ନୂଆଦିଲ୍ଲୀ: ମହାକାଶ ସବୁବେଳେ ମଣିଷ ପାଇଁ ରୋମାଞ୍ଚକର ଏବଂ ରହସ୍ୟରେ ଭରପୂର ରହିଆସିଛି। କିନ୍ତୁ ଏହି ରହସ୍ୟ ଆଡ଼ରେ, ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚତାରେ ଏକ ପ୍ରୟୋଗଶାଳା ରହିଛି, ଯେଉଁଠାରେ ନିରନ୍ତର ବୈଜ୍ଞାନିକ ଗବେଷଣା ଚାଲିଥାଏ। ଏହା ହେଉଛି ଇଣ୍ଟରନାସନାଲ ସ୍ପେସ ଷ୍ଟେସନ (ISS), ଯାହା କୌଣସି ସାଧାରଣ ଷ୍ଟେସନ ନୁହେଁ, ବରଂ ପୃଥିବୀ ବାହାରେ ମଣିଷର ସ୍ଥାୟୀ ଉପସ୍ଥିତିର ପ୍ରତୀକ। ଏଠାରେ ଏକ ସ୍ଥାୟୀ ଦଳ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥାଏ। କିନ୍ତୁ ଏହି ଦଳ ସେଠାରେ କ’ଣ କରେ? ଆସନ୍ତୁ ଜାଣିବା।
ISS ରେ କିଏ ରହନ୍ତି?
ଇଣ୍ଟରନାସନାଲ ସ୍ପେସ ଷ୍ଟେସନ (ISS) ଏକ ଅନ୍ତର୍ଜାତୀୟ ସହଯୋଗରେ ନିର୍ମିତ ମହାକାଶ କେନ୍ଦ୍ର, ଯାହା ଆମେରିକାର NASA, ରୁଷିଆର Roscosmos, ୟୁରୋପର ESA, ଜାପାନର JAXA ଏବଂ କାନାଡାର CSA ଭଳି ସଂସ୍ଥାଗୁଡ଼ିକ ମିଳିତ ଭାବେ ତିଆରି କରିଛନ୍ତି। ୧୯୯୮ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ପୃଥିବୀର କକ୍ଷପଥରେ ଘୁରିବୁଲୁଥିବା ଏକ ଉଡ଼ନ୍ତା ପ୍ରୟୋଗଶାଳା, ଯାହାର ଆକାର ପ୍ରାୟ ଏକ ଫୁଟବଲ ମୈଦାନ ସଦୃଶ। ISSରେ ସବୁବେଳେ ୬ ରୁ ୭ ଜଣ ମହାକାଶ ଯାତ୍ରୀ ଉପସ୍ଥିତ ରହନ୍ତି। ଏମାନେ ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ଏବଂ ସେମାନଙ୍କୁ ‘ଏକ୍ସପେଡିସନ କ୍ରୁ’ କୁହାଯାଏ। ଏହି ଦଳ ପ୍ରତି ୬ ମାସରେ ବଦଳି ହୋଇଥାଏ। ଯଦିଓ ଏମାନଙ୍କୁ ସ୍ଥାୟୀ ଦଳ କୁହାଯାଇ ନପାରେ, କିନ୍ତୁ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ISSରେ ମଣିଷର ଉପସ୍ଥିତି କେବେ ବି ଖାଲି ହୋଇନାହିଁ। ତେଣୁ ଏହାକୁ ‘ସ୍ଥାୟୀ ମାନବ ଉପସ୍ଥିତି’ (Permanent Human Presence) ହାଯାଏ।
ISSରେ କେଉଁ କାମ ହୁଏ?
ମହାକାଶ ଯାତ୍ରୀଙ୍କ ଜୀବନ କେବଳ ଭାସି ରହିବା କିମ୍ବା ପୃଥିବୀକୁ ଦେଖିବା ପର୍ଯ୍ୟନ୍ତ ସୀମିତ ନୁହେଁ। ସେମାନଙ୍କର କାମ ଅତ୍ୟନ୍ତ ଗମ୍ଭୀର । ଏଠାରେ ମାଇକ୍ରୋଗ୍ରାଭିଟିରେ ବିଭିନ୍ନ ପ୍ରକାରର ବୈଜ୍ଞାନିକ ପରୀକ୍ଷଣ କରାଯାଏ, ଯେପରିକି ମହାକାଶରେ ମାନବ ଶରୀର ଉପରେ ପ୍ରଭାବ, ଔଷଧର ପ୍ରଭାବଶୀଳତା ଏବଂ ନୂଆ ଟେକ୍ନୋଲୋଜିର ପରୀକ୍ଷଣ। ଏହା ସହିତ ସ୍ପେସ ଷ୍ଟେସନକୁ ସୁଚାରୁ ରୂପେ ଚଳାଇବା ପାଇଁ ନିୟମିତ ନିରୀକ୍ଷଣ, ମରାମତି ଏବଂ ଅପଡେଟ କାର୍ଯ୍ୟ ମଧ୍ୟ ମହାକାଶ ଯାତ୍ରୀଙ୍କ କାମ ରହିଥାଏ। ମହାକାଶରୁ ପୃଥିବୀର ଜଳବାୟୁ, ପାଗ, ଝଡ଼ତୋଫାନ ଏବଂ ଅନ୍ୟାନ୍ୟ ପରିବେଶୀୟ ଗତିବିଧିର ନିରୀକ୍ଷଣ କରାଯାଏ। ଏହା ସହ ମହାଜାଗତିକ କିରଣ ଏବଂ ଅନ୍ୟାନ୍ୟ ଖଗୋଳୀୟ ଘଟଣାର ଅଧ୍ୟୟନ ମଧ୍ୟ ହୋଇଥାଏ। ଯଦିଓ ଏହା ଦେଖାଯିବାରେ ଏକ ସାଧାରଣ ଜୀବନ ପରି ଲାଗୁଥାଏ, କିନ୍ତୁ ISSରେ ରହିବା କୌଣସି ସହଜ କାମ ନୁହେଁ। ସେଠାରେ ଗୁରୁତ୍ୱାକର୍ଷଣ ନଥାଏ, ଖାଦ୍ୟ ସୀମିତ ଥାଏ, ନିଦ୍ରାର ସମୟସୂଚୀ ବଦଳିଯାଏ ଏବଂ ବ୍ୟକ୍ତିଗତ ଜୀବନ ପ୍ରାୟ ନଗଣ୍ୟ ହୋଇଥାଏ। ମହାକାଶ ଯାତ୍ରୀମାନେ ଦିନକୁ ପ୍ରାୟ ୧୦ ଘଣ୍ଟା କାମ କରନ୍ତି ଏବଂ ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ପାଇଥାନ୍ତି।
Comments are closed.