Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍ ମିଳିଲା, ପ୍ରମାଣ ଅଛି ତ ?

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ଯ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠୁଛି । ବିଶେଷ କରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଫେସବୁକ୍ ପୋଷ୍ଟ ଯେତିକି ଚିନ୍ତାଜନକ ସେତିକି ସମ୍ବେଦନଶୀଳ । ମୃତ୍ୟୁର ମାତ୍ର କେଇ ମିନିଟ୍ ପୂର୍ବରୁ ଧର୍ମେନ୍ଦ୍ର ଫେସବୁକରେ ଲେଖିଥିଲେ ମୋ ଫୋନ୍ ୨ଟିରେ ସବୁ ଭିଡିଓ ରହିଛି । ତାକୁ ଲୋକ ଲୋଚନକୁ ଆଣିବେ ।

କିନ୍ତୁ ଘର ବାହାରୁ ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଫୋନ୍ ମିଳି ନଥିଲା । ପୋଲିସ ବହୁ ଖୋଜାଖୋଜି ପରେ ମୃତଦେହ ମିଳିବାର ପ୍ରାୟ ୧୨ ଘଣ୍ଟା ପରେ ମୋବାଇଲକୁ ଖୋଜି ପାଇଛି । ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ଘର ନିକଟ ଏକ ପ୍ଲଟରୁ ମିଳିଛି ଧର୍ମେନ୍ଦ୍ର ସାହୁଙ୍କ ୨ଟି ମୋବାଇଲ୍ । ସନ୍ଧାନୀ କୁକୁର ସହାୟତାରେ ପୋଲିସ ମୋବାଇଲ୍ ଠାବ କରିଛି । ତେବେ ପୋଲିସ ସୂଚନା ଅନୁସାରେ, ମୋବାଇଲ୍ ରାତି ୨ଟା ୪୩ରୁ ସ୍ୱିଚ୍ ଅଫ୍ ହୋଇଛି ।

ତେବେ ସିସିଟିଭିରେ କଏଦ ହୋଇଥିବା ଭିଡିଓ ଅନୁସାରେ, ଧର୍ମେନ୍ଦ୍ରଙ୍କ ବାଲକୋନୀ ଉପରକୁ ରାତି ୧୨ଟା ୧୩ରୁ ୧୪ ଭିତରେ ଜଣେ ବ୍ୟକ୍ତି ଚଢ଼ି ପୁଣି ଓହ୍ଲାଇ ଆସୁଛନ୍ତି । ଆଉ ଠିକ୍ ତାର ୧୫ ମିନିଟ୍ ପରେ କାର ଉପରେ ଚଢ଼ି କିଛି କାଢ଼ୁଛନ୍ତି ଧର୍ମେନ୍ଦ୍ର । ପୁଣି ଥରେ ରାତି ୨ଟା ୪୮ରେ ଧର୍ମେନ୍ଦ୍ର କାର୍ ଉପରେ ଚଢ଼ି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ରାତି ୧୨ଟା ୧୩ରେ କିଏ ଧର୍ମେନ୍ଦ୍ରଙ୍କ ବାଲକୋନୀରେ ଚଢ଼ିଥିଲା । କଣ ଥିଲା ଉଦ୍ଦେଶ୍ୟ ? କଣ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ? ନା ତାଙ୍କ ଉପରେ କାହା ଚାପ ଥିଲା ? ଯଦି ଧର୍ମେନ୍ଦ୍ର ଚାପରେ ଥିଲେ, ତେବେ କିଏ ଓ କାହିଁକି ତାଙ୍କ ଉପରେ ଚାପ ପକାଉଥିଲା । ଏବେ ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପୋଲିସ ଖୋଜୁଥିବା ବେଳେ ମୃତ୍ୟୁର ୧୨ ଘଣ୍ଟା ପରେ ମିଳିଛି ଧର୍ମେନ୍ଦ୍ର ୨ଟି ମୋବାଇଲ୍ । ଆଉ ସେହି ମୋବାଇଲ୍ ଭିତରେ ରହିଛି ଧର୍ମେନ୍ଦ୍ର ଫେସବୁକ୍ ପୋଷ୍ଟରେ ଲେଖିଥିବା ଭିଡିଓ ।

ତେବେ, ପୋଲିସ ମୋବାଇଲ୍ ୨ଟି ଠାବ କରିଥିବା ବେଳେ ସେଥିରେ ସେ ଭିଡିଓ ଅଛି କି ନାହିଁ ସେ ନେଇ କୌଣସି ସୂଚନା ଦେଇ ନାହିଁ । ଯାହାକୁ ନେଇ ପୁଣି ସନ୍ଦେହ ବଢ଼ିବାରେ ଲାଗିଛି । ମୃତ୍ୟୁ ପୂର୍ବରୁ କାରରେ ଧର୍ମେନ୍ଦ୍ରଙ୍କ ପ୍ୟାଣ୍ଟ, ସାର୍ଟ ରହିଥିବା ବେଳେ ମୋବାଇଲ୍ ୨ଟି ଘର ନିକଟରେ ଥିବା ପ୍ଲଟକୁ କିଭଳି ଗଲା ? ବାଲକୋନୀକୁ ଚଢ଼ିଥିବା ସେହି ବ୍ଯକ୍ତି ଜଣଙ୍କ କଣ ମୋବାଇଲ୍ ନେବାକୁ ଆସିଥିଲେ କି ? ଏବେ ଏଭଳି ଅନେକ ପ୍ରଶ୍ନ ଉଠୁଛି ?

Comments are closed.