ନୂଆଦିଲ୍ଲୀ: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଗତ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚା ଓ ଗୁଜବ ଉପରେ ଏବେ ରାୱଲପିଣ୍ଡିର ଆଦିଆଲା ଜେଲ ପ୍ରଶାସନ ସ୍ପଷ୍ଟ ବୟାନ ଜାରି କରିଛନ୍ତି। ଜେଲ ଅଧିକାରୀମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ କୌଣସି ସ୍ଥାନକୁ ସ୍ଥାନାନ୍ତର କରାଯାଇ ନାହିଁ ଏବଂ ତାଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ଜରୁରୀକାଳୀନ ପରିସ୍ଥିତି ମଧ୍ୟ ନାହିଁ।ପାକିସ୍ତାନ ତହରିକ-ଏ-ଇନସାଫ (PTI) ପକ୍ଷରୁ କରାଯାଇଥିବା ସେହି ଦାବିଗୁଡ଼ିକୁ ଜେଲ ପ୍ରଶାସନ ପୁରାପୁରି ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ଖରାପ ସ୍ବାସ୍ଥ୍ୟ ଯୋଗୁ ଇମ୍ରାନ ଖାନଙ୍କୁ ଅନ୍ୟ ଏକ ସ୍ଥାନକୁ ପଠାଇ ଦିଆଯାଇଛି।
ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ଆସନ୍ତୁ ଜାଣିବା, ଏହି ସ୍ଥାନରେ କେଉଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା।
ଏହା ପାକିସ୍ତାନ ଇତିହାସର ସବୁଠାରୁ ବିବାଦୀୟ ଓ ଚର୍ଚ୍ଚିତ ରାଜନୈତିକ ଘଟଣାଗୁଡ଼ିକ ମଧ୍ୟରୁ ଅନ୍ୟତମ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ପୁରୁଣା ରାୱଲପିଣ୍ଡି ଜେଲରେ ଫାଶୀ ଦିଆଯାଇଥିଲା। ଏହି ଫାଶୀ କେବଳ ଏକ ଆଇନଗତ ରାୟ ନୁହେଁ, ବରଂ ଏକ ରାଜନୈତିକ ମୋଡ଼ ଭାବେ ଦେଖାଯାଏ, ଯାହା ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ପାକିସ୍ତାନର ରାଜନୀତି, ଗଣତନ୍ତ୍ର ଓ ସେନାର ପ୍ରଭାବକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ତେବେ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ଯେଉଁ ଜେଲରେ ଫାଶୀ ଦିଆଯାଇଥିଲା, ତାହାକୁ ପରେ ଧ୍ଵଂସ କରି ଦିଆଯାଇଥିଲା।
ଜୁଲଫିକର ଅଲି ଭୁଟ୍ଟୋ କିଏ ଥିଲେ?
ଜୁଲଫିକର ଅଲି ଭୁଟ୍ଟୋ ପାକିସ୍ତାନର ସବୁଠାରୁ ପ୍ରଭାବଶାଳୀ ଓ କ୍ୟାରିସମାଟିକ ନେତାମାନଙ୍କ ମଧ୍ୟରୁ ଜଣେ। ସେ ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ଗଠନ କରିଥିଲେ ଏବଂ ୧୯୭୧ର ବାଂଲାଦେଶ ଯୁଦ୍ଧ ପରେ ପାକିସ୍ତାନକୁ ପୁନର୍ବାର ଠିଆ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ସେ ୧୯୭୧ରୁ ୧୯୭୩ ପର୍ଯ୍ୟନ୍ତ ରାଷ୍ଟ୍ରପତି ଏବଂ ପରେ ୧୯୭୩ରୁ ୧୯୭୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ତାଙ୍କ ନେତୃତ୍ବରେ ପାକିସ୍ତାନ ପରମାଣବିକ କାର୍ଯ୍ୟକ୍ରମର ଭିତ୍ତିଭୂମି ପକାଇଥିଲା ଏବଂ ଅନେକ ବଡ଼ ସାମାଜିକ ଓ ଅର୍ଥନୈତିକ ସୁଧାର ଆରମ୍ଭ ହୋଇଥିଲା।
Comments are closed.