Latest Odisha News

BREAKING NEWS

କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା ? କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ପଦ ପାଇଁ ୧୮ ତାରିଖରେ ହୋଇଥିବା ନିର୍ବାଚନର ଆଜି ଭୋଟ୍ ଗଣତି ଚାଲିଛି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଓ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ବି ମୁର୍ମୁଙ୍କ ବିଜୟ ନିଶ୍ଚିତ କୁହାଯାଉଛି । ୧୮ ତାରିଖରେ ହୋଇଥିବା ଭୋଟିଂରେ ସସଂଦରେ ୭୨୮ ଭୋଟ୍ ପଡ଼ିଥିଲା । ୭୧୯ ସାଂସଦଙ୍କ ସହ ୯ ବିଧାୟକ ସଂସଦ ଭବନରେ ମତଦାନ କରିଥିଲେ । ସଂସଦରେ ୯୮.୯୧ ପ୍ରତିଶତ ପ୍ରତିଶତ ଭୋଟିଂ ହୋଇଥିଲା । ୧୨ଟି ରାଜ୍ୟରେ ଶହେ ପ୍ରତିଶତ ମତଦାନ ହୋଇଥିଲା ।

ଆଜି ଦିନ ୧୧ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ତାହା ସ୍ପଷ୍ଟ ହୋଇଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ସରୁଛି । ନୂଆ ରାଷ୍ଟ୍ରପତି ୨୫ ତାରିଖରେ ଶପଥ ନେବେ । ଭୋଟ୍ ଗଣତି ଜାରି ରହିଥିବା ବେଳେ ଆଜି ମଧ୍ୟାହ୍ନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତି ନିର୍ବାଚନରେ ବିଜୟ ନେଇ ବିଜେପି ଆଶ୍ୱସ୍ତ ରହିଛି । ଦଳ ପକ୍ଷରୁ ବିଜୟ ଉତ୍ସବ ମନାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୩ କିଲୋମିଟର ବ୍ୟାପି ରୋଡ୍ ଶୋ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ୍ ହେବେ । ମୁର୍ମୁ ବିଜୟୀ ହେଲେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ । ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜର ରାଇରଙ୍ଗପୁର ମଧ୍ୟ ଉତ୍ସବମୁଖର ହୋଇ ଉଠିଛି । ଫଳାଫଳ ଆସିବା ପରେ ମିଠାଇ ବଣ୍ଟାଯିବ । ସ୍ଥାନୀୟ ବିଜେପି ନେତା ତପନ ମହାନ୍ତଙ୍କ ପକ୍ଷରୁ ୨୦ ହଜାର ଲଡୁ ପ୍ରସ୍ତୁତ କରାଯାଇଛି । ୧୦୦ ବ୍ୟାନର ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

Comments are closed.