ନୂଆଦିଲ୍ଲୀ : BPSC ପରୀକ୍ଷାରେ ଅନିୟମିତତା ପ୍ରତିବାଦରେ ଏବଂ ସାନି ପରୀକ୍ଷା ଦାବିରେ ବିହାରରେ ଜାରି ରହିଥିବା ଛାତ୍ର ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି । ପାଟନା ଗାନ୍ଧି ମୈଦାନରେ ଶହ ଶହ ଛାତ୍ରଛାତ୍ରୀ ଧାରଣାରେ ଏବେ ବି ବସିଛନ୍ତି । ପ୍ରଗତି ଯାତ୍ରାରେ ବ୍ୟସ୍ତ ଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର BPSC ଅନିୟମିତତା ଏବଂ ଛାତ୍ର ଆନ୍ଦୋଳନ ବାବଦରେ ଏଯାଏଁ ମୁହଁ ଖୋଲି ନାହାନ୍ତି । ସେ ଏବେ ପ୍ରଗତି ଯାତ୍ରାରେ ବ୍ୟସ୍ତ ଅଛନ୍ତି । ଏଭଳି ସ୍ଥିତିରେ ଶୀତକାକରେ ବସିଥିବା ଛାତ୍ରଛାତ୍ରୀଙ୍କୁ ସାଥ୍ ଦେଉଛନ୍ତି ପ୍ରଶାନ୍ତ କିଶୋର ।
ଛାତ୍ରଛାତ୍ରୀଙ୍କ ପାଇଁ ୪ ଦିନ ହେଲା ଅନଶନରେ ବସିଛନ୍ତି ପ୍ରଶାନ୍ତ କିଶୋର। ବିରୋଧୀ ଦଳ ନେତାଙ୍କଠାରୁ ଜୋର୍ ସ୍ବରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସେ ସମାଲୋଚନା କରି ଚାଲିଛନ୍ତି । ଏକଦା ନୀତୀଶ କୁମାରଙ୍କ ପାଇଁ ନିର୍ବାଚନୀ ରଣନୀତିକାର ଥିଲେ ପ୍ରଶାନ୍ତ କିଶୋର । ଖାଲି ସେତିକି ନୁହେଁ, ନୀତୀଶ କୁମାର ମଧ୍ୟ ପ୍ରଶାନ୍ତ କିଶୋରଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ନୀତୀଶ, ପ୍ରଶାନ୍ତ କିଶୋରଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିବା ବହୁ ପୂର୍ବରୁ କହି ସାରିଛନ୍ତି । କିନ୍ତୁ ଏବେ ଛାତ୍ର ଆନ୍ଦୋଳନରେ ପ୍ରଶାନ୍ତ କିଶୋରଙ୍କ ଉପସ୍ଥିତିରୁ ଭିନ୍ନ ଏକ ରାଜନୈତିକ ଗନ୍ଧ ଆସୁଛି । ପାଖରେ ଭ୍ୟାନିଟି ଭ୍ୟାନ୍ ରଖି ପ୍ରଶାନ୍ତ କିଶୋର ଛାତ୍ରଙ୍କ ସହ ଧାରଣାରେ ବସିଥିବା ବେଳେ ଆରଜେଡି ନେତା ତେଜସ୍ବୀ ଯାଦବ ଉଠାଇଛନ୍ତି ବଡ଼ ପ୍ରଶ୍ନ ।