Latest Odisha News

BREAKING NEWS

ଅପରେସନ ସିନ୍ଦୂର ପରେ ଏବେ ପିକିସ୍ତାନ ଉପରେ ଡ୍ରୋନ୍ ଆଟାକ୍, ଲାହୋରରେ ଜୋରଦାର ବିସ୍ଫୋରଣ

ନୂଆଦିଲ୍ଲୀ: ଅପରେଶନ ସିନ୍ଦୂରକୁ ଦେଖି ଥରହର ପାକିସ୍ତାନ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଯେଉଁ ଢଙ୍ଗରେ ପାକିସ୍ତାନକୁ ଜବାବ ଦେଉଛି, ଏମିତି କେବେ ଭାବି ପିରନଥିଲା ଏହି ଆତଙ୍କୀ ଦେଶ। ପ୍ରଥମେ ଏୟାର ଷ୍ଟ୍ରାଇକ ଏବେ ଡ୍ରୋନ୍ ଆଟାକରେ ଛାରଖାର ହେଉଛି ପାକିସ୍ତାନ। ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବାର ଗୋଟିଏ ଦିନ ପରେ ପାକିସ୍ତାନର ଲାହୋର ସହରରେ ତିନୋଟି ଜୋରଦାର ବିସ୍ଫୋରଣ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ, ଏହି ବିସ୍ଫୋରଣ ଡ୍ରୋନ ଆକ୍ରମଣ ଯୋଗୁଁ ହୋଇଛି। ଲାହୋରର ଓ୍ଵାଲଟନ ଏୟାରପୋର୍ଟ ନିକଟରେ ହୋଇଥିବା ଏହି ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ସେଠାରେ ଆତଙ୍କ ଖେଳି ଯାଇଛି। ବିସ୍ଫୋରଣ ପରେ ସାଇରନର ଶବ୍ଦ ସହ ଲୋକମାନେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ି ପଳାଇଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଆକାଶରେ ଧୂଆଁ ଭର୍ତ୍ତି ହୋଇଯାଇଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି। ପାକିସ୍ତାନୀ ପୁଲିସ ଅଧିକାରୀମାନେ ମଧ୍ୟ ଏହି ବିସ୍ଫୋରଣର ହୋଇଥିବା ନେଇ ସ୍ୱୀକାର କରିଛନ୍ତି।

ସୂତ୍ର ଅନୁଯାୟୀ, ଲାହୋରର ଓ୍ଵାଲଟନ ଏୟାରପୋର୍ଟ ନିକଟସ୍ଥ ଗୋପାଳ ନଗର ଓ ନାସିରାବାଦ ଅଞ୍ଚଳରେ ଓ୍ଵାଲଟନ ରୋଡ଼ ଉପରେ ଏହି ବିସ୍ଫୋରଣ ହୋଇଛି। ଏହି ଅଞ୍ଚଳରେ ପାକିସ୍ତାନୀ ସେନାର ଏକ ଘାଟି ରହିଛି। ସୂତ୍ରରେ ଦାବି କରିଛନ୍ତି ଯେ, ଏହା ଡ୍ରୋନ ଆକ୍ରମଣ ହୋଇପାରେ। ବିସ୍ଫୋରଣ ପରେ ଲାହୋର ଏୟାରପୋର୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଏହା ସହ, କରାଚୀ ଏୟାରପୋର୍ଟରେ ମଧ୍ୟ ବିମାନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସମାଚାର ଏଜେନ୍ସି ରଏଟର୍ସ ଅନୁଯାୟୀ, ପାକିସ୍ତାନୀ ଅଧିକାରୀମାନେ ବିସ୍ଫୋରଣର ସ୍ଥାନ ଓ କାରଣ ଚିହ୍ନଟ କରିବାକୁ ତଦନ୍ତ ଆରମ୍ଭ କରିଛନ୍ତି।

ଏହି ବିସ୍ଫୋରଣ ଏକ ଏମିତି ସମୟରେ ହୋଇଛି, ଯେତେବେଳେ ଗୋଟିଏ ଦିନ ପୂର୍ବେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି। ଏହି ଆକ୍ରମଣରେ ୭୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତେବେ, ଲାହୋରରେ ହୋଇଥିବା ଏହି ବିସ୍ଫୋରଣରେ କାହାର ହାତ ଅଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଭାରତ ସହ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ସରକାରୀ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶର ଆକାଶ ପଥ ସୀମାକୁ ୨୪ରୁ ୩୬ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଇସଲାମାବାଦ ଓ ପଞ୍ଜାବର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଛି। ସୁରକ୍ଷା ବାହିନୀଗୁଡ଼ିକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ଭାରତ ଯଦି ନିଜର ଆକ୍ରମଣାତ୍ମକ ମନୋଭାବରୁ ପଛଘୁଞ୍ଚା ଦିଏ, ତାହେଲେ ଏହି ଉତ୍ତେଜନା ଶେଷ ହୋଇପାରିବ।

ଆମେ ଏଠାରେ କହିରଖୁଛୁ ଯେ ଲାହୋରରେ ହୋଇଥିବା ବିସ୍ଫୋରଣ ସମ୍ପର୍କିତ କିଛି ତଥ୍ୟ ଏକ୍ସରେ ପ୍ରକାଶିତ ପୋଷ୍ଟ ଉପରେ ଆଧାରିତ। ଏହା ଅନିଶ୍ଚିତ ଏବଂ ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ନୁହେଁ।

 

Comments are closed.