ପାକିସ୍ତାନ ସରକାର ବିଶ୍ୱର ଦେଶମାନଙ୍କ ଆଗରେ ନିଜର ପକ୍ଷ ରଖିବାରେ ଲାଗିପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଚି ହୋଇଥିବା ବିବାଦ ଏବଂ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛି।
ଚୀନ୍ର ସମ୍ଭାବ୍ୟ ଭୂମିକା
ପୂର୍ବତନ ଭାରତୀୟ ସେନା କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ରାଣା ପ୍ରତାପ କଲିତା କହିଛନ୍ତି ଯେ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଏବଂ ଶୁଳ୍କ ଜଟିଳତା ହେତୁ ଚୀନ୍ର ଏପ୍ରସଙ୍ଗରେ ସାମିଲ ହୋଇନପାରେ। ତେବେ, ପାକିସ୍ତାନ ସହ ଚୀନ୍ର ଘନିଷ୍ଠ ବନ୍ଧୁତ୍ୱକୁ ଦେଖି ଏହା ଅନୁମାନ କରାଯାଉଛି ଯେ ଚୀନ୍ ତଦନ୍ତରେ ସାମିଲ ହେବାକୁ ରାଜି ହୋଇପାରେ, ଯାହା ପାକିସ୍ତାନର ପକ୍ଷକୁ ସମର୍ଥନ କରିବ। କିନ୍ତୁ, ୨୦୨୦ ଗଲୱାନ ଘଟଣା ପରେ ଭାରତ-ଚୀନ୍ ସମ୍ପର୍କରେ ଉନ୍ନତି ହୋଇଥିବାରୁ ଚୀନ୍ ଏକ ନିରପେକ୍ଷ ଭୂମିକା ନେବାର ସମ୍ଭାବନା ମଧ୍ୟ ରହିଛି।
Comments are closed.