Latest Odisha News

BREAKING NEWS

ପର୍ଯ୍ୟଟନ ମାନଚିତ୍ରରେ କେନ୍ଦୁଝର; ପ୍ରାକୃତିକ ପ୍ରାଚୁର୍ଯ୍ୟତାର ଗନ୍ତାଘର

ଭୁବନେଶ୍ୱର: ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କେନ୍ଦୁଝର ଜିଲ୍ଲା । ଏଠାରେ ପ୍ରକୃତି କଥାକହେ । ଓଡିଶା ମାନଚିତ୍ରରେ ଇକୋ ଟୁରିଜିମ ଭାବରେ କେନ୍ଦୁଝର ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ବହନ କରେ । ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ପ୍ରକୃତିକୁ ଅତି ନିକଟରୁ ଅନୁଭବ କରିବା ଚାହୁଁଥିଲେ ନିଶ୍ଚୟ ବୁଲି ଯାଆନ୍ତୁ ପ୍ରକୃତିର ଏହି ଗନ୍ତଘର କେନ୍ଦୁଝର ଜିଲ୍ଲାକୁ ।

ପ୍ରକୃତି ଏହାର ସବୁତକ ସୌନ୍ଦର୍ଯ୍ୟ ଯେପରି ଏହିଠାରେ ଢାଳି ଦେଇଛି । ଏଠାରେ ତାରିଣୀ ମନ୍ଦିର, ବଡ଼ଘାଗରା ଜଳପ୍ରପାତ, ସାନଘାଗରା ଜଳପ୍ରପାତ, ସୀତାବିଞ୍ଜି, ଗୁଣ୍ଡିଚାଘାଇ ଜଳପ୍ରପାତ, ମୁଗା’ ମହାଦେବ ମନ୍ଦିର,ସିଦ୍ଧମଠ ମନ୍ଦିର, ହଦଗଡ଼ ଡ୍ୟାମ୍, କାନଝିରି ଡ୍ୟାମ୍, ଦେଓଗାଁ କୁଶଳେଶ୍ୱର ମନ୍ଦିର, ପାଟଣା ଜଗନ୍ନାଥ ମନ୍ଦିର, ଗୋନାସିକା, କାଞ୍ଜିପାଣି ଘାଟି ଆଦି ପର୍ଯ୍ୟଟନ ସ୍ଥଳୀ ରହିଛି ।

ଆଦ୍ୟା ଶକ୍ତି ମା ତାରିଣୀ ପୀଠ:

ଘଟଗାଁ ମା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ମା ତାରିଣୀ ମନ୍ଦିର ଆଧୁନିକ ସମୟର ସୃଷ୍ଟି । ଦେବୀଙ୍କର ପ୍ରକୃତିଦତ୍ତ ସ୍ଵରୂପ ଏହାଙ୍କର ଆଦିମ ମୂଳ ପ୍ରତିରୂପ ବୋଲି ପ୍ରମାଣିତ କରେ । କିମ୍ବଦନ୍ତୀ କହେ, ମା ତାରିଣୀ ତାଙ୍କ ଭକ୍ତଙ୍କ ପାଇଁ ସତତ କରୁଣାମୟୀ ଏବଂ ଦୟାଶୀଳା । ମା ତାରିଣୀଙ୍କ ପୀଠକୁ ସୌନ୍ଦର୍ଜ୍ୟମୟ କରୁଥିବା ନିକଟ ସଂରକ୍ଷିତ ଘଞ୍ଚ ବନାନୀ ବନ୍ୟ ପଶୁ ପକ୍ଷୀଙ୍କର ଆଶ୍ରୟ ସ୍ଥଳ ।

ଅନୁରାଗି ଭକ୍ତଗଣ ଶ୍ରଦ୍ଧାରେ ଦେବୀଙ୍କୁ ନଡିଆ ଭୋଗ ଅର୍ପଣ କରନ୍ତି । ଆଦିବାସୀ ପୂଜକଙ୍କ ଦ୍ଵାରା ଦେବୀ ପୂଜିତା । ସ୍ଥାନିୟ ବାସିନ୍ଦା ଚୈତ୍ର ପୂର୍ଣିମାରେ ମହା ଜାକଜମକରେ ଦେବୀଙ୍କ ପୀଠରେ ମହା ବିଷୁବ ସଙ୍କ୍ରାନ୍ତି ଉତ୍ସବ ପାଳନ କରନ୍ତି । ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଭକ୍ତ ମାତୃଦେବୀଙ୍କୁ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ମା ତାରିଣୀପୀଠ କେନ୍ଦୁଝର ସହର ଠାରୁ ୪୫ କି:ମି ଦୂରରେ ଅବସ୍ଥିତ ।

ସାନଘାଗରା ଜଳ ପ୍ରପାତ:

କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଆଡ଼କୁ ଯାଉଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ । ୪୮୮ ହେକ୍ଟର ପରିବ୍ୟାପ୍ତ ଏହି ଅଞ୍ଚଳ । ବିରାଟ ପାର୍ବତ୍ୟ ଅଞ୍ଚଳରେ ପତ୍ରଝଡ଼ା ଦେଉଥିବା ବୃକ୍ଷ୍ୟ ସହିତ ବିବିଧ ଉଦ୍ଭିଦ ସମୁହ ପରିଦୃଷ୍ଟ ହୁଏ । ପ୍ରସିଦ୍ଧ ଚିର ଚଳଚଞ୍ଚଳ ସାନଘାଗରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଜ୍ୟ ଭରା ବନନୀକୁ ରମଣୀୟକରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷତମାମ ଆକର୍ଷିତ କରିଥାଏ ।

ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଏହାର ଅବସ୍ଥିତ । ଗ୍ରୀଷ୍ମଦିନେ ତୁଳନାତ୍ମକ ଶୀତଳ,ଶୀତଦିନେ ଥଣ୍ଡା ଅନୁଭୂତ ହୁଏ । ଏହି ପ୍ରାକୃତିକ ବୈଶିଷ୍ଟ ଭୂଭାଗ ଅତ୍ୟନ୍ତ ତରଙ୍ଗାୟୀତ ପର୍ବତମାଳା, ଶୋଭାବର୍ଦ୍ଧକ ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟାକାର ସୌନ୍ଦର୍ଜ୍ୟମୟ ସମାହାର । ତ୍ରିକୋଣଭୂମି ଓ ପାହାଡ଼ର ଶୀର୍ଷ ଅତ୍ୟନ୍ତ ତୀଖ ଏବଂ ଏହି ଶିଳା ଡୋଲେରାଇଟ ଶ୍ରେଣୀଭୁକ୍ତ । ଏହି ଅଞ୍ଚଳର ଜଳ ମାଛକାଳଣା ନଦୀ ଦେଇ ବୈତରଣୀ ନଦୀରେ ମିଶିଥାଏ ।

ଖଣ୍ଡାଧାର ଜଳପ୍ରପାତ:

ଖଣ୍ଡାଧାର ଜଳପ୍ରପାତ କେବଳ କେନ୍ଦୁଝର ଜିଲ୍ଲା ନୁହଁ ଓଡିଶାର ଏକ ଅତିସୁନ୍ଦର ଜଳପ୍ରପାତ । ଖଣ୍ଡାଧାର ନଦୀର ଜଳସ୍ରୋତ ପ୍ରାୟ ୫୦୦ ଫୁଟ ଉଚ୍ଚରୁ ସିଧା ନିମ୍ନକୁ ଭୂପତିତ ହେଉଛି । ଉପରୁ ତଳଆଡକୁ ଖଣ୍ଡାର ଧାର ପରି ପାଣି ପଡୁଥିବାରୁ ଏହାର ନାମ ଖଣ୍ଡାଧାର ଜଳପ୍ରପାତ । ଶୀର୍ଷରୁ ସ୍ଵଚ୍ଛ ଜଳଧାର ଅସମତଳ ପଥର ଚଟାଣ ଉପରେ ପଡ଼ି ଘନଗର୍ଜନ ସହିତ ଜଳକଣା ଧୂସର ପରିବେଶ ସୃଷ୍ଟି କରିଥାଏ । ଏହାର ରମଣୀୟ ପ୍ରାକୃତିକ ପରିବେଶ, ତିନି ଦିଗକୁ ଘେରି ରହିଥିବା ସୁଉଚ୍ଚ ତରଙ୍ଗଗନ୍ତିତ ପର୍ବତଶ୍ରେଣୀ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାଏ । ଏହି ଅଞ୍ଚଳର ପ୍ରାକୃତିକ ପରିବେଷ୍ଟନୀ ଉଦ୍ଭିଦ ସମୁହ ଏବଂ ବନ୍ୟ ପଶୁପକ୍ଷୀ ବର୍ଗଙ୍କର ଅଭିବୃଦ୍ଧି ପାଇଁ ପ୍ରକୃଷ୍ଟ କ୍ଷେତ୍ର । କେନ୍ଦୁଝର ସହର ଠାରୁ ଏହି ସ୍ଥାନର ଦୂରତା ୫୦ କି:ମି ।

ଭୀମକୁଣ୍ଡ:

କେନ୍ଦୁଝରର ଭୀମକୁଣ୍ଡ ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ମନୋହର ଚିତାକର୍ଷକ ପରିବେଶ ମଧ୍ୟରେ ଅବସ୍ଥିତ । ଶୋଭାମୟ ପୂଣ୍ୟତୋୟା ବୈତରଣୀ ନଦୀର ଦୁଇଟି ଭୀମକାନ୍ତ ଜଳପ୍ରପାତ ସାନକୁଣ୍ଡ ଏବଂ ବଡ଼କୁଣ୍ଡ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ନଦୀଶଯ୍ୟାରେ ଥିବା ଦୁଇ ପାହାଡ଼ ମଧ୍ୟ ସଙ୍କୀର୍ଣ୍ଣ ଫାଙ୍କରେ କ୍ଷୀପ୍ରଗତିରେ ଜଳସ୍ରୋତ ଭୂଲମ୍ଫ ପ୍ରଦାନକରି ଧୂସର ପରିବେଶ ସୃଷ୍ଟି କରିଥାଏ । ଏହି ଜଳପ୍ରପାତର ତୀବ୍ର ଭୀମଗର୍ଜନ ଏବଂ ଶୋଭାମୟଦୃଶ୍ୟ ପର୍ଯ୍ୟଟକଙ୍କ ହୃଦୟରେ ଯୁଗପତ ଭୀତ ଏବଂ ଆନନ୍ଦ ସଂଚାର କରିଥାଏ । ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି ଜଳପ୍ରପାତ ପବିତ୍ରସ୍ଥାନ ଭାବରେ ବିବେଚିତ ହୋଇଥାଏ । ଏଠାରେ ମକର ସଂକ୍ରାନ୍ତିରେ ସ୍ଥାନୀୟ ବାସିନ୍ଦା ପବିତ୍ର ବୁଡ଼ ପକାଇ ମେଳା ଓ ଶିବ ମନ୍ଦିର ପରିଦର୍ଶନ କରନ୍ତି । କିମ୍ବଦନ୍ତୀ କହେ, ବନବାସକାଳରେ ପାଣ୍ଡବମାନେ ଏଠାରେ କିଛିକାଳ ଅବସ୍ଥାନ କରିଥିଲେ । ଏହା ଏକ ସୁନ୍ଦର ବଣଭୋଜି ସ୍ଥଳ ।

ଗୋନାସିକା ମନ୍ଦିର:

ଗୋନାସିକା ମନ୍ଦିର ମନୋରମ ସବୁଜ ଉପତ୍ୟକା ଏବଂ ନାନାବିଧ ରଙ୍ଗର ଉଚ୍ଚ ତରଙ୍ଗାୟିତ ପାହାଡ଼ ପରିବେଷ୍ଟିତ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର । ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଏହି ପ୍ରସିଦ୍ଧ ମନ୍ଦିର ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ । ଏଠାରେ ଚିରସ୍ରୋତା ବୈତରଣୀ ନଦୀ ଘାଇରେ ଦୁଇ ନାକପୁଡା ଦେଇ ଉଦଗମ । ଆଶ୍ଚର୍ଯ୍ୟର ବିଷୟ, ନଦୀଟି କିଛିଦୂର ବହିଆସି ହଠାତ୍ ଗୁପ୍ତହୋଇ ପୁଣି ବ୍ରହ୍ମାକୁଣ୍ଡରେ ଆବିଭୃତ ହୋଇଥିବାରୁ ଏହାର ନାମ ‘ଗୁପ୍ତଗଙ୍ଗା’ । ମହାଦେବ ବ୍ରହ୍ମେଶ୍ଵରଙ୍କୁ ଉତ୍ସର୍ଜିତ ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୬୫୪-୧୬୫୮ ମଧ୍ୟରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହି ରମଣୀୟ ସ୍ଥାନ ଦୁର୍ଲଭ ଉଦ୍ଭିଦ ଏବଂ ବନୀ ପଶୁପକ୍ଷୀଙ୍କ ଦ୍ଵାରା ପରିପୂର୍ଣ ଏବଂ ପ୍ରାଚୀନ ଜନଜାତି ଜୁଆଙ୍ଗରେ ଜୀବନଚର୍ଜ୍ୟା ଗବେଷଣାର ପ୍ରକୃଷ୍ଠ କ୍ଷେତ୍ର । କେନ୍ଦୁଝର ସହରଠାରୁ ଏହି ସ୍ଥାନର ଦୂରତା ମାତ୍ର ୩୦ କି:ମି ।

ହଦଗଡ଼ ଜଳଭଣ୍ଡାର:

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ଡ଼ିଭିଜନ ଶାଳନ୍ଦୀ ନଦୀରେ ହଦଗଡ଼ ଜଳଭଣ୍ଡାର ନିର୍ମିତ । କୃଷିକ୍ଷେତ୍ରର ଜଳସେଚନ ପାଇଁ ଏହି ବିରାଟ ନଦୀବନ୍ଧର ସୃଷ୍ଟି । ସୌନ୍ଦର୍ଜ୍ୟମୟ ପ୍ରାକୃତିକ ପରିବେଶ ସହିତ ସୁଉଚ୍ଚ ପାହାଡ଼ଶ୍ରେଣୀ ଜଳଭଣ୍ଡାରର ସୌନ୍ଦର୍ଜ୍ୟକୁ ବହୁଗଣିତ କରି ପ୍ରକୃତିପ୍ରେମୀ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ବଣଭୋଜି ଏବଂ ଅବସରବିନୋଦନ ପାଇଁ ଏହି ରମଣୀୟ ସ୍ଥଳ ପ୍ରକୃଷ୍ଟ କ୍ଷେତ୍ର । ଜଳ ଭଣ୍ଡାରର ଚିତାକର୍ଷକ ପ୍ରାକୃତିକ ଦୃଶ୍ୟ ଏବଂ ଝରିଯାଉଥିବା ଗତିଶୀଳ ଜଳସ୍ରୋତ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଆନନ୍ଦପୁର ଠାରୁ ଏହାର ଦୂରତା ମାତ୍ର ୩୫ କି:ମି ।

Leave A Reply

Your email address will not be published.