ନୂଆଦିଲ୍ଲୀ : ଭାରତ ସହ ଉତ୍ତେଜନା ପରେ ପାକିସ୍ତାନର ଦୁର୍ବଳତା ସାମ୍ନାକୁ ଆସିଛି। ଭାରତ ପାକିସ୍ତାନ ଭିତରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଅନ୍ୟପକ୍ଷରେ, ପାକିସ୍ତାନ ପଠାଇଥିବା ସମସ୍ତ ଡ୍ରୋନ୍କୁ ଭାରତ ଧ୍ୱଂସ କରିଦେଇଥିଲା। ଏହି ପରାଜୟରେ ବିଚଳିତ ହୋଇ ପାକିସ୍ତାନ ଏବେ ନିଜର ପ୍ରତିରକ୍ଷା ବଜେଟ୍କୁ ବୃଦ୍ଧି କରୁଛି। କାରଣ, ଚୀନ୍ରୁ କିଣିଥିବା ଅସ୍ତ୍ରଶସ୍ତ୍ର ତାକୁ ରକ୍ଷା କରିବାରେ ବିଫଳ ହୋଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିଜ ପ୍ରତିରକ୍ଷା ବଜେଟ୍ରେ ବଡ଼ ଧରଣର ବୃଦ୍ଧି କରିଛି, ଯାହା ଦ୍ୱାରା ସେନାକୁ ଆଧୁନିକୀକରଣ କରାଯାଇ ପାରିବ। ଏଥିପାଇଁ ସରକାର ୨.୫୫ ଟ୍ରିଲିୟନ ପାକିସ୍ତାନୀ ରୁପି ମଞ୍ଜୁର କରିଛନ୍ତି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ରକ୍ଷା ବଜେଟ୍ଠାରୁ ୧୭ ପ୍ରତିଶତ ଅଧିକ। ଆସନ୍ତୁ, ଜାଣିବା ଭାରତର କେଉଁ ରାଜ୍ୟର ବଜେଟ୍ ପାକିସ୍ତାନର ରକ୍ଷା ବଜେଟ୍ଠାରୁ ଅଧିକ।
ଯଦି ପାକିସ୍ତାନର ରକ୍ଷା ବଜେଟ୍ର ତୁଳନା ଉତ୍ତର ପ୍ରଦେଶ ସହ କରାଯାଏ, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତର ପ୍ରଦେଶ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୮.୦୯ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି, ଯାହା ପାକିସ୍ତାନର ୨.୫୫ ଟ୍ରିଲିୟନ ରକ୍ଷା ବଜେଟ୍ଠାରୁ ପ୍ରାୟ ୩ ଗୁଣରୁ ଅଧିକ। ପାକିସ୍ତାନର ରକ୍ଷା ବଜେଟ୍କୁ ଯଦି ଗୁଜରାଟ ସହ ତୁଳନା କରାଯାଏ, ତେବେ ଗୁଜରାଟ ସରକାରର ଅର୍ଥମନ୍ତ୍ରୀ କନୁଭାଇ ଦେସାଇ ୨୦୨୫-୨୬ ପାଇଁ ୩.୭୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଭାରତୀୟ ଟଙ୍କାରେ ଅଛି, ଯାହା ପାକିସ୍ତାନୀ ରୁପିଠାରୁ ବହୁତ ଶକ୍ତିଶାଳୀ। ଏହାର ତୁଳନା ଏମିତି କରାଯାଇପାରେ: ପାକିସ୍ତାନର ୨.୫୫ ଟ୍ରିଲିୟନ ରୁପି ଭାରତୀୟ ଟଙ୍କାରେ ପ୍ରାୟ ୭୭,୩୪୪ କୋଟି ଟଙ୍କା ହେବ। ଅନ୍ୟପକ୍ଷରେ, ଭାରତର ୨.୫୫ ଲକ୍ଷ କୋଟି ଟଙ୍କା ପାକିସ୍ତାନୀ ରୁପିରେ ପ୍ରାୟ ୮୪.୦୭ ଟ୍ରିଲିୟନ ହେବ। ଗୁଜରାଟ ବ୍ୟତୀତ ଭାରତର ଅନେକ ରାଜ୍ୟ ଅଛନ୍ତି, ଯେଉଁମାନଙ୍କର ବଜେଟ୍ ପାକିସ୍ତାନର ରକ୍ଷା ବଜେଟ୍ର ସମାନ କିମ୍ବା ଅଧିକ।
ଅନ୍ୟପଟେ ପାକିସ୍ତାନ ନିଜ ରକ୍ଷା ବଜେଟ୍କୁ ଦ୍ରୁତ ଗତିରେ ବୃଦ୍ଧି କରୁଛି, ସେଠାକାର ସାଧାରଣ ଜନତା ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋସିଆଲ ମିଡିଆ ଓ ପାକିସ୍ତାନୀ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳୁଛି, ଯେଉଁଥିରେ ଲୋକମାନଙ୍କ ପାଖରେ ଦୁଇ ଓଳି ଖାଇବା ପାଇଁ ଖାଦ୍ୟ ନାହିଁ। ଏହାଛଡ଼ା, ମୁଦ୍ରାସ୍ଫୀତି ହାର ପ୍ରାୟ ୩୦ ପ୍ରତିଶତ ପାଖାପାଖି ପହଞ୍ଚିଛି। ଋଣର କଥା କହିଲେ, ପାକିସ୍ତାନ ଉପରେ ୨୧.୧୫ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ନିକଟରେ ଆଇଏମ୍ଏଫ୍ ପାକିସ୍ତାନକୁ ଋଣ ଦେଇଛି। ଏପରି ସ୍ଥିତିରେ ରକ୍ଷା ବଜେଟ୍ ବୃଦ୍ଧି କରିବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।
Comments are closed.